ଭୁବନେଶ୍ବର: ରାୟଗଡ଼ା ଜିଲ୍ଲାରେ ଦିଲ୍ଲୀର ଜଣେ ଯୁବତୀ ଏବଂ ତାଙ୍କ ସହକର୍ମୀଙ୍କ ଉପରେ ଭିଡ଼ ଆକ୍ରମଣ ଘଟଣାରେ ପୋଲିସ ଶନିବାର ଆଉ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସହିତ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୨୧ରେ ପହଞ୍ଚିଛି।
ତଦନ୍ତକାରୀ ଦଳମାନେ କହିଛନ୍ତି ଯେ ଏହି ଗିରଫଦାରୀ ଘଟଣାସ୍ଥଳରୁ ସଂଗୃହୀତ ସିସିଟିଭି ଫୁଟେଜ୍, ଡିଜିଟାଲ୍ ପ୍ରମାଣ ଏବଂ ଭିଡିଓକୁ ଆଧାର କରି ହୋଇଛି। ତେବେ ଏହି ଘଟଣାରେ ନିନ୍ଦା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏନେଇ ପୋଷ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ରାୟଗଡ଼ା, କଲ୍ୟାଣସିଂହପୁରରେ ଦିଲ୍ଲୀର ଛାତ୍ରୀଙ୍କ ସହ ଘଟିଥିବା ଜଘନ୍ୟ, ବର୍ବରୋଚିତ କାଣ୍ଡ ସମଗ୍ର ଓଡ଼ିଶାକୁ ବିଚଳିତ, ଲଜ୍ଜିତ ଓ ଚିନ୍ତିତ କରିଛି। ଏପରି ଦୁଃସ୍ଥିତିର ସାମ୍ନା କରିଥିବା ଛାତ୍ରୀଙ୍କୁ ମୋର ଗଭୀର ସମବେଦନା ଜଣାଉଛି।
ସର୍ବସମ୍ମୁଖରେ ଛାତ୍ରୀଙ୍କ ସହ ସଂଘବଦ୍ଧ ଭାବେ ଘଟିଥିବା ବିଭତ୍ସ, ନାରକୀୟ କାଣ୍ଡ ମାନବିକତା ଏବଂ ଆମ ଅସ୍ମିତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସରକାର ତୁରନ୍ତ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହିଁକି ଓଡ଼ିଶାର ଛବି କଳୁଷିତ ହେବାକୁ ଛାଡ଼ି ଦିଆଯାଇଛି? ଏ ସରକାର, ଏ ପୋଲିସ ପ୍ରଶାସନ ଏତେ ଅସହାୟ କ’ଣ ପାଇଁ? ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା କ’ଣ ଏ ସରକାରଙ୍କ ଉତ୍ତରଦାୟିତ୍ୱ ନୁହେଁ କି? ସମ୍ବେଦନଶୀଳ ଘଟଣାରେ ସରକାରଙ୍କ ସ୍ଥାଣୁତା ଓ ଅସମ୍ଭବ ନୀରବତା ଏପରି ବିଭତ୍ସ କାଣ୍ଡ ଘଟିବାକୁ ପ୍ରଶ୍ରୟ ଦେଉନାହିଁ କି? ନାରୀ ନିର୍ଯାତନା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ ହେଉଥିବା ବେଳେ ସରକାର କେଉଁ ମୁହଁରେ ‘ବିକାଶର ଧାରା ଓଡ଼ିଶା ସାରା’ କହି ଉତ୍ସବରେ ମାତିଛନ୍ତି?
ସରକାର ତୁରନ୍ତ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରି ରାଜ୍ୟରେ ମା’ ଭଉଣୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ସେ କହିଛନ୍ତି।
