ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…
ଦୁଇହଜାର ଏକୋଇଶି ମସିହାର ନଭେମ୍ବର ମାସ ନଅ ତାରିଖ । ରାଷ୍ଟ୍ରପତି ଭବନରେ ଚାଲିଥାଏ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ “ ପଦ୍ମ ପୁରସ୍କାର” ପ୍ରଦାନର ବର୍ଣ୍ଣାଢ୍ୟ ମହୋତ୍ସବ । ପଦ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ସବୁ ରାଜ୍ୟର ପ୍ରାର୍ଥୀମାନେ ଏକତ୍ରିତ ହୋଇଥାନ୍ତି ଏକ ବିରାଟ ହଲରେ । ସେମାନଙ୍କ ସମ୍ମୁଖରେ ଏକ ଭବ୍ୟ ମଞ୍ଚ ଉପରେ ଆସୀନ ହୋଇଥାନ୍ତି ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ନିକଟରେ ଥାଆନ୍ତି ଅନ୍ୟାନ୍ୟ ପାରିଷଦଗଣ। ପଦ୍ମ ପୁରସ୍କାର ତାଲିକା ଧରି ଉଦଘୋଷକ ଜଣ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରୁଥାନ୍ତି ଆଉ ସେମାନେ ଜଣ ଜଣ କରି ମଞ୍ଚ ଉପରକୁ ଯାଉଥାନ୍ତି । ମହାମହିମ ରାଷ୍ଟ୍ରପତି ମହୋଦୟ ତାଙ୍କୁ ପଦ୍ମ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରୁଥାଆନ୍ତି । ଏଇ ସମୟରେ ଦେଖାଗଲା ଅଭୂତପୂର୍ବ ଦୃଶ୍ୟ ଟିଏ ।
ଉଦଘୋଷକ ଘୋଷଣା କଲେ “ ମନ୍ଜାମ୍ମା ଯୋଗତୀ, ସଭାପତି କର୍ଣ୍ଣାଟକ ଜନପଦ ଏକାଡେମୀ, ଏବର୍ଷର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇବେ କର୍ଣ୍ଣାଟକ ରାଜ୍ୟର ଲୋକନୃତ୍ଯ କଳା “ ଯୋଗତୀ ନୃତ୍ୟ “ ପାଇଁ । ମୁଁ ସସମ୍ମାନେ ଅନୁରୋଧ କରୁଛି ତାଙ୍କୁ ମଞ୍ଚ ଉପରକୁ ଆସିବା ହେବେ ଏବଂ ମହାମହିମ ରାଷ୍ଟ୍ରପତି ମହୋଦୟଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବେ। ଆସନ୍ତୁ ମାନନୀୟା ମନ୍ଜାମ୍ମା ଯୋଗତୀ ମହୋଦୟା ….
ମଞ୍ଚ ଉପରକୁ ଉଠିଲେ ଜଣେ ଗୌରବର୍ଣ୍ଣା ବୟସ୍କା ଭଦ୍ର ମହିଳା , ଦେହରେ ନାଲି ଧଡିଥିବା ବାଇଗଣୀ ରଙ୍ଗର ପାଟ ଶାଢୀ ଆଉ ତା’ ସହ ମ୍ୟାଚିଂ ଡିଜାଇନର୍ ନାଲି ବ୍ଲାଉଜ୍, ହାତରେ ହାତଭର୍ତ୍ତି ସବୁଜ ରଙ୍ଗର ପାଣି ଚୁଡି ସାଙ୍ଗକୁ, ସୀମାନ୍ତ ଭର୍ତ୍ତି ସିନ୍ଦୁର ଗାର ସହିତ ମଥାରେ ବଡ ସିନ୍ଦୂର ଟୋପାଟି ଖୁବ୍ ସୁନ୍ଦର ମାନୁଥିଲା ତାଙ୍କୁ । ତାଙ୍କ ପାନଖିଆ ନାଲିଓଠରେ ଲାଗି ରହିଥିଲା ଅମୃତମୟ ହସ ଧାରେ । ନୃତ୍ୟ ପଟ୍ଟିୟସୀ ମହିଳା ଜଣକ ମନ୍ଦ୍ର ପଦପାତରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ମହୋଦୟଙ୍କ ସମ୍ମୁଖରେ, ତାଙ୍କର ଲମ୍ବା ପଣତକାନିକୁ ବାମ ହାତରେ ଗୁଡେଇ ଅଗଟିକୁ ଚାମର ଭଳି କରି ତିନି ଥର ଝାଡିଦେଲେ ରାଷ୍ଟ୍ରପତିଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ, ଭୂମିରେ ତିନି ଥର ହାତ ଥାପି ତାଙ୍କର ନଜର ଉତାରିଲେ, ପୁନଶ୍ଚ ଅଣ୍ଟାରୁ ତଳକୁ ନିଜ ମୁଣ୍ଡ ନୁଆଁଇ ଏକ ଅପୂର୍ବ ଭଙ୍ଗୀରେ ତିନି ଥର ପ୍ରଣିପାତ ଜଣାଇଲେ ମହାମହିମ ରାଷ୍ଟ୍ରପତିଙ୍କୁ।
ଟିକିଏ ଆଚମ୍ବିତ ହେଲେ ମଧ୍ୟ ନିଜକୁ ସମ୍ଭାଳି ନେଇ ସହର୍ଷେ ପଦ୍ମଶ୍ରୀ ପଦକ ଟି ମନ୍ଜାମ୍ମାଙ୍କୁ ପିନ୍ଧାଇ ଦେଲେ ମହାମହିମ ରାଷ୍ଟ୍ରପତି। ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଅସଂଖ୍ୟ କ୍ୟାମେରା ଖଚ୍ ଖଚ୍ ଶବ୍ଦରେ କଏଦ୍ କରିନେଲା ସେଇ ଅପୂର୍ବ ଦୃଶ୍ୟକୁ। ଉପସ୍ଥିତ ଦର୍ଶକ ମାନଙ୍କ ସହସ୍ର କରତାଳିରେ କମ୍ପି ଉଠିଲା ସଭାଗୃହ। ସମସ୍ତଙ୍କ ମଧ୍ୟରେ ବିଜୁଳି ଖେଳିଗଲା ଯେମିତି ଏଇ ଚମକପ୍ରଦ ଦୃଶ୍ୟଟି ଦେଖି। ସମସ୍ତେ ହତବାକ୍, ସାରା ବାତାବରଣ ସ୍ତବ୍ଧ ହୋଇଗଲା ଯେମିତି ।
ଏହାଥିଲା ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ମନ୍ଜାମ୍ମା ଯୋଗତୀ ମହୋଦୟାଙ୍କର ସମ୍ମାନ ଏବଂ ଶୁଭେଚ୍ଛା । ସାରା ଦେଶ ପାଇଁ ଥିଲା ଅବିସ୍ମରଣୀୟ ମୁହୂର୍ତ୍ତଟିଏ ! ଦେଶରେ ପ୍ରଥମ ଥର ପାଇଁ ଜଣେ କିନ୍ନରଙ୍କୁ ମିଳୁଥିଲା ସମାଜର ଶ୍ରେଷ୍ଠ ସମ୍ମାନ । ହେଉ ପଛେ ସିଏ ନୃତ୍ୟ କଳା ପାଇଁ, ପ୍ରଥମ ଥର ପାଇଁ ଭାରତର ଜଣେ କିନ୍ନର ଙ୍କୁ ତାଙ୍କର ପ୍ରାପ୍ୟ ଅଧିକାର ତ ମିଳିଲା, ଯାହା ଆଜି ଯାଏଁ ହୋଇପାରି ନଥିଲା ତାହା ଆଜି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ଏବଂ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହୋଦୟଙ୍କ ସରକାରରେ ସମ୍ଭବ ହେଲା, ତାହା ଏକ ସର୍ବକାଳୀନ ମାଇଲ୍ ଖୁଣ୍ଟ ହୋଇ ରହିବ ଭାରତ ଇତିହାସରେ। ଆଗକୁ ରାସ୍ତା ଟିଏ ତିଆରି ହୋଇଗଲା ଗୋଟିଏ ଚିର ଅବହେଳିତ ମାନବଗୋଷ୍ଠୀର ଉନ୍ନତି ପାଇଁ । ଇଏ କମ୍ କଥା ନୁହେଁ । ଏକ ସ୍ୱର୍ଣ୍ଣାଭ ଅଧ୍ୟାୟ ।
ଭାରତର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ “ ପଦ୍ମଶ୍ରୀ” ରେ ସମ୍ମାନିତ ହୋଇଥିବା କର୍ଣ୍ଣାଟକର ଏଇ ଷାଠିଏ ବର୍ଷର ନୃତ୍ୟ ଶିଳ୍ପୀ ଜଣକ ପ୍ରଥମ ତୃତୀୟ ଲିଙ୍ଗୀ ଭାବରେ “କର୍ଣ୍ଣାଟକ ଜନପଦ ଏକାଡେମୀ” ର ସଭାପତି ଭାବେ ଅଧିଷ୍ଠିତ । “ଜୋଗାପ୍ପା” ସମ୍ପ୍ରଦାୟର ଧାର୍ମିକ ନୃତ୍ୟ କଳା, ଜନପଦ ଗୀତି, ଦେବୀ ମାନଙ୍କ ର ପ୍ରିୟ ସୁମଧୁର ଗୀତିକବିତା ଗାୟନ ଇତ୍ୟାଦି ନାନାପ୍ରକାରର କଳାକୁ ଆୟତ୍ତ କରି , ତହିଁରେ ସିଦ୍ଧିପ୍ରାପ୍ତ ହୋଇ ଗୁରୁର ସ୍ଥାନ ଗ୍ରହଣ କରିଛନ୍ତି ସେ। ତାଙ୍କର ଜୀବନ ଯାତ୍ରା ପଥରେ ଅନେକ ବାଧାବିଘ୍ନ ଅତିକ୍ରମ କରି ସେ ଆଜି ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ଆଜି ସାରା ଦେଶରେ , ସମଗ୍ର ମାନବସମାଜରେ ସେ ସମ୍ମାନିତ ହୋଇଛନ୍ତି, ଆଦୃତ ହୋଇଛନ୍ତି କେବଳ ନିଜର ଦୃଢ ଆତ୍ମପ୍ରତ୍ୟୟ ଯୋଗୁଁ । ପଛକୁ ଫେରି ଚାହିଁଲେ ତାଙ୍କୁ ଦିଶିଯାଏ ତାଙ୍କର ଦୁଃଖଦ ଅତୀତ ।
ଆଃ .. କଣ୍ଟାଟିଏ ଫୁଟିଯାଏ ଯେମିତି ହୃଦୟରେ .. ତାଙ୍କ ଆଖି ସଜଳ ହୁଏ ସେ ଅତୀତର ସ୍ମୃତି ଚାରଣରେ….ସେ ବଖାଣି ବସନ୍ତି ତାଙ୍କରି ମୁହଁରେ ତାଙ୍କର ଜୀବନଗାଥା..ତାଙ୍କର ମଞ୍ଜୁନାଥରୁ ମଞ୍ଜାମ୍ମାରେ ପରିବର୍ତ୍ତିତ ହେବାର କରୁଣ କାହାଣୀ …..
କର୍ଣ୍ଣାଟକର ବେଲାରୀ ଜିଲ୍ଲାର ଏକ ନିମ୍ନ ମଧ୍ୟବିତ୍ତ ପରିବାର ର ପୁଅ ହୋଇ ଜନ୍ମ ନେଇଥିଲେ ମଞ୍ଜୁନାଥ ଶେଟ୍ଟୀ । ଅଭାବ ଅନାଟନ ଥିଲେ ମଧ୍ୟ ଭାଇ ଭଉଣୀମାନଙ୍କ ସହିତ ପରିବାରର ସ୍ନେହ ମମତାରେ ଖୁବ୍ ସୁନ୍ଦର ଭାବରେ କଟିଥିଲା ତାଙ୍କର ପିଲାଦିନ । ହେଲେ ଆଦ୍ୟ କୈଶୋରରେ ସେ ଅନୁଭବ କରିଥିଲେ ତାଙ୍କ ଶରୀର ଭିତରେ ଏକ ଅଦ୍ଭୁତ ପରିବର୍ତ୍ତନ। ପୁରୁଷ ପିଲା ହୋଇ ମଧ୍ୟ ନାରୀ ସୁଲଭ ଲକ୍ଷଣ ସବୁ ପ୍ରକାଶ ପାଇଥିଲା ତାଙ୍କ ଭିତରେ, ମାନସିକତାରେ ମଧ୍ୟ ସେ ଶାରୀରିକ ପାଲଟି ଯାଉଥିଲେ ଧୀରେ ଧୀରେ। ତାଙ୍କର ଚାଲିଚଳନ, ଭାବଭଙ୍ଗୀ ଦେଖି ସାଙ୍ଗସାଥୀ, ସାଇପଡିଶା ଟାହିଟାପରା କରୁଥିଲେ। ସେସବୁ ଭଲ ଲାଗୁନଥିଲା ତାଙ୍କ ବାପା,ମାଆ, ଭାଇଭଉଣୀଙ୍କୁ । ସେମାନେ ବାରମ୍ବାର ତାଙ୍କୁ ତାଗିଦ୍ କରୁଥିଲେ.. ” ଜଣେ ନାରୀଭଳି ନୁହେଁ, ପୁରୁଷ ଭଳି ବଞ୍ଚିବାକୁ ହେବ ତୁମକୁ। ଏ ରଙ୍ଗଢଙ୍ଗ ଛାଡ, ତୁମ ପାଇଁ ଆମେ ଲୋକହସା ହେଉଛୁ” ।
ହେଲେ ସେ ନିଜକୁ ମୋଟେ ପୁଅ ବୋଲି ଭାବି ପାରୁନଥିଲେ, ସେମିତି ଭାବନା ଆସୁନଥିଲା କେବେ ତାଙ୍କର । ପରିବାର ର ଚାପରେ ସହମି ଯାଉଥିଲା ତାଙ୍କର କୋମଳ ମନଟି। ଅଦ୍ଭୁତ ଖିଆଲ ସବୁ ମନକୁ ଆସୁଥିଲା। ଘରେ କେହି ନଥିଲାବେଳେ ଲୁଚାଇ ଲୁଚେଇ ମାଆଙ୍କର ଶାଢୀ ନହେଲେ ଭଉଣୀମାନଙ୍କ ପୋଷାକ ପତ୍ର ପିନ୍ଧି ସଜବାଜ ହୋଇ ନିଜକୁ ଆଇନାରେ ଦେଖୁଥିଲେ। ଦିନେ ସେଇ ଅବସ୍ଥାରେ ଧରା ପଡିଗଲେ ବାପାଙ୍କ ଆଖିରେ। ଓଃ.. ସେଦିନ ଯେଉଁ ମାଡ ! ଦଶମ ଶ୍ରେଣୀରେ ପଢୁଥାନ୍ତି ସେ, ବଡଭାଇ ସେଦିନ ସ୍କୁଲରୁ ଫେରି ବାପାଙ୍କୁ ଅନେକ କଥା ଟିହାଇ କହିଲା ତାଙ୍କ ବିରୁଦ୍ଧରେ। ବାପା ଖୁବ୍ ରାଗିଲେ । ସେଦିନ ବାପାଙ୍କ ଆଉ ବଡଭାଇ ଦୁହେଁ ତାଙ୍କୁ ପିଟିପିଟି ଲହୁଲୁହାଣ କରିଦେଇଥିଲେ । ଦୁହେଁ ମିଶି ମାଡ ମାରି ଘରୁ ବାହାରକୁ ତଡିଦେଇ କହିଲେ … “ ଯା’ ବାହାରି ଯା’ ଘରୁ, ତୁ ଆଜିଠାରୁ ଆମ ପାଇଁ ମରିଗଲୁ ଆଉ ଆମେ ତୋ’ପାଇଁ ମରିଗଲୁ ..ଆଜିଠାରୁ ଆଉ ତୋ’ ମୁହଁ ଚାହିଁବୁନି ଆମେ “… ମା’ କବାଟ କଣରେ ଠିଆ ହୋଇ କାନ୍ଦୁଥିଲା, କିଛି ପ୍ରତିବାଦ କରୁନଥିଲା, ହୁଏତ ସାହସ କରି ପାରୁନଥିଲା ପ୍ରତିବାଦ କରିବା ପାଇଁ …।
ପନ୍ଦର ବର୍ଷର ପିଲା ସେ କୁଆଡେ ଅବା ଯାଆନ୍ତେ? ନିଜ ଉପରେ ଖୁବ୍ ରାଗ ଆସିଲା ,ଚାଷକାମ ପାଇଁ ଘରେ ରଖା ଯାଇଥିବା ଦାନାଦାର ଖାଇ ଆତ୍ମହତ୍ୟା କରିଦେବା ପାଇଁ ଚେଷ୍ଟା କରିଥିଲେ । ହଠାତ୍ ତାଙ୍କୁ ଦେଖିପକାଇ ମାଆ କାନ୍ଦି କାନ୍ଦି ଅସ୍ଥିର ହେଲାରୁ ପରିବାରର ସମସ୍ତେ ମିଶି ତାଙ୍କୁ ନେଇ ଯାଇଥିଲେ ଡାକ୍ତରଙ୍କ ପାଖକୁ ।
ଅନେକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେ।କିଛିଦିନ ପରେ ପୁଣି ତାଙ୍କୁ ଘର ନିକଟସ୍ଥ ଏକ ଦେବୀ ମନ୍ଦିରକୁ ନିଆଯାଇଥିଲା ମନ୍ତ୍ରତନ୍ତ୍ର କରି ତା’ର ମନ ପରିବର୍ତ୍ତନ କରିବା ଲାଗି। ସେଠାରେ ଥିବା ମନ୍ଦିର ର ପୂଜାରୀ ସେମାନଙ୍କୁ ବୁଝାଇ କହିଲେ ଯେ ପିଲାଟି ଦେବୀଙ୍କର ଅଂଶରେ ଜନ୍ମ ନେଇଛି , ତା’ଉପରେ ଦୈବୀକୃପା ଅଛି। ତା’କୁ ଛାଡିଦିଅ ସେମିତି ନାରୀ ବେଶ ଧରି ବଞ୍ଚି ରହିବା ପାଇଁ । ସେଇଠୁ ପରିବାରର ଲୋକେ ତାଙ୍କୁ ନେଇ ଯାଇଥିଲେ ହସପେଟ୍ ସ୍ଥିତ ” ହୁଲିଗୈ ଆମ୍ମା”ଙ୍କ ମନ୍ଦିରକୁ। ସେଠାରେ ତାଙ୍କ ହାବଭାବ ଦେଖି ତାଙ୍କୁ ” ଯୋଗାପ୍ପା “ କରି ଉତ୍ସର୍ଗ କରି ଦେବା ପାଇଁ ହୁକୁମ୍ ଦିଆ ଯାଇଥିଲା ।
“ଯୋଗାପ୍ପା” ଭାରତରେ ଦେବଦାସୀ ଭଳି ଏକ ଧାର୍ମିକ ପ୍ରଥା । ସେହି ପ୍ରଥା ଅନୁଯାୟୀ “ଯୋଗାପ୍ପା” ମାନେ କୌଣସି ଦେବ ଦେବୀଙ୍କୁ ବିବାହ କରି, ସାରା ଜୀବନ ତାଙ୍କରି ସେବାରେ କଟାଇଥାଆନ୍ତି। ନିଜ ଘରକୁ ସାରା ଜୀବନ ପାଇଁ ପରିତ୍ୟାଗ କରିବାକୁ ପଡିଥାଏ “ଯୋଗାପ୍ପା” ଙ୍କୁ । “ଯୋଗାପ୍ପା” ଟିଏ ହୋଇ ମଞ୍ଜୁନାଥଙ୍କୁ ସେମିତି ବିବାହ କରିବାକୁ ପଡିଥିଲା ଦେବୀ “ ରେଣୁକା ୟେଲ୍ଲାମ୍ମା “ ଙ୍କୁ । ସେ ମଞ୍ଜୁନାଥରୁ ମନ୍ଜାମ୍ମା ହେଲେ। ପ୍ୟାଣ୍ଟ ସାର୍ଟ ଛାଡି ଶାଢୀ ପିନ୍ଧିଲେ। ସେହି ପ୍ରଥାରେ ତାଙ୍କୁ ନିଜ ଘରୁ ଚିରଦିନ ପାଇଁ ନିର୍ବାସିତ କରି ଅନ୍ୟମାନଙ୍କର ସେବା କରିବା ପାଇଁ ଛାଡି ଦିଆଯାଇଥିଲା ରାଜରାସ୍ତାରେ। ସେ ଟାଣି ହୋଇଯାଇଥିଲେ ଦୁଃଖ ର କୃଷ୍ଣଗର୍ତ୍ତ ଭିତରକୁ ।
ଏହି ସମୟରେ ଅନେକ ଦୁଃଖ କଷ୍ଟ ଭୋଗିବାକୁ ପଡିଥିଲା ତାଙ୍କୁ ।ଦୈନନ୍ଦିନ ଜୀବନରେ ଖାଦ୍ୟ ବସ୍ତ୍ରର ଅଭାବରୁ ଭିକ୍ଷାବୃତ୍ତିକୁ ମଧ୍ୟ ଆପଣେଇବାକୁ ପଡିଥିଲା।ସାମାଜିକ ବାସନ୍ଦ ଏବଂ ଯୌନ ନିର୍ଯ୍ୟାତନା ମଧ୍ୟ ସହିବାକୁ ପଡିଥିଲା ତାଙ୍କୁ । ସେମିତି ଦାରୁଣ ଦୁର୍ଦ୍ଦଶାରେ ଦିନ ବିତାଉଥିବା ବେଳେ ତାଙ୍କର ସାକ୍ଷାତ ହୋଇଥିଲା ଶ୍ରୀ ମାଟ୍ଟିକାଲ୍ ବସାପ୍ପାଙ୍କ ସହିତ । ମାଟ୍ଟିକାଲ୍ ବସାପ୍ପା ଥିଲେ ଜଣେ ଲୋକ ନୃତ୍ୟଶିଳ୍ପୀ। ତାଙ୍କରି ପାଖରୁ ଶିଖିଲେ ସିଏ ଯୋଗତୀ ଲୋକନୃତ୍ୟ । ସେଇଠି ମଧ୍ୟ ତାଙ୍କର ଭେଟ ହୋଇଥିଲେ ପ୍ରସିଦ୍ଧ ଯୋଗତୀ ନୃତ୍ୟ ଶିଳ୍ପୀ “ କଲ୍ଲାଇଭା ଯୋଗତୀ “।
ମଣି କାଞ୍ଚନର ସଂଯୋଗ ହେଲା ଭଳି ବଦଳି ଯାଇଥିଲା ତାଙ୍କର ଜୀବନର ଚଲାପଥ। “ କଲ୍ଲାଇଭା ଯୋଗତୀ” ପରଶମଣି ହୋଇ କୋଇଲା ଖଣ୍ଡେକୁ ହୀରାରେ ପରିବର୍ତ୍ତିତ କରିଦେଲେ। ଅସହାୟ ମନ୍ଜାମା ଧୀରେ ଧୀରେ ଗଢି ହୋଇଥିଲେ ଯୋଗତୀ ନୃତ୍ୟ ବିଶାରଦା ଭାବରେ । ଯୋଗତୀ ନୃତ୍ୟ ରେ ପାରଦର୍ଶିତା ଲାଭ କରି “ କଲ୍ଲାଇଭା ଯୋଗତୀ” ଙ୍କର ମୃତ୍ୟୁ ପରେ ସେ ହୋଇଥିଲେ ତାଙ୍କ ନାଟ ଦଳ ର ମୁଖ୍ୟ ଏବଂ ସେହି ଲୋକନୃତ୍ୟ ଶୈଳୀ କୁ ଦେଶ ବିଦେଶରେ ପ୍ରଚାରିତ ପ୍ରସାରିତ କରିବାରେ ଲାଗିପଡିଥିଲେ । ତାଙ୍କର ଏ ଦୀର୍ଘ ଦିନର ସାଧନା ଆଜି ସ୍ୱର୍ଣ୍ଣପ୍ରସୂ ହୋଇଛି। ସାରା ସଂସାରର ଦୃଷ୍ଟି ଆକର୍ଷଣ କରିଛି କର୍ଣ୍ଣାଟକର ଯୋଗତୀ ଲୋକନୃତ୍ୟ ।
ପ୍ରଥମେ ଦୁଇହଜାର ଛଅ ମସିହାରେ ମନ୍ଜାମ୍ମା ଙ୍କୁ “କର୍ଣ୍ଣାଟକ ଜନପଦ ଏକାଡେମୀ” ପୁରସ୍କାରରେ ସମ୍ମାନିତ କରା ଯାଇଥିଲା ଏବଂ ଦୁଇ ହଜାର ଦଶ ମସିହାରେ ସେ “ କର୍ଣ୍ଣାଟକ ରାଜ୍ୟୋତ୍ସବ ସମ୍ମାନ “ ରେ ସମ୍ମାନିତ ହୋଇଥିଲେ।ଊଣେଇଶହ ଅଣାଅଶୀ ମସିହାରୁ “କର୍ଣ୍ଣାଟକ ଜନପଦ ଏକାଡେମୀ” ଗଠିତ ହୋଇଥିଲେ ମଧ୍ୟ ଏଯାବତ୍ କେବଳ ପୁରୁଷ ମାନେ ହିଁ ଏହାର ସଭାପତି ଆସନ ଅଳଙ୍କୃତ କରି ଆସୁଥିଲେ, ଆଜି ନିଜର ଦୃଢ଼ ଇଚ୍ଛା ଶକ୍ତି ଏବଂ ଶ୍ରେଷ୍ଠ ପ୍ରଦର୍ଶନ ବଳରେ ମନ୍ଜାମ୍ମା ସେହି ସମ୍ମାନାଷ୍ପଦ ସଂସ୍ଥା କର୍ଣ୍ଣାଟକ ଜନପଦ ଏକାଡେମୀର ପ୍ରଥମ ତୃତୀୟଲିଙ୍ଗୀ ସଭାପତି ହୋଇ ପାରିଛନ୍ତି।
ମନ୍ଜାମ୍ମାଙ୍କର ଆତ୍ମଜୀବନୀ “ ନାଡୁବେ ସୁଲିୱା ହେନ୍ନୁ” ଯେଉଁଥିରେ ତାଙ୍କ ତୃତୀୟ ଲିଙ୍ଗୀ ଜୀବନର କରୁଣ କାହାଣୀ ସହିତ ଯୋଗତୀ ଲୋକନୃତ୍ୟ ଶୈଳୀର ଅନେକ ଦିଗଦର୍ଶନ ରହିଛି ଯାହା କର୍ଣ୍ଣାଟକର ସମସ୍ତଙ୍କର ପ୍ରିୟଭାଜନ ହୋଇଛି । ତାହା କର୍ଣ୍ଣାଟକର ହାବେରୀ ଜିଲ୍ଲା ସ୍କୁଲ୍ ଏବଂ କର୍ଣ୍ଣାଟକ ରାଜ୍ୟର ଅକ୍କା ମହିଳା ବିଶ୍ଵବିଦ୍ୟାଳୟ , କର୍ଣ୍ଣାଟକ ଲୋକ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମରେ ସଂଯୁକ୍ତ କରାଯାଇଛି। ମନ୍ଜାମ୍ମାଙ୍କ ଆତ୍ମ ଜୀବନୀର ସାରାଂଶକୁ ନେଇ ଶହେ ପୃଷ୍ଠାର ଏକ ନିବନ୍ଧ ପ୍ରସ୍ତୁତ ହୋଇଛି ଯାହା ଅଧୁନା ଗୁଲବର୍ଗ ବିଶ୍ୱବିଦ୍ୟାଳୟର ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ପାଠ୍ୟକ୍ରମରେ ସଂଯୁକ୍ତ ହୋଇଛି ତିନି ବର୍ଷ ହେବ। ଏହିପରି ମନ୍ଜାମ୍ମା ସବୁରି ହୃଦୟରେ ଶ୍ରଦ୍ଧା ଓ ସମ୍ମାନର ସ୍ଥାନଟିଏ ଦଖଲ କରି ସାରିଛନ୍ତି ତାଙ୍କ ନିଜସ୍ୱ ଶୈଳୀରେ। ମନ୍ଜାମ୍ମାଙ୍କର ନିରବଚ୍ଛିନ୍ନ ସାଧନା ବଦଳାଇ ଦେଇଛି ଦୀନହୀନ ମନ୍ଜାମ୍ମାଙ୍କର ପରିଚୟ, ଖାଲି ତାଙ୍କର କାହିଁକି ତାଙ୍କ ଭଳି ଅନେକଙ୍କର ଜୀବନରେ ନୂତନ ଆଶା ଆଉ ଉଦ୍ଦୀପନାର ଆଲୋକ ବର୍ତ୍ତିକା ସାଜିଛନ୍ତି ମନ୍ଜାମ୍ମା ।
ଭାରତବର୍ଷର ମହାମହିମ ରାଷ୍ଟ୍ରପତି ମହୋଦୟ ଙ୍କ ସ୍ୱୀକୃତି, ସମ୍ମାନ ମିଳିବା ପରେ ଆଉ କ’ଣ ଚାହୁଁଛନ୍ତି ବୋଲି ଅନେକଙ୍କ ପ୍ରଶ୍ନ ରେ ମନ୍ଜାମ୍ମା କୁହନ୍ତି “ ଆମେ ତୃତୀୟ ଲିଙ୍ଗୀ ମଣିଷମାନେ ଆପଣମାନଙ୍କ ଭଳି ସମାଜର ଏକ ଅଙ୍ଗ ,ଏଇ ସମାଜରେ ସାଧାରଣ ମଣିଷ ଭଳି ମଣିଷ ହୋଇ ବଞ୍ଚି ରହିବାକୁ ଚାହୁଁ, ଆଶାକରେ ସରକାର ଆମମାନଙ୍କର ନ୍ୟାର୍ଯ୍ୟ ଅଧିକାର ନିଶ୍ଚୟ ଦିନେ ପ୍ରଦାନ କରିବେ ଆମକୁ , କେବଳ ଏତିକି ଚାହେଁ ।”
Comments are closed.