ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ସ୍ମୃତିରେ କଟକ ସହର

“ଗତ ଶତାବ୍ଦୀର ଅଶି ଦଶକରେ ମୋ ବାପା ଜାନକୀନାଥ ବୋଷ କଟକରେ ନିଜକୁ ଜଣେ ଓକିଲ ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇଠି ୨୩ ଜାନୁଆରୀ, ୧୮୯୭ରେ ମୋର ଜନ୍ମ। ମୋ ବାପା ମହୀନଗର ସ୍ଥିତ ବୋଷ ପରିବାରର ବଂଶଧର। ,ମା ପ୍ରଭାବତୀ ହାଟଖୋଲା ଦତ୍ତ ପରିବାରର ଝିଅ। ମୁଁ ମୋ ବାପାଙ୍କର ଷଷ୍ଠ ସନ୍ତାନ ଓ ଭାଇ ଭଉଣୀଙ୍କ ଭିତରେ ମୁଁ ନବମ।“ ନିଜ ଆତ୍ମଜୀବନୀ “ଆନ ଇଣ୍ଡିଆନ ପିଲଗ୍ରିମ” ରେ ନିଜକୁ ଏମିତି ପରିଚିତ କରାନ୍ତି ଭାରତୀୟ ମୁକ୍ତି ଆଂଦୋଳନର ମହାନାୟକ ନେତାଜୀ ସୁଭାଷଚନ୍ଦ୍ର ବୋଷ। ଭାରତର ସ୍ଵାଧୀନତା ଆନ୍ଦୋଳନରେ ସେ ଅପରାଜେୟ ସେନାପତି। ସ୍ବାଧିନତାର ଏହି ମହାନାୟକଙ୍କର ଜନ୍ମ ଓ ଜୀବନ ଆମ ଲାଗି କ୍ରାନ୍ତିର ଦିବସ। ହେଲେ ତାଙ୍କର ମୃତ୍ୟୁ ଅଜ୍ଞାତ। ତାଙ୍କର ମରଣ ଇ ନାହିଁ। ନେତାଜୀଙ୍କ ଜୀବନକୁ ନେଇ ବହୁ ବୀରତ୍ବର କାହାଣୀ ରହିଛି। ସେମିତି ତାଙ୍କ ମୃତ୍ୟୁକୁ ନେଇ ମଧ୍ୟ ଅନେକ ରହସ୍ୟ। ତେବେ ସବୁଠୁ ବଡ ସତ୍ୟ ହେଉଛି, ନେତାଜୀଙ୍କର ମୃତ୍ୟୁ ବୋଲି କିଛି ନାଇଁ। ସେ ଭାରତୀୟ ଜୀବନର ସବୁଠୁ ଉଜ୍ଜଳତମ ସଂଗ୍ରାମୀ। ନେତାଜୀଙ୍କ ଜନ୍ମ ଓଡିଶାର କଟକ ସହରରେ। ସେ ଜନ୍ମରେ ଓଡିଆ, ପିତୃ ପରିଚୟରେ ବଙ୍ଗାଳୀ, ସଂଗ୍ରାମୀ ଭାବରେ ଭାରତୀୟ, କିନ୍ତୁ ଆଦର୍ଶ ଓ ବିଚାରରେ ପୃଥିବୀର ମହାମାନବ। ତାଙ୍କର ଦୁଇ ଆଦର୍ଶ ପୁରୁଷ ମହାତ୍ମା ଗାନ୍ଧୀ ଓ ଗୁରୁଦେବ ରବୀନ୍ଦ୍ରନାଥଙ୍କର ସେ ପଟ୍ଟଶିଷ୍ୟ। “ମହାମାନବର ସାଗର ତୀରେ” ସେ ମୁକ୍ତିର ମହାନାୟକ।

ଆଜି ନେତାଜୀଙ୍କର ୧୨୫ତମ ଜୟନ୍ତୀ। ନେତାଜୀଙ୍କ ଜୀବନରୁ କଟକକୁ ଅଲଗା କରିହେବ ନାହିଁ। ସେତେବେଳେ କଲିକତାରୁ କଟକ ଆସିବା କଥାକୁ ନେତାଜୀ ବଡ ଚମତ୍କାର ଭାଷାରେ ବର୍ଣ୍ଣନା କରିଛନ୍ତି। “ରେଳ ଯୋଗାଯୋଗ ନଥିବା ସେ ସମୟରେ ଓଡିଶା ଆସିବାକୁ କେବଳ ଶଗଡ ଥିଲା ଏକମାତ୍ର ବାହନ। ତେବେ ଶଗଡରେ ଆସିଲେ, ଡକାୟତଙ୍କ ହାବୁଡରେ ପଡିବା ଥୟ। ସେହି ସମୟରେ ଏକମାତ୍ର ସୁରକ୍ଷିତ ମାର୍ଗ ଥିଲା ଜଳପଥ। ସମୁଦ୍ର ବାଟ ଦେଇ ଚାନ୍ଦବାଲି ରେ ପହଞ୍ଚିଲା ପରେ, ସେଠାରୁ ଷ୍ଟିମର ଯୋଗେ ବିଭିନ୍ନ ନଦୀ ଓ କେନାଲ ବାଟ ଦେଇ କଟକରେ ପହଞ୍ଚି ହେଉଥିଲା।“

ନେତାଜୀଙ୍କ କଟକ ଥିଲା କୋଡିଏ ହଜାର ଲୋକଙ୍କର ଏକ ଛୋଟିଆ ସହର। ଓଡିଶାର ରାଜଧାନୀ ଓ ଇତିହାସର ଏକ ଉଜ୍ଜଳ ସହର ଭାବରେ ସେ କଟକକୁ ଦେଖିଛନ୍ତି। ୧୯୦୨ ମସିହାରେ ପ୍ରଥମ ଥର ଲାଗି ସ୍କୁଲକୁ ଯିବା ପାଇଁ ବାହାରିବା ବେଳେ ସେ ଝୁଣ୍ଟି ପଡି ରକ୍ତାକ୍ତ ହୋଇଛନ୍ତି ଓ ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ବନ୍ଧା ହୋଇଛି। କଟକ ମିଶନ ସ୍କୁଲରେ ପଢିଲା ବେଳେ ନେତାଜୀଙ୍କୁ ଯେଉଁ କଥାଟି ବେଶୀ ବାଧିଥିଲା, ତା ହେଉଛି, ସେଠାରେ ୟୁରୋପ ବିଷୟରେ ଯେତିକି ପଢା ହେଉଥିଲା, ତାର ଟିକେ ବି ଭାରତ ବିଷୟରେ ନଥିଲା। ସଙ୍ଗୀତ ପାଇଁ ନିଜ କାନକୁ “ସା ରେ ଗା ମା ପା” ବଦଳରେ ପାଶ୍ଚାତ୍ୟ ସଙ୍ଗୀତର “ଡୋ ରେ ମି ଫା” ପାଇଁ ପ୍ରସ୍ତୁତ କରିବାକୁ ହେଉଥିଲା।

ମିଶନ ସ୍କୁଲ ରୁ ୧୯୦୯ ରେ ନେତାଜୀ ଆସନ୍ତି ରେଭେନ୍ସା କଲେଜିଏଟ ସ୍କୁଲକୁ। ମିଶନ ସ୍କୁଲର ଇଂରାଜୀ ପରିବେଶରୁ ମୁକୁଳି ଏଇ ନୂଆ ସ୍କୁଲରେ ତାଙ୍କର ପ୍ରଥମ ଦିନର ଅନୁଭବ ଥିଲା ବଡ ବିଚିତ୍ର। ସେଦିନ ପ୍ରଥମେ ତାଙ୍କୁ “ଗାଈ ବିଷୟରେ ଏକ ରଚନା” ଲେଖିବାକୁ କୁହା ଯାଇଥିଲା। ଚତୁର୍ଥ ଶ୍ରେଣୀରେ ପଢୁଥିବା ସୁଭାଷଙ୍କ ପାଇଁ ତାହା ଥିଲା ସବୁଠୁ ହାସ୍ୟାସ୍ପଦ ଅନୁଭବ। ତାଙ୍କ ସ୍କୁଲରେ ଉଭୟ ବଙ୍ଗାଳୀ ଓ ଓଡିଆ ଶିକ୍ଷକ ଥିଲେ। ସେମାନଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ନେତାଜୀ ଲେଖିଛନ୍ତି। ତେବେ ଏହି ସମୟ ବି ଥିଲା ଓଡିଆ ଜାତୀୟତା ବିକାଶର ସମୟ। ଓଡିଆ ଜାତୀୟତାକୁ ବଙ୍ଗଳାର ବିରୋଧୀ ବୋଲି ଆମର ଅନେକ ଐତିହାସିକ କହିଥାନ୍ତି। ସୁଭାଷଚନ୍ଦ୍ର ବୋଷ ତାଙ୍କ ଆତ୍ମଜୀବନୀରେ କିନ୍ତୁ ବଙ୍ଗାଳୀ ଓ ଓଡିଆଙ୍କ ଭିତରେ ସହାବସ୍ଥାନର କଥା ବାରମ୍ବାର କହିଛନ୍ତି।

ସ୍କୁଲ ଶିକ୍ଷକମାନଙ୍କ ଭିତରେ ବାବୁ ବେନିମାଧବ ଦାସଙ୍କର ବ୍ୟକ୍ତିତ୍ବ ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା। ବେନିମାଧବ ଦାସଙ୍କୁ ଦେଖିବା କ୍ଷଣି ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବରେ ସେ ପ୍ରଭାବିତ ହୋଇଥିଲେ। ସ୍ଵାମୀ ବିବେକାନନ୍ଦଙ୍କ ସହ ଦେଖା ହେବା ପୂର୍ବରୁ ଶିକ୍ଷକ ବେନିମାଧବ ଦାସ ଥିଲେ ନେତାଜୀଙ୍କର ଆଦର୍ଶ।

ପରବର୍ତ୍ତୀ ଜୀବନରେ ଯେଉଁ ଦୁର୍ଦ୍ଦର୍ଷ ଓ ଅନମନୀୟ ସଂଗ୍ରାମୀଙ୍କୁ ଆମେ ନେତାଜୀଙ୍କ ଭିତରେ ଦେଖିଛୁ, ତାର ଅଙ୍କୁର କଟକ ସହରରେ ଉଠିଥିଲା। କଟକ ସହର ଓ ରେଭେନ୍ଶା କଲେଜିଏଟ ସ୍କୁଲ ତାଙ୍କ ସଂଗ୍ରାମୀ ଜୀବନର ଏନ୍ତୁଡିଶାଳ।