Latest Odisha News

BREAKING NEWS

ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି: ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

.ଭୁବନେଶ୍ୱର: ନିଟ୍ (NEET) ପରୀକ୍ଷାକୁ ଶୃଙ୍ଖଳିତ ଏବଂ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

 

ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଯେପରି ସହଜରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ପର୍ଯ୍ୟାପ୍ତ ବସ୍ ସେବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଏ ନେଇ କିଭଳି ପ୍ରସ୍ତୁତି ଚାଲିଛି, ସେ ସମ୍ପର୍କରେ ସେ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ସୂଚନା ନେଇଛନ୍ତି।

 

ପରୀକ୍ଷା ପରିଚାଳନାରେ ନିୟୋଜିତ ସୁପରଭାଇଜର, ପୋଲିସ ଅଧିକାରୀ ଏବଂ ମାଜିଷ୍ଟ୍ରେଟମାନଙ୍କୁ ସଠିକ୍ ସମୟରେ ନିଜ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କର୍ମଚାରୀଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବାକୁ କୁହାଯାଇଛି। କୌଣସି ପ୍ରକାରର ଅବହେଳା ବା ତ୍ରୁଟିକୁ ସରକାର ବରଦାସ୍ତ କରିବେ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।

 

ଏହାଛଡ଼ା, ସମସ୍ତ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ରହିଛି। ପରୀକ୍ଷା କେନ୍ଦ୍ର ଭିତରେ ପିଲାମାନଙ୍କ ପାଇଁ ପାନୀୟ ଜଳ ଏବଂ ଜରୁରୀକାଳୀନ ମେଡିକାଲ ସୁବିଧା ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

 

ଅନ୍ୟପକ୍ଷରେ, ଆସନ୍ତା ଯୋଗ ଦିବସ କାର୍ଯ୍ୟକ୍ରମକୁ ସକାଳ ୮ଟା ସୁଦ୍ଧା ଶେଷ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଯେପରି କୌଣସି ବାଧାବିଘ୍ନ ବିନା ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବ, ସେଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

 

ଉଲ୍ଲେଖଯୋଗ୍ୟ, ନିଟ୍ ପରୀକ୍ଷାରେ ବିଭ୍ରାଟ ହେବାରୁ ଏବେ କେନ୍ଦ୍ର ସରକାର ବିବାଦରେ ଅଛନ୍ତି । ଏହାପରେ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଂଟା ଭିଡିଛନ୍ତି ।

Leave A Reply

Your email address will not be published.