ନାରାୟଣପୁର: ନକ୍ସଲ ପ୍ରଭାବିତ ଅଞ୍ଚଳରେ ଚାଲିଥିବା “ମାଡ ବଚାଓ ଅଭିଯାନ”ରେ ସୁରକ୍ଷା ବାହିନୀକୁ ଏକ ବଡ଼ ଏବଂ ନିର୍ଣ୍ଣାୟକ ସଫଳତା ମିଳିଛି । ପୋଲିସ, ଡିଆରଜି, ଏସଟିଏଫ, ଆଇଟିବିପି ଏବଂ ବିଏସଏଫର ଏକ ମିଳିତ ଟିମ୍ ଜଙ୍ଗଲରେ ନକ୍ସଲମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଏକ ମାଓ ଡମ୍ପରୁ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ନଗଦ ଜବତ କରିଛି । ଘଟଣାସ୍ଥଳରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବିପୁଳ ପରିମାଣର ଗୁଳିଗୋଳା, ବିସ୍ଫୋରକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ଅଭିଯାନ ଗ୍ରାମବାସୀଙ୍କ ସହଯୋଗ ଏବଂ ଏକ ଦୃଢ଼ ସୂଚନା ନେଟୱାର୍କର ସମର୍ଥନରେ କରାଯାଇଥିଲା ।

ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ରାଜ୍ୟକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସରକାରଙ୍କ ଦ୍ୱାରା ନାରାୟଣପୁର ଜିଲ୍ଲାରେ ଏକ ସ୍ୱତନ୍ତ୍ର ନକ୍ସଲ ନିପାତ ଅଭିଯାନ ନିରନ୍ତର ଭାବରେ ଚାଲିଛି । ଏହି ଅଭିଯାନର ଅଂଶ ସ୍ୱରୂପ, ନାରାୟଣପୁର ପୋଲିସ, ଡିଆରଜି, ଆଇଟିବିପି ଏବଂ ବିଏସଏଫର ମିଳିତ ଦଳ ଗତ ଏକ ମାସ ଧରି ଆବୁଝମାଡର ଦୂରଦୂରାନ୍ତ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଘନିଷ୍ଠ ସନ୍ଧାନ ଏବଂ ଏରିଆ ଡୋମିନେସନ ଅଭିଯାନ ଚଳାଇଛନ୍ତି ।

ସୂଚନାନୁସାରେ, ସୁରକ୍ଷାକର୍ମୀ ବିଶେଷ ସୂତ୍ରରୁ ଖବର ପାଇ ନାରାୟଣପୁର ସୀମାନ୍ତ ଆବୁଝମାଡ ଜଙ୍ଗଲରେ ଚଢ଼ାଉ କରିଥିଲେ । ଜଙ୍ଗଲର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିବା ବେଳେ ଏକ ବଡ ଡମ୍ପକୁ ଠାବ କରିଥିଲେ ଯବାନ । ଏହି ଡମ୍ପରୁ ଏକେ-୪୭, ଏସଏଲଆର, ଇନସାସ, ୩୦୩ ବନ୍ଧୁକ ସହ ବିସ୍ଫୋରକ, ଏଲ୍ଏମଜି, ବିଜିଏଲ, ରକେଟ୍ ଲଞ୍ଚର ଭଳି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି । ଏଥିସହ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍ଗା ମଧ୍ୟ ଜବତ କରାଯାଇଛି । ତେବେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଏହି ସୂଚନା ପ୍ରଦାନ କରିଥିବା ପୋଲିସ କହିଛି ।

ପୋଲିସ ଅଧୀକ୍ଷକ ରବିନସନ୍ ଗୁଡିଆ କହିଛନ୍ତି, “ସଂଯୁକ୍ତ ବାହିନୀର ନିରନ୍ତର ଅଭିଯାନ ଅବୁଝମାଡ ଅଞ୍ଚଳରେ ନକ୍ସଲ ସଂଗଠନକୁ ଦୁର୍ବଳ କରୁଛି । ନାରାୟଣପୁରରେ ସୁରକ୍ଷା ବାହିନୀର ଏହି କାର୍ଯ୍ୟାନୁଷ୍ଠାନ ନକ୍ସଲ ନିରାକରଣ ଅଭିଯାନରେ ଏକ ପ୍ରମୁଖ ସଫଳତା।”