କାଠମାଣ୍ଡୁ: ନେପାଳ ଓ ତିବ୍ବତ ସୀମାରେ ଥିବା ଗ୍ଲେସିୟର ଫାଟିବା ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକୃତିର ଏହି ପ୍ରଳୟଙ୍କରୀ ତାଣ୍ଡବରେ ଏଯାବତ୍ ୬୨୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪୦୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ତ୍ୱରିତ ତଥା ନିଃସ୍ୱାର୍ଥପର ସହାୟତା ପାଇଁ ନେପାଳ ସରକାର ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ନେପାଳର ଅର୍ଥମନ୍ତ୍ରୀ ସ୍ୱର୍ଣ୍ଣିମ ୱାଗ୍ଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅତ୍ୟନ୍ତ ଉଦାର’ ବୋଲି ବର୍ଣ୍ଣନା କରିବା ସହ ଭାରତକୁ ଏକ ପ୍ରକୃତ ବିପଦର ବନ୍ଧୁ ଆଖ୍ୟା ଦେଇଛନ୍ତି ।
ହିମସ୍ଖଳନ ଏବଂ ବନ୍ୟା କାରଣରୁ ମଧ୍ୟ-ନେପାଳର ଅନେକ ଗାଁ, ରାସ୍ତାଘାଟ, ସେତୁ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦିନରାତି ଏକ କରିଦେଇଛନ୍ତି । ନେପାଳ ସରକାରଙ୍କ ଅନୁରୋଧ କ୍ରମେ ସହାୟତାର ହାତ ବଢ଼ାଇ ନୂଆଦିଲ୍ଲୀ ତୁରନ୍ତ ୫୭.୬ ଟନ୍ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଇଛି । ଏହାବ୍ୟତୀତ, କ୍ଷତିଗ୍ରସ୍ତ ହୋଇଥିବା ହାଇଡ୍ରୋପାୱାର୍ ଟନେଲ୍ ଭିତରେ ଫସି ରହିଥିବା ଶ୍ରମିକ ଓ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ଏକ ୧୧ ଜଣିଆ ବିଶେଷଜ୍ଞ ଦଳ ନେପାଳରେ ପହଞ୍ଚିଛନ୍ତି । ଏହି ଟିମ୍ରେ ଅଭିଜ୍ଞ ଡାକ୍ତର ଏବଂ ଟନେଲ୍ ଉଦ୍ଧାର କାର୍ଯ୍ୟରେ ପାରଦର୍ଶିତା ଲାଭ କରିଥିବା ବିଶେଷଜ୍ଞମାନେ ସାମିଲ ଅଛନ୍ତି ।
ବିପର୍ଯ୍ୟୟ ପରିଚାଳନା ଏବଂ ଉଦ୍ଧାର କାର୍ଯ୍ୟର ସବିଶେଷ ସୂଚନା ଦେଇ ଅର୍ଥମନ୍ତ୍ରୀ ୱାଗ୍ଲେ କହିଛନ୍ତି ଯେ, ପ୍ରାଥମିକତା ଭିତ୍ତିରେ କେବଳ ଲୋକଙ୍କ ଜୀବନ ବଞ୍ଚାଇବା ଦିଗରେ କାର୍ଯ୍ୟ ଚାଲିଛି । ନେପାଳ ସେନା ହେଲିକପ୍ଟର ଯୋଗେ ବର୍ତ୍ତମାନ ସୁଦ୍ଧା ୧,୯୩୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିସାରିଲେଣି। ଧୁଞ୍ଚେ, ରସୁୱା ଏବଂ ସ୍ୟାଫ୍ରୁ ବେସି ଭଳି ଯୋଗାଯୋଗ ବିଚ୍ଛିନ୍ନ ଅଞ୍ଚଳକୁ କେବଳ ଆକାଶମାର୍ଗରୁ ହିଁ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ବାସହରା ଲୋକଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ ଏବଂ ପରିଶେଷରେ ଭିତ୍ତିଭୂମିର ପୁନର୍ନିର୍ମାଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଅତୀତର ସ୍ମୃତି ଚାରଣ କରି ସ୍ୱର୍ଣ୍ଣିମ ୱାଗ୍ଲେ କହିଛନ୍ତି ଯେ, “୨୦୧୫ ମସିହାରେ ଆସିଥିବା ଭୟାବହ ଭୂମିକମ୍ପ ସମୟରେ ମଧ୍ୟ ଭାରତର ସହାୟତା ଅତୁଳନୀୟ ଥିଲା । ସେତେବେଳେ ମଧ୍ୟ ମୁଁ ସରକାରରେ ଥିଲି ଏବଂ ଦେଖିଥିଲି ଯେ ଭାରତ ସରକାର ତଥା ପିଏମ୍ ମୋଦୀଙ୍କ ମନୋଭାବ ସବୁବେଳେ ସକାରାତ୍ମକ ରହିଆସିଛି।” ଆଗାମୀ ଦିନରେ ବିପର୍ଯ୍ୟସ୍ତ ଭିତ୍ତିଭୂମିର ବିକାଶ ଓ ନିର୍ମାଣ କାର୍ଯ୍ୟରେ ଭାରତ ନେପାଳକୁ ବ୍ୟାପକ ସହଯୋଗ ପ୍ରଦାନ କରିବ ବୋଲି ନେପାଳ ସରକାର ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

