Latest Odisha News

ଚିନ୍ତା ବଢାଇଲା ୟୁନିସେଫର ରିପୋର୍ଟ, ଏହି କାରଣରୁ ବ୍ୟାହତ ହେଉଛି ପିଲାଙ୍କ ଶିକ୍ଷା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ । ଚିନ୍ତା ବଢାଇଲା ୟୁନିସେଫର ଏହି ରିପୋର୍ଟ । ଯେତେବେଳେ ବିଶ୍ଵ କୌଣସି ବିପଦର ସାମ୍ନା କରେ ସେତେବେଳେ ସେହି ବିପଦରେ ପ୍ରଥମେ ପ୍ରଭାବିତ ହୁଅନ୍ତି ପିଲାମାନେ । ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ୍) ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି । ଯାହା ବିଶ୍ଵବାସୀଙ୍କ ଚିନ୍ତା ବଢାଇଛି । ୟୁନିସେଫ୍ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ହିଟୱେଭ୍, ସାଇକ୍ଲୋନ୍, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୮୫ଟି ଦେଶରେ ଅତି କମରେ ୨୪୨ ମିଲିୟନ ପିଲାମାନଙ୍କ ଶିକ୍ଷା ବ୍ୟାହତ ହୋଇଛି ।

ରିପୋର୍ଟ ଅନୁସାରେ, ୨୦୨୪ ମସିହାରେ ସ୍କୁଲ ଯାଉଥିବା ପ୍ରତ୍ୟକ ୭ଜଣଙ୍କ ମଧ୍ୟରୁ ଜଣେ ପିଲା ଜଳବାୟୁର ଏହି ବିପଜ୍ଜନକ ପରିବର୍ତ୍ତନ କାରଣରୁ ସ୍କୁଲ ଯାଇପାରିନାହିଁ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କେତେକ ଦେଶରେ ବିଶେଷ କରି ଏସିଆ ଏବଂ ସାହାରା ଆଫ୍ରିକାର ସ୍ୱଳ୍ପ ଆୟକାରୀ ଦେଶରେ ପାଣିପାଗର ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଶହ ଶହ ବିଦ୍ୟାଳୟ ନଷ୍ଟ ହୋଇଯାଇଛି । ବର୍ଷ ଶେଷରେ ଇଟାଲୀରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ୯୦୦୦,୦୦୦ରୁ ଅଧିକ ପିଲାଙ୍କ ଶିକ୍ଷାରେ ବାଧା ସୃଷ୍ଟି କରିଥିଲା । ସେହିପରି ସ୍ପେନରେ ଭୟଙ୍କର ବନ୍ୟା ପରେ ହଜାର ହଜାର ପିଲାଙ୍କର ଶିକ୍ଷା ବ୍ୟାହତ ହୋଇଥିଲା । ୟୁନିସେଫ୍ କହିଛି ଯେ, ଗତବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବିଦ୍ୟାଳୟ ବନ୍ଦ ହେବାର ପ୍ରମୁଖ କାରଣ ପାଲଟିଥିଲା । କାରଣ ଗତବର୍ଷ ବିଶ୍ଵର ଅନେକ ସହର ସବୁଠାରୁ ଉତ୍ତପ୍ତ ଥିବା ରେକର୍ଡ ହୋଇଥିଲା ।

ୟୁନିସେଫ କହିଛି ଯେ, କେବଳ ଏପ୍ରିଲରେ ୧୧୮ ମିଲିୟନରୁ ଅଧିକ ପିଲାଙ୍କ ଶିକ୍ଷା ବ୍ୟାହତ ହୋଇଛି। କାରଣ ମଧ୍ୟ ପୂର୍ବ ଏବଂ ଏସିଆର ବୃହତ ଅଂଶ, ପଶ୍ଚିମରେ ଗାଜା ଠାରୁ ଦକ୍ଷିଣ ପୂର୍ବରେ ଫିଲିପାଇନ୍ସ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ହିଟୱେଭ୍ ଜାରି ରହିଥିଲା । ସେତେବେଳେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିଲା । ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କ୍ୟାଥରିନ୍ ରସେଲ ଏକ ବିବୃତ୍ତିରେ କହିଛନ୍ତି ଯେ, ପାଣିପାଗ ସମ୍ବନ୍ଧୀୟ ସଙ୍କଟର ପ୍ରଭାବରେ ପିଲାମାନେ ଅଧିକ ଅସୁରକ୍ଷିତ ହୋଇଥାନ୍ତି, ଯେପରିକି ହିଟୱେଭ୍ ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ । ପିଲାମାନଙ୍କର ଶରୀର ବହୁତ ସମ୍ବେଦନଶୀଳ । ସେମାନେ ବହୁତ ଶୀଘ୍ର ଗରମ ଅନୁଭବ କରନ୍ତି, ଖୁବ କମ୍ ସମୟରେ ସେମାନଙ୍କ ଶରୀରରୁ ଝାଳ ବୋହେ । ଏବଂ ବୟସ୍କଙ୍କ ତୁଳନାରେ ସେମାନଙ୍କ ଶରୀର ଧିରେ ଧିରେ ଥଣ୍ଡା ହୁଏ ।

୨୦୨୪ ମସିହାରେ ପ୍ରଭାବିତ ହୋଇଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ୭୪% ପିଲା ମଧ୍ୟବିତ୍ତ ଏବଂ ସ୍ୱଳ୍ପ ଆୟକାରୀ ଦେଶର । ଗରିବ ଦେଶରେ ଜଳବାୟୁ ଚରମ ପ୍ରଭାବ ପକାଇଥାଏ। ଏପ୍ରିଲରେ ପାକିସ୍ତାନରେ ବନ୍ୟା ପରିସ୍ଥିତି ୪୦୦ ରୁ ଅଧିକ ବିଦ୍ୟାଳୟକୁ ନଷ୍ଟ କରିଦେଇଥିଲା। ମେ ମାସରେ ହିଟୱେଭ୍ ପରେ ଆଫଗାନିସ୍ତାନରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୧୧୦ରୁ ଅଧିକ ବିଦ୍ୟାଳୟ ନଷ୍ଟ ହୋଇଯାଇଥିଲା। ସେହିପରି ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଏକ ମାସ ଧରି ମରୁଡି ଏବଂ ଏଲନିନୋ କାରଣରୁ ଲକ୍ଷ ଲକ୍ଷ ପିଲାଙ୍କ ଶିକ୍ଷା ବିପଦରେ ପଡିଥିଲା । ୟୁନିସେଫ କହିଛି ଯେ, ବିଶ୍ଵରେ ଥିବା ଅନେକ ବିଦ୍ୟାଳୟ ଏବଂ ଶିକ୍ଷା ବ୍ୟବସ୍ଥା ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ଅଯୋଗ୍ୟ।

Comments are closed.