Latest Odisha News

BREAKING NEWS

ନବୀନଙ୍କ ନାରୀଶକ୍ତି: କଥାରେ ନା କାମରେ ?

ଭୁବନେଶ୍ବର: ମାଆଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡି ମହିଳାଙ୍କୁ ଟିକେଟ୍ ଦେବାରେ ଆଗରେ । ଲୋକସଭା ହେଉ କି ବିଧାନସଭା, ମଇଦାନକୁ ଅଧିକ ସଂଖ୍ୟାରେ ମହିଳା ଯୋଦ୍ଧା ଓହ୍ଲାଇଛି ବିଜେଡି । ମହିଳା ଭୋଟ୍ ହାତେଇବା ସହ ମହିଳା ସଶକ୍ତିକରଣର ନାରା ଦେଉଛି ଦଳ । ଲୋକସଭାରେ ୩୩ପ୍ରତିଶତ ସଂରକ୍ଷଣର ଗଣିତ ତ ବିଧାନସଭାରେ ବି ମହିଳାଙ୍କୁ ସୁଯୋଗ ଦେଇଛି ଦଳ । ହେଲେ ବାସ୍ତବ ଚିତ୍ର କଣ ? କେଉଁଠି ନେତାଙ୍କ ପତ୍ନୀଙ୍କୁ ଟିକେଟ୍ ତ କେଉଁଠି ଝିଅ ହୋଇଛନ୍ତି ପ୍ରାର୍ଥୀ । ଏପରିକି ଯୋଗ୍ୟ ପ୍ରାର୍ଥୀ ଥାଉ ଥାଉ ଲୋକସଭାରେ ଆମଦାନୀ ନେତାଙ୍କୁ ଟିକେଟ୍ ଦେଇ ୩୩ପ୍ରତିଶତ କୋଟା ପୂରଣ କରିଛି ବିଜେଡି ।

ନେତାଙ୍କ ଜାଗାରେ ପତ୍ନୀଙ୍କୁ ଟିକେଟ୍

ବିଜେଡି ଏପର୍ଯ୍ୟନ୍ତ ୧୪୧ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ପ୍ରାୟ ୧୨ଟି ଆସନରେ ହେଭିଓ୍ବେଟ୍ ନେତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ହୁଅନ୍ତୁ କି ଜୟପୁରର ହେଭିଓ୍ବେଟ୍ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ । ସ୍ବାମୀଙ୍କ ଗଡରେ ସ୍ତ୍ରୀଙ୍କୁ ଭରସା କରିଛି ବିଜେଡି । ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କ ପତ୍ନୀ ସଂଯୁକ୍ତା ସିଂ,ମୋରଡା ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ବଡସାହିରୁ ଗଣେଶ୍ବର ପାତ୍ରଙ୍କ ସ୍ତ୍ରୀ ଅନୁସୂୟା ପାତ୍ର, ସୋରଡାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ ସଂଘମିତ୍ରା ସ୍ବାଇଁ, ଭବାନୀପାଟଣାରୁ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲଳିତା ନାୟକ, ନବରଙ୍ଗପୁରରେ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ, ଉମରକୋଟରେ ସୁବାସ ଗଣ୍ଡଙ୍କ ପତ୍ନୀ ନବୀନା ନାୟକ, ବାଙ୍ଗିରିପୋଷିରେ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି ଓ ରଘୁନାଥପାଲ୍ଲୀରୁ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ବେହେରା ପ୍ରାର୍ଥୀ ହୋଇଛନ୍ତି ।

ଲୋକସଭାରେ ବି ପତ୍ନୀ ପ୍ରାର୍ଥୀ

ଲୋକସଭା ଲଢେଇରେ ବି ପ୍ରଭାବଶାଳୀ ନେତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବିଜେଡି । ୨୦୧୯ରେ କୋରାପୁଟ, ଆସିକା, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର ଓ ସୁନ୍ଦରଗଡରେ ମହିଳା ପ୍ରାର୍ଥୀ ଦେଇଥିଲା । ଏଥର ଯାଜପୁର, ଭଦ୍ରକ, ଜଗତସିଂହପୁର ଓ କୋରାପୁଟରେ ମହିଳା ପ୍ରାର୍ଥୀ ରିପିଟ୍ କରିଛି ବିଜେଡି । ହେଭିଓ୍ବେଟ୍ ନେତା ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପୁଣି ଭଦ୍ରକରୁ ଭରସା କରିଛି ତ ସୁଶାନ୍ତ ମିଶ୍ରଙ୍କ ପତ୍ନୀ ପରିଣୀତା ମିଶ୍ରଙ୍କୁ ବରଗଡ ଲୋକସଭାରୁ ପ୍ରାର୍ଥୀ କରିଛି । ସେହିପରି ବିଜେଡି ନେତା ଝିନ୍ନ ହିକ୍କାଙ୍କ ପତ୍ନୀ କୌଶଲ୍ୟା ହିକ୍କାଙ୍କୁ ପୁଣି ଟିକେଟ୍ ଦେଇଛି ବିଜେଡି ।

ନେତାଙ୍କ କିଲ୍ଲାରେ ଝିଅଙ୍କୁ ଟିକେଟ୍

କେବଳ ପତ୍ନୀ ନୁହେଁ ଏଥର କିଲ୍ଲା ସମ୍ଭାଳିବେ କନ୍ୟା । ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୟା ମାଝୀଙ୍କୁ ରାୟଗଡା ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି ତ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କୁ ଟିକେଟ୍ ଦେଇଛି। ସେହିପରି ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ଦମ୍ପତି ହରପ୍ରସାଦ ସାହୁ ଓ ସୁନୀତିପ୍ରଭା ସାହୁଙ୍କ ଝିଅ ରଞ୍ଜିତା ସାହୁଙ୍କୁ ଆସିକା ଲୋକସଭାରୁ ପ୍ରାର୍ଥୀ କରିଛି ଦଳ ।

ବର୍ଷା, ଲେଖାଶ୍ରୀ…ପାରାଚୁଟ୍ ପ୍ରାର୍ଥୀ !

ନା ବିଜେଡି ସଂଗଠନରେ ଦଖଲ ଅଛି ନା ଅଞ୍ଚଳରେ ଅଛି ଦବଦବା । ମହିଳାଙ୍କୁ ଟିକେଟ୍ ଦେବା ନାଁରେ ବର୍ଷା ପ୍ରିୟଦର୍ଶିନୀ ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ନେତ୍ରୀଙ୍କୁ ଟିକେଟ୍ ଦେଇଛି ବିଜେଡି । ୬ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ୍ କାଟି ବଡଚଣା ରାଜନୀତିରେ ସଂପୂର୍ଣ୍ଣ ଅଜ୍ଞ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ବିଜେଡିକୁ ପ୍ରତିଦିନ ସମାଲୋଚନା କରୁଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳରେ ସାମିଲ ହେବା ପରେ ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ କରିଛି ଦଳ।

ତେବେ ପ୍ରଶ୍ନ ଉଠୁଛି, ଲୋକସଭାରେ ୩୩ପ୍ରତିଶତ ସଂରକ୍ଷଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି କିଛି ମହିଳାଙ୍କୁ ପ୍ରାର୍ଥୀ କରିଛି କି ବିଜେଡି ? ମହିଳା ସଶକ୍ତିକରଣ ନାଁରେ ନେତାଙ୍କ ପତ୍ନୀଙ୍କୁ କରାଯାଇଛି କି ଥଇଥାନ? ପରିବାରବାଦକୁ ପ୍ରୋତ୍ସାହନ ଦେଉଛି କି ବିଜେଡି? ଯୋଗ୍ୟ ମହିଳା ପ୍ରାର୍ଥୀ ଅଭାବରୁ ନେତାଙ୍କ ପରିବାରରେ ହିଁ ସୀମିତ ରହିଛି ମହିଳା ସଂରକ୍ଷଣ ?

Leave A Reply

Your email address will not be published.