ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହେବେ। ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଜ ରେଜଲ୍ଟ ଡାଉନଲୋଡ୍ କରିପାରିବେ।
ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ଜୁନ୍ ୨୧ ତାରିଖରେ ହୋଇଥିବା ପୁନଃ NEET UG ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଦେଶର ୫୫୧ଟି ସହରର ୫,୪୪୦ଟି କେନ୍ଦ୍ର ଏବଂ ବିଦେଶର ୧୪ଟି ସହରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ପରୀକ୍ଷା ୧୩ଟି ଭାଷାରେ ଅନୁଷ୍ଠିତ ହୋଇଥିଲା।
NTA ତଥ୍ୟ ଅନୁଯାୟୀ, ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫୮ ପ୍ରତିଶତରୁ ଅଧିକ ଝିଅ ଅଛନ୍ତି। ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଝିଅମାନଙ୍କ ମଧ୍ୟରୁ ୫୬.୮% ସଫଳ ହୋଇଥିବାବେଳେ ପୁଅମାନଙ୍କ ସଫଳତା ହାର ୫୫.୧% ରହିଛି। ଏହା ଦର୍ଶାଉଛି ଯେ ଚଳିତ ବର୍ଷ ମହିଳା ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନ ଅଧିକ ଉଲ୍ଲେଖନୀୟ ରହିଛି।
ଚଳିତ ବର୍ଷର ସର୍ବାଧିକ ୭୨୦ରୁ ୭୧୫ ନମ୍ବର ହାସଲ କରି ପଞ୍ଜାବର ଆର୍ୟନ ଗୁପ୍ତା ଓ ହରିୟାଣାର ପାନ୍ଶୁଲ ବଂଶଲ ମିଳିତ ଭାବେ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି। ସେହିପରି ରାଜ୍ୟରେ ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍ ହୋଇଛନ୍ତି । ସାତ୍ତ୍ୱିକ ଦେଶରେ ୪୦ତମ ରାଙ୍କ ହାସଲ କରିଥିବା ବେଳେ ମୋଟ ୯୯.୯୯୭୮୯୯୯ ପର୍ସେଣ୍ଟାଇଲ୍ ନମ୍ବର ରଖିଛନ୍ତି
ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାର୍ଥୀମାନେ ଯୋଗ୍ୟତା ହାସଲ କରିଛନ୍ତି। ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୭୦ ଲକ୍ଷରୁ ଅଧିକ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ସବୁଠୁ କମ୍ ଲାକ୍ଷାଦ୍ୱୀପରୁ ୪୩ ଜଣ ସଫଳ ହୋଇଛନ୍ତି। ଏଥିସହ ୧୭ ଜଣ ରାଜ୍ୟ ଟପ୍ପର ୭୦୦ରୁ ଅଧିକ ନମ୍ବର ଏବଂ ୨୬ ଜଣ ୬୯୦ରୁ ଅଧିକ ନମ୍ବର ହାସଲ କରିଛନ୍ତି। ଶୀର୍ଷ ୧୩୮ ରାଙ୍କଧାରୀ ୬୬ଟି ସହରରୁ ଆସିଥିବା ବେଳେ ୭୦୫ରୁ ଅଧିକ ନମ୍ବର ପାଇଥିବା ଶୀର୍ଷ ୧୭ ଜଣ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ତାମିଲନାଡୁ ଓ ତେଲେଙ୍ଗାନାରୁ ଆସିଛନ୍ତି।
NTA କହିଛି ଯେ ଏଥର ରେଜଲ୍ଟ ପ୍ରକ୍ରିୟାକୁ ଅଧିକ ଦ୍ରୁତ ଓ ସ୍ୱଚ୍ଛ କରିବା ପାଇଁ ନୂଆ ମୂଲ୍ୟାୟନ ବ୍ୟବସ୍ଥା ଅନୁସରଣ କରାଯାଇଥିଲା। ଜୁନ୍ ୨୫ରେ ପ୍ରୋଭିଜନାଲ ଆନ୍ସର କି ଜାରି, ଜୁନ୍ ୨୫–୨୮ରେ ଆପତ୍ତି ଦାଖଲ ସୁଯୋଗ, ଜୁଲାଇ ୧୩–୧୫ରେ OMR ସିଟ୍ ଓ ରେକର୍ଡେଡ୍ ରେସପନ୍ସ ଦେଖିବା ସୁବିଧା ଏବଂ ଜୁଲାଇ ୧୬: ଫାଇନାଲ ଆନ୍ସର କି ଓ ଫଳାଫଳ ପ୍ରକାଶ ପାଇଛି ।
NTA ସ୍ପଷ୍ଟ କରିଛି ଯେ ତାହାର ଭୂମିକା କେବଳ ପରୀକ୍ଷା ପରିଚାଳନା, ଫଳ ପ୍ରକାଶ ଏବଂ All India Rank ଜାରି କରିବା ପର୍ଯ୍ୟନ୍ତ ସୀମିତ। MBBS ଓ BDSର ୧୫% ଅଲ୍ ଇଣ୍ଡିଆ କୋଟା ପାଇଁ କାଉନସେଲିଂ Medical Counselling Committee (MCC) କରିବ। ଅନ୍ୟପଟେ ରାଜ୍ୟ କୋଟା ଭର୍ତ୍ତି ସମ୍ପୃକ୍ତ ରାଜ୍ୟ ସରକାରଙ୍କ କାଉନସେଲିଂ କର୍ତ୍ତୃପକ୍ଷ ପରିଚାଳନା କରିବେ।
ପ୍ରାର୍ଥୀଙ୍କୁ ଆଡମିଶନ, ସିଟ୍ ବ୍ଲକିଂ କିମ୍ବା ସ୍କୋର ବଢ଼ାଇବା ନାଁରେ ଆସୁଥିବା ଠକାମି ଫୋନ୍ କଲ୍, ମେସେଜ୍ କିମ୍ବା ୱେବସାଇଟ୍ରୁ ସତର୍କ ରହିବାକୁ NTA ପରାମର୍ଶ ଦେଇଛି। କେବଳ ସରକାରୀ କାଉନସେଲିଂ ପୋର୍ଟାଲ ଉପରେ ଭରସା କରିବାକୁ କୁହାଯାଇଛି।
ତେବେ ଯଦି ପୂର୍ବ ବର୍ଷର ଚିତରକୁ ଦେଖିବା ତେବେ ୨୦୨୫ରେ ରାଜସ୍ଥାନର ମହେଶ କୁମାର AIR-1 ହୋଇଥିଲେ। ସେ ୯୯.୯୯୯୯୫୪୭ ପର୍ସେଣ୍ଟାଇଲ୍ ସ୍କୋର କରିଥିଲେ। ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟପ୍ରଦେଶର ଉତ୍କର୍ଷ ଅୱଧିୟା। ସେହିବର୍ଷ ୨୨.୦୯ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୨.୩୭ ଲକ୍ଷ ଯୋଗ୍ୟତା ହାସଲ କରିଥିଲେ। ଉତ୍ତର ପ୍ରଦେଶ (୧,୭୦,୬୮୪), ମହାରାଷ୍ଟ୍ର (୧,୨୫,୭୨୭), ରାଜସ୍ଥାନ (୧,୧୯,୮୬୫), କର୍ଣ୍ଣାଟକ (୮୩,୫୮୨) ଓ ବିହାର (୮୦,୯୫୪) ସର୍ବାଧିକ ସଫଳ ପ୍ରାର୍ଥୀ ଥିବା ରାଜ୍ୟ ମଧ୍ୟରେ ରହିଥିଲେ।