Latest Odisha News

BREAKING NEWS

ଜିମ୍ ବୟରୁ ଜାଭେଲିନ୍ ଜୁଏଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଶନିବାର ସନ୍ଧ୍ୟାବେଳେ ସମସ୍ତଙ୍କ ହୃଦୟର ସ୍ପନ୍ଦନ କିଛି ସମୟ ପାଇଁ ଥମି ଯାଇଥିଲା । ବିଶ୍ୱାସ ହେଉ ନ ଥିଲା । ଆଉ ମନ, ବିବେକ ଜାଣିବା ପରେ ଆନନ୍ଦ ମୁଖରିତ ହୋଇପଡିଲା ସାରା ଭାରତ । ୧୨୧ ବର୍ଷ ପରେ ଭାରତ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲା । କେହି କେବେ ଭାବି ନ ଥିଲେ ନିଜ ଦୁର୍ବଳ ଶରୀରକୁ ମଜଭୁତ କରିବା ପାଇଁ ଜିମର ଚକ୍କର ଲଗାଉଥିବା ହରିୟାଣାର ନୀରଜ ଏ ଭଳି ଚମତ୍କାର କରିବେ । ସେ ଯାଉଥିବା ଜିମ ନିକଟରେ ଏକ ଷ୍ଟାଡିୟମ ଥିଲା । ଖାଲି ସମୟରେ ସେ ସେଠାରେ ବୁଲି ଆସନ୍ତି । ଥରେ କିଛି ପିଲା ସେଠାରେ କୋଚଙ୍କ ଉପସ୍ଥିତିରେ ଜାଭେଲନି ଅଭ୍ୟାସ କରୁଥିଲେ । ହଠାତ କୋଚଜଣକ ତାଙ୍କୁ ଜାଭେଲିନ ଫିଙ୍ଗିବାକୁ କହିଥିଲେ । ନୀରଜ ବହୁତ ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ବାସ୍ ଏହା ପରଠାରୁ ସେ ଆଉ ପଛକୁ ଚାହିଁ ନାହାନ୍ତି । ନିୟମିତ ଅଭ୍ୟାସ ଏବଂ ଏହାର ନିଶା ତାଙ୍କୁ ଆଜି ସଫଳତାର ଚରମ ଶିଖରରେ ପଂହଚାଇ ଦେଇଥିଲା ।

ପ୍ରଥମ ଅଲିମ୍ପିକ୍ସରେ ପୁଣି ସ୍ୱର୍ଣ୍ଣିମ ସଫଳତା । ୨୦୧୬ରେ ସେ ଜୁନିୟରସ୍ତରରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲେ । ଅଲିମ୍ପିକ ଯୋଗ୍ୟତା ହାସଲର ଶେଷ ଦିନ ସେ ଏହି ରେକର୍ଡ କରିଥିଲେ । ସେନାରେ ଚାକିରି କରୁଥିବା ନୀରଜ ଏହା ପରେ ନାଏବ ସୁବେଦାର ପୋଷ୍ଟକୁ ପ୍ରମୋଶନ ପାଇଥିଲେ । ୨୦୧୮ ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆନ୍ତର୍ଜାତୀୟସ୍ତରର ୬ ବଡ ଟୁର୍ଣ୍ଣାମେଂଟରେ ସେ ସଫଳତାର କାହାଣୀ ଦୋହରାଇ ସାରିଥିଲେ । ଏଥିରେ ଜାକର୍ତା ଏସିଆନ୍ ଗେମ୍ସ, ଗୋଲ୍ଡକଷ୍ଟ କମନୱେଲଥ ଗେମ୍ସ, ୨୦୧୭ ଏସିଆନ ଚାମ୍ପିୟନଶିପ, ୨୦୧୬ ସାଉଥ ଏସିଆନ ଗେମ୍ସ, ୨୦୧୬ ଜୁନିୟର ୱାର୍ଲ୍ଡ ଚାମ୍ପିୟନଶିପ ଓ ଜୁନିୟର ଏସିଆନ୍ ଚାମ୍ପିୟନ ଶିପ ସାମିଲ ।

Leave A Reply

Your email address will not be published.