Latest Odisha News

BREAKING NEWS

ନବୀନ ବିଜେପୁର ଆସନ ଛାଡ଼ିବା ପଛରେ କ’ଣ ରହିଛି କାରଣ, ଜାଣନ୍ତୁ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ବିଜେପୁର ଆସନଟି ଛାଡ଼ିଦେଇଛନ୍ତି, ଏଥିସହିତ ମଜବୁତ ସ୍ଥିତିରେ ରହିଥିବା ହିଞ୍ଜିଳି ଆସନଟିକୁ ନିଜ ପାଖରେ ରଖିଛନ୍ତି ।

ନବୀନ ଗୁରୁବାର ଦିନ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଏକ ୧୩୩୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଅନୁଯାୟୀ ବିଜେପୁରରେ ଗୃହନିର୍ମାଣ, ଜଳସେଚନ, ସ୍ୱାସ୍ଥ୍ୟସେବା, ଯୋଗାଯୋଗ, ଭିତ୍ତିଭୂମିର ବିକାଶ କରାଯାଇପାରିବ । ବିଜେପୁର ଲାଗି ଏହି ଜନହିତକର ପ୍ୟାକେଜଟି କିନ୍ତୁ ବିରୋଧୀ ବିଜେପି ଓ କଂଗ୍ରେସ ଲାଗି ଚକ୍ଷୁଶୀଳ ହୋଇପଡ଼ିଛି ।

ତେବେ ଏନେଇ ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ଯେହେତୁ ବିଜେପୁରବାସୀ ତାଙ୍କୁ ଏହି ନିର୍ବାଚନରେ ବିପୁଳ ଭୋଟଦେଇ ଜୟଯୁକ୍ତ କରିଥିବାରୁ ସେଠାକାର ଅଧିବାସୀଙ୍କ ମନ ଊଣା କରିବାକୁ ଚାହାନ୍ତିନାହିଁ । ତେଣୁ ଏହି ଆସନ ଛାଡ଼ିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବଡ଼ ଧରଣର ସ୍ୱତନ୍ତ୍ର ପ୍ୟାକେଜ ଭେଟି ଦେଲେ ନବୀନ ।

କେବଳ ସେତିକି ନୁହେଁ, ବରଂ ବିଜେପୁର ବାସୀଙ୍କ ଜୀବନ ଜୀବିକା ଲାଗି ଆହୁରି ଏକ ଅତିରିକ୍ତ ସହାୟତା ରାଶି ଘୋଷଣା କରିବାର ସମ୍ଭାବନା ରହିଛି । ବିଧାନସଭା ସଚିବଙ୍କ ନିକଟକୁ ନବୀନ ଦେଇଥିବା ଏକ ପତ୍ରରେ ବିଜେପୁର ବାସୀଙ୍କ ଅକୁଣ୍ଠିତ ସମର୍ଥନ ତଥା ଅଯାଚିତ ଭଲପାଇବାକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରକୃତରେ ଦେଖିବାକୁ ଗଲେ, ପଶ୍ଚିମ ଓଡ଼ିଶାବାସୀ ବହୁ ପୂର୍ବରୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ହିଁ ନିର୍ବାଚନ ଲଢନ୍ତୁ । ଏହି ଅଞ୍ଚଳର ଅନେକ ବରିଷ୍ଠ ନେତାମାନେ ନବୀନଙ୍କୁ ନିର୍ବାଚନର ବହୁ ପୂର୍ବରୁ ଅନୁରୋଧ ମଧ୍ୟ କରିଥିଲେ ।

ତେବେ ରାଜନୈତିକ ବିଶାରଦଙ୍କ କହିବା କଥା ହେଲା ଯେ, ଯେହେତୁ ପଶ୍ଚିମ ଓଡ଼ିଶାରେ ବିଜେପିର ଭଲ ପ୍ରଭାବ ରହିଥିବା ଯୋଗୁଁ ଶାସକ ଦଳ ସେଠାରେ ନିଜର ପତିଆରା ବୃଦ୍ଧି କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ଆବଶ୍ୟକ କରୁଥିଲା । ବରଗଡ଼ ଜିଲ୍ଲାର ବିଜେପୁର ଆସନକୁ ନବୀନ ୨ୟ ଆସନ ଭାବେ ଚୟନ କରିବା ସହିତ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିପାରିଥିଲେ ।

ଯଦି ଦଳୀୟ ସୂତ୍ରର ସୂଚନାକୁ କିଛି ମାତ୍ରାରେ ବିଶ୍ୱାସ କରାଯାଏ ତେବେ ଆଉ ଏକ କଥା ମଧ୍ୟ ନଜରକୁ ଆସୁଛି । ହୁଏତ ନବୀନ ପଟ୍ଟନାୟକ ତାଙ୍କର ଉତ୍ତରାଧିକାରୀ ଭାବେ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ସୁବିଧାରେ ରାଜନୀତିରେ ସଂଶ୍ଳିଷ୍ଟ କରିବାକୁ ସୁବିଧାଜନକ ଆସନଟେ ମଧ୍ୟ ଆବଶ୍ୟକ କରୁଥିଲେ । ବିଧାନସଭାକୁ ନିର୍ବାଚିତ ହେବା ଲାଗି ପସନ୍ଦ ମୁତାବକ ନିର୍ବାଚନ ମଣ୍ଡଳୀର ଆବଶ୍ୟକତା ପୂରଣ ହୋଇପାରିଛି ।

ବିଧାନସଭାର ୧୪୬ଟି ଆସନ ମଧ୍ୟରୁ ଏକାକୀ ବିଜେଡ଼ି ୧୧୨ଟି ଆସନରେ ବିପୁଳ ବିଜୟ ହାସଲ କରିପାରିଛି । ଦଳ ମଧ୍ୟରେ ଥିବା ଗୋଟିଏ ଗୋଷ୍ଠୀଙ୍କ ମତରେ ଦଳୀୟ ନେତୃତ୍ୱ ଏପରି କିଛି ପଦକ୍ଷେପ ଗ୍ରହଣ ନ’କରୁନ୍ତୁ ଯାହାଦ୍ୱାରା କି ମହାନ ଦଳୀୟ ଭାବମୂର୍ତ୍ତିରେ ଆଞ୍ଚ ଆସିବ । ଏଥିରେ ପରିବାରବାଦ ନଜର ଆସିବାର ସମ୍ଭାବନା ରହିଛି ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେପୁର ଅପେକ୍ଷା ହିଞ୍ଜିଳି ଆସନ ହିଁ ବିଜେଡ଼ି ସୁପ୍ରିମୋଙ୍କ ଲାଗି ସର୍ବାଧିକ ସୁରକ୍ଷିତ ଆସନ ଭାବେ ସାବ୍ୟସ୍ତ ହୋଇଛି ।
ପରିଶେଷରେ ନବୀନ ପଟ୍ଟନାୟକ ତାଙ୍କର ପୁତୁରା ଅରୁଣଙ୍କ ରାଜନୀତିରେ ଅଂଶଗ୍ରହଣ କରିବାର ସମସ୍ତ କଳ୍ପନା ଜଳ୍ପନାକୁ ପରିସମାପ୍ତି କରିଦେଇଥିଲେ, ଯେତେବେଳେ ସେ ଘୋଷଣା କଲେ ଯେ, ତାଙ୍କର ଉତ୍ତରାଧିକାରୀ ଚୟନ କରିବା ନେଇ ସେପରି କିଛି ଯୋଜନା ହି ନାହିଁ ।

ଯଦି ଏହାର ଅନ୍ୟ ଏକ କାରଣ ଖୋଜାଯାଏ, ତେବେ ଦେଖିବାକୁ ଗଲେ ଗତ କିଛି ବର୍ଷ ହେଲା ବିଜେପୁର ଆସନ ହିଁ ରାଜନୈତିକ ତଥା ପ୍ରଶାସନିକ ଦୃଷ୍ଟିକୋଣରୁ ରାଜନେତା ତଥା ପ୍ରଶାସକଙ୍କ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ଆସନରୁ ପ୍ରତିଦ୍ୱନ୍ଦିତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସ ଦଳର ସୁବଳ ସାହୁଙ୍କର ୨୦୧୭ ମସିହାରେ ମୃତ୍ୟୁ ହୋଇଥିଲା । ଦେଖିବାକୁ ଗଲେ ଦୁଇବର୍ଷ ଅନ୍ତରରେ ବିଜେପୁର ଦୁଇ ଦୁଇଟି ଉପ-ନିର୍ବାଚନର ସାମ୍ନା ହେବାକୁ ପଡୁଛି । ୨୦୧୮ ଉପ ନିର୍ବାଚନରେ ଏଠାରେ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ବିଧବା ପତ୍ନି ରୀତା ସାହୁ ବିଜେଡ଼ି ଟିକଟରେ ନିର୍ବାଚନ ଲଢି ବିପୁଳ ବିଜୟ ହାସଲ କରିପାରିଥିଲେ । ମାତ୍ର ରାଜନୈତିକ ଦୃଷ୍ଟିକୋଣରୁ ବିଜେପୁର ଆସନର ଗୁରୁତ୍ୱ କ୍ରମେ ବୃଦ୍ଧି ପାଇବାରେ ଲାଗିଥିଲା । ବିଜେଡ଼ି ଓ ବିଜେପି ମଧ୍ୟରେ ଗତ ଉପ ନିର୍ବାଚନରେ ସିଧାସଳଖ ଲଢେଇ ହୋଇଥିଲା ।

ବିଜେପୁର ଆସନକୁ ପରିତ୍ୟାଗ କରିବା ନେଇ ବିଜେପି ନବୀନଙ୍କୁ ସମାଲୋଚନା କରିଛି । ବିଜେପି ଅଭିଯୋଗ କରି କହିଛି ଯେ, ଦ୍ୱିତୀୟଥର ଲାଗି ନବୀନ ବିଜେପୁରବାସୀଙ୍କୁ ପ୍ରତାରଣା କରିଛନ୍ତି । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ବିଜେପୁର ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ଏହି ନିର୍ବାଚନମଣ୍ଡଳୀ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ନିଜ ନିର୍ବାଚନମଣ୍ଡଳୀ ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଉଚିତ୍ ହୋଇନାହିଁ ।”

Leave A Reply

Your email address will not be published.