Latest Odisha News

BREAKING NEWS

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ: ହିଞ୍ଜିଳି, ଶେରଗଡ଼ରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ସୋମାବର ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ। ଦଳର ସୁପ୍ରିମୋ ବୁଧବାର ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେଡିକୁ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ନିବେଦନ କରିବେ ନବୀନ।

ତେବେ ନବୀନଙ୍କ ଗସ୍ତ ନେଇ ଗଞ୍ଜାମ ବିଜେଡ଼ିରେ ଉତ୍ସାହର ମହଲ ସୃଷ୍ଟି ହୋଇଛି। ଆଜି ନବୀନ ଗଞ୍ଜାମରେ ଦୁଇଟି ସମାବେଶ କରି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଗସ୍ତ କରିବେ। ଗତ ୨୨ ତାରିଖ ସୋମବାର ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଦ୍ ପ୍ରଚାର ଆରମ୍ଭ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ଭିଡିଓକୁ ସୋସିଆଲ ମିଡିଆରେ ୨୪ ଘଣ୍ଟାରେ ୪୦ ଲକ୍ଷ ଲୋକେ ଦେଖିଥିଲେ।

ଆଜି ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀରୁ ଦଳ ପାଇଁ ରାଜ୍ୟସ୍ତରୀୟ ପ୍ରଚାର ଆରମ୍ଭ କରିବେ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବା। ବିଜେପି ଓ କଂଗ୍ରେସର ଜାତୀୟ ଓ ରାଜ୍ୟସ୍ତରୀୟ ଷ୍ଟାର ପ୍ରଚାରକଙ୍କ ଭୋଟ ଭିକ୍ଷା ପୂର୍ବରୁ ହିଁ ବିଜେଡି ପ୍ରଥମେ ପ୍ରଚାର ଆରମ୍ଭ କରିବାକୁ ଯାଉଛି। ସେହିପରି ଆସନ୍ତା ୨୫ ତାରିଖରେ ନବୀନ ପଟ୍ଟନାୟକ ଗୁଣୁପୁର ଓ ବିଷମକଟକ ଗସ୍ତରେ ଯାଇ ଜନସାଧାରଣକୁ ସମ୍ବୋଧିତ କରିବେ। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବା ପରେ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ।

ସୂଚନା ଥାଉକି ଆସନ୍ତା ୨୫ ତାରିଖରେ ବିଜେପି ପାଇଁ ଭୋଟ ଭିକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଶାହଙ୍କ ଗସ୍ତର ଦିନକ ପୂର୍ବରୁ ନବୀନ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡି ସପକ୍ଷରେ ଭୋଟ ମାଗିବେ। ଭୋଟ ଯେତେ ପାଖେଇ ଆସୁଛି ଦିନକୁ ଦିନ ରାଜନୈତିକ ପରିବେଶ ସେତିକି ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି।

Leave A Reply

Your email address will not be published.