କାଠମାଣ୍ଡୁ: ପଡ଼ୋଶୀ ରାଷ୍ଟ୍ର ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟ ଏବେ ଚରମ ବିଭୀଷିକା ସୃଷ୍ଟି କରିଛି । ରବିବାର ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮୮ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ପ୍ରାୟ ୨,୫୦୨ ଜଣ ନିଖୋଜ ରହିଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ମଧ୍ୟ ପ୍ରଭାବିତ ୮ଟି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜାରି ରହିଛି ।
ସୂଚନା ଅନୁଯାୟୀ, ନେପାଳ-ତିବ୍ଦତ ସୀମାନ୍ତ ନିକଟରେ ଏକ ବିରାଟ ଗ୍ଲେସିୟର୍ ହଠାତ୍ ଭୁଶୁଡ଼ି ପଡ଼ିବା ଫଳରେ ଏହି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ବରଫ, ପଥର, କାଦୁଅ ଏବଂ ପାଣିର ଏକ ପ୍ରଚଣ୍ଡ ତୋଡ଼ ପାହାଡ଼ ଉପରୁ ଦ୍ରୁତ ଗତିରେ ତଳକୁ ମାଡ଼ି ଆସିଥିଲା । ଏହି ଆକସ୍ମିକ ସ୍ରୋତ ଉତ୍ତର ଓ ମଧ୍ୟ ନେପାଳର ଅନେକ ସହର ତଥା ଶତାଧିକ ଗାଁକୁ ନିମିଷକ ମଧ୍ୟରେ ନିଜ କବଳକୁ ନେଇଯାଇଥିଲା। ବନ୍ୟାର ପ୍ରଳୟଙ୍କରୀ ପ୍ରବାହ ଯୋଗୁଁ ରାସ୍ତାଘାଟ, ସେତୁ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଧ୍ୱଂସପ୍ରାପ୍ତ ହୋଇଛି ଏବଂ ନଦୀ ତଟବର୍ତ୍ତୀ ଅନେକ ଜଳବିଦ୍ୟୁତ୍ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଭାସିଯାଇଛି ।
ବିଭିନ୍ନ ଅଞ୍ଚଳରୁ ଭଗ୍ନାବଶେଷ ତଳୁ କ୍ରମାଗତ ଭାବେ ମୃତଦେହ ଉଦ୍ଧାର କରାଯାଉଥିବା ବେଳେ ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ରିଲିଫ୍ ଓ ରେସକ୍ୟୁ ଟିମ୍ ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଏହାରି ଭିତରେ ନେପାଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏକ ନୂଆ ସତର୍କବାଣୀ ଜାରି କରାଯାଇଛି । ହିମାଳୟ ସୀମାନ୍ତରୁ ଦକ୍ଷିଣ ଆଡ଼କୁ ପ୍ରବାହିତ ହେଉଥିବା ଭୋଟେକୋଶୀ ନଦୀର ଜଳସ୍ତର ପୁଣି ଥରେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୬ ତାରିଖରେ ଏହି ଭୋଟେକୋଶୀ ନଦୀ ଦେଇ ହିଁ ବନ୍ୟା ଜଳ ମାଡ଼ିଆସି ସର୍ବାଧିକ ତାଣ୍ଡବ ରଚିଥିଲା। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।


Comments are closed.