ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍ ଏକ୍ଜମିନେସନ୍-୨୦୨୦’ ଦେବାକୁ ଆଗ୍ରହୀ ପ୍ରାର୍ଥୀ ଓ ପରୀକ୍ଷା ପରିଚାଳକମାନେ ଏହି ଏସ୍ଓପି ପାଳନ କରିବେ।
କେବଳ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଯିବ। କଣ୍ଟେନ୍ମେଣ୍ଟ୍ ଜୋନ୍ର ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ଅନୁମତି ମିଳିବ ନାହିଁ। ଏଭଳି ପରୀକ୍ଷାର୍ଥୀଙ୍କୁ ଅନ୍ୟ ଉପାୟରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ।
ପ୍ରଶ୍ନପତ୍ର ଓ ଉତ୍ତର ଖାତା ବଣ୍ଟନ କରିବା ଆଗରୁ ଇନ୍ଭିଜିଲେଟର୍ମାନେ ତାଙ୍କ ହାତ ସାନିଟାଇଜ୍ କରିବେ। ପରୀକ୍ଷାର୍ଥୀମାନେ ମଧ୍ୟ ନିଜନିଜର ହାତ ସାନିଟାଇଜ୍ କରିବେ। ସଂଗ୍ରହ ହେବାର ୭୨ ଘଣ୍ଟା ପରେ ଉତ୍ତର ଖାତାଗୁଡ଼ିକ ଖୋଲାଯିବା ବିଧେୟ। କାଗଜ ଗଣିବା କିଂବା ବାଣ୍ଟିବା ବେଳେ ଛେପ ଓ ଲାଳ ମାରିବାକୁ ଅନୁମତି ଦିଆଯିବ ନାହିଁ। ବ୍ୟକ୍ତିଗତ ଜିନିଷପତ୍ର ଓ ଷ୍ଟେସନାରି ଆଦି ପରସ୍ପର ମଧ୍ୟରେ ଆଦାନପ୍ରଦାନକୁ ମଧ୍ୟ ଅନୁମତି ମିଳିବ ନାହିଁ। ପରୀକ୍ଷା ପୂର୍ବରୁ ଓ ପରେ ଆଲ୍କ୍ହଲ୍ ୱାଇପ୍ ଯୋଗେ ସିଷ୍ଟମ୍ ବିଶୋଧନ କରାଯିବ।
ପରୀକ୍ଷା ସମୟରେ କାହାର କୋଭିଡ୍-୧୯ ଲକ୍ଷଣ ଦେଖା ଦେଲେ ଅସୁସ୍ଥ ବ୍ୟକ୍ତିଜଣକୁ ଅନ୍ୟମାନଙ୍କ ଠାରୁ ପୃଥକ୍ କରି କୌଣସି କୋଠରି ବା ଜାଗାରେ ରଖିବେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତର ଆସି ପରୀକ୍ଷା ନ କରିବା ପର୍ଯ୍ୟନ୍ତ ସେ ମାସ୍କ୍ ପିନ୍ଧି ଏକାନ୍ତରେ ରହିବେ। ଯଦି ସମ୍ପୃକ୍ତ ବ୍ୟକ୍ତିବିଶେଷ ପଜିଟିଭ୍ ବୋଲି ଜଣାପଡ଼ନ୍ତି, ପରୀକ୍ଷା କେନ୍ଦ୍ର ପରିସରକୁ ବିଶୋଧନ କରାଯିବ।
Comments are closed.