Latest Odisha News

BREAKING NEWS

ଡାକ୍ତର ଲଗାଇଦେଲେ ଯୁବକଙ୍କ ଓଲଟା ଗୋଡ଼: ଚାଲିବାରେ ହେଉଛି ଅସୁବିଧା

ଇଂଲଣ୍ଡ: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । କାରଣ ଡାକ୍ତରମାନେ ପୃଥିବୀରେ ଲୋକଙ୍କୁ ଉଦ୍ଧାର କରନ୍ତି । ଆପଣ ଅନେକ ଡାକ୍ତରଙ୍କ ଚମତ୍କାରିତା ବିଷୟରେ ଶୁଣିଥିବେ ନିଶ୍ଚୟ । କିନ୍ତୁ ଜଣେ ଡ଼ାକ୍ତରଙ୍କ ଟିକେ ଅବହେଳାରୁ ଏମିତି କିଛି କରିଦେଲେ,ଯାହାଦ୍ୱାରା ଜଣେ ଯୁବକ ଠିକ୍ ଭାବେ ଚାଲି ପାରୁନାହାନ୍ତି ।

ଇଂଲଣ୍ଡରେ ରହୁଥିବା ୨୨ ବର୍ଷୀୟ ଇବ୍ରାହିମ ଅବଦୁଲାରୁଫା ନାମକ ଜଣେ ଯୁବକ ଭଲ ଫୁଟବଲ ଖେଳନ୍ତି । ଦିନେ ଫୁଟବଲ ଖେଳୁଥିବା ବେଳେ ପଡ଼ିଯିବାରୁ ଗୁରୁତର ଆହତ ହୋଇଥିଲେ । ଯେତେବେଳେ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଇଥିଲା, ସେତେବେଳେ ତାଙ୍କର ଅସ୍ଥି କର୍କଟ ହୋଇଥିବା ଜଣାପଡିଲା । ଇବ୍ରାହିମଙ୍କ ଗୋଡ଼କୁ ମଝିରୁ କାଟି ଅପରେସନ କରିବାକୁ ପଡ଼ିବ ବୋଲି ଡ଼ାକ୍ତରମାନେ ପରାମର୍ଶ ଦେଇଥିଲେ । ଇବ୍ରାହିମ୍‌ଙ୍କ ପରିବାର ଲୋକେ କୌଣସି ଉପାୟ ନ ପାଇ ଅପରେସନ କରିବାକୁ ରାଜି ହୋଇଗଲେ ।

ପରେ ଡାକ୍ତରମାନେ ଅପରେସନ କରି ତାଙ୍କ ଗୋଡକୁ ମଝିରୁ କାଟି ତଳ ଅଂଶକୁ ସଂଯୋଗ କରିଦେଲେ । କିନ୍ତୁ ଅପରେସନ ସମୟରେ ଟିକେ ଅସାବଧାନତା ଯୋଗୁଁ ଡ଼ାକ୍ତରମାନେ ଗୋଡ଼କୁ ଓଲଟା କରି ଯୋଡ଼ିଦେଲେ । ଅସ୍ତ୍ରୋପଚାର ପରେ ଇବ୍ରାହିମଙ୍କ ଜୀବନ ବଞ୍ôଚଗଲା ସତ, କିନ୍ତୁ ତାଙ୍କୁ ଓଲଟା ପାଦରେ ଚାଲିବାକୁ ପଡିଲା । ଯେତେବେଳେ ଏହି ଅସ୍ତ୍ରୋପଚାର କରାଯାଇଥିଲା, ସେତେବେଳେ ଇବ୍ରାହିମଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା । ଏବେ ସେ ଓଲଟା ପାଦ ବିଶିଷ୍ଟ ବ୍ୟକ୍ତି ଭାବରେ ଜଣାଶୁଣା ।

ଇବ୍ରାହିମ କହିଛନ୍ତି ଯେ, ଅସ୍ତ୍ରୋପଚାର ପରେ ଯେତେବେଳେ ବ୍ୟାଣ୍ଡେଜ୍ ଖୋଲାଗଲା ସେତେବେଳେ ସେ ନିଜ ଗୋଡ଼କୁ ଦେଖି ବ୍ୟସ୍ତ ହୋଇପଡ଼ିଲେ । କାରଣ ତାଙ୍କ ଗୋଡ଼କୁ ଡ଼ାକ୍ତରମାନେ ଓଲଟା ଲଗାଇ ଦେଇଥିଲେ । ସେ ନିଜକୁ ଭୂତ ବୋଲି ଭାବିବାକୁ ଲାଗିଲେ । ପ୍ରଥମେ ପ୍ରଥମେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା । ଏବେ ବି ଅସୁବିଧା ହେଉଛି । କିନ୍ତୁ ଏହା ଅଭ୍ୟାସରେ ପଡ଼ିଗଲାଣି । ତେବେ ତାଙ୍କ ନିଜ ଜୀବନ ରକ୍ଷା କରିଥିବାରୁ ଡାକ୍ତରମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.