Latest Odisha News

BREAKING NEWS

ମଶା ବଂଶ ନିପାତ କରିବ ଗୁଗଲ୍ ମଶା

ନୂଆଦିଲ୍ଲୀ: ଡେଙ୍ଗୁ, ଜିକା ଏବଂ ଚିକୁନଗୁନିଆ ଭଳି ମାରାତ୍ମକ ମଶା ଜନିତ ରୋଗରୁ ମୁକ୍ତି ପାଇଁ ଏବେ ଆଗକୁ ଆସିଛି ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ ‘Google’। ମଶାମାନଙ୍କୁ ସେମାନଙ୍କରି ଷ୍ଟାଇଲ୍‌ରେ ମାତ୍ ଦେବା ପାଇଁ ଗୁଗଲ୍ ପ୍ରସ୍ତୁତ କରିଛି ଏକ ଅଦ୍ଭୁତ ଯୋଜନା। ଲାବୋରେଟୋରୀ ବା ଗବେଷଣାଗାରରେ ପ୍ରସ୍ତୁତ କୋଟି କୋଟି ମଶା ଏବେ ବାହାରିବେ ଯୁଦ୍ଧ ମଇଦାନକୁ, ଯାହା ବିପଦଜନକ ମଶାମାନଙ୍କ ବଂଶ ନାଶ କରିବେ।

ବିଶ୍ୱର ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ ଗୁଗଲ୍‌ର ଏକ ସ୍ୱତନ୍ତ୍ର ରିସର୍ଚ୍ଚ ୱିଙ୍ଗ୍ ‘ଡିବଗ୍’ ପ୍ରକଳ୍ପ ଅଧୀନରେ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଆମେରିକାର ଫ୍ଲୋରିଡା ଏବଂ କାଲିଫର୍ଣ୍ଣିଆ ଲାବୋରେଟୋରୀରେ ତିଆରି ଅଣ୍ଡିରା ମଶାଙ୍କୁ ବାହାରକୁ ଛଡ଼ାଯିବ। ପ୍ରଥମ ବର୍ଷ ୧କୋଟି ୬୦ ଲକ୍ଷ ଏବଂ ଦ୍ୱିତୀୟ ବର୍ଷ ଆଉ ୧ କୋଟି ୬୦ ଲକ୍ଷ ମଶାଙ୍କୁ ଛଡ଼ାଯିବା ପାଇଁ ପ୍ରସ୍ତାବ ରହିଛି।

ଆପଣ ଭାବୁଥିବେ ମଶା ଛାଡ଼ିଲେ ତ କାମୁଡ଼ା ଆହୁରି ବଢ଼ିଯିବ ! କିନ୍ତୁ ନା, ଏଠାରେ ରହିଛି ଅସଲ ଟ୍ୱିଷ୍ଟ। ଗବେଷଣାଗାରରୁ କେବଳ ଅଣ୍ଡିରା ମଶାମାନଙ୍କୁ ହିଁ ଛଡ଼ାଯିବ। ଆମେ ଜାଣୁ ଯେ ଅଣ୍ଡିରା ମଶା ମଣିଷକୁ କାମୁଡ଼ନ୍ତି ନାହିଁ କି ରକ୍ତ ଶୋଷନ୍ତି ନାହିଁ। କେବଳ ମାଈ ମଶା ଦ୍ବାରା ହିଁ ରୋଗ ବ୍ୟାପିଥାଏ।

ଏହି ଅଣ୍ଡିରା ମଶାମାନଙ୍କ ଶରୀରରେ ୱଲବାକିଆ ପିପିଏଣ୍ଟିସ୍ ନାମକ ଏକ ସ୍ୱତନ୍ତ୍ର ବ୍ୟାକ୍ଟେରିଆ ସଂକ୍ରମିତ କରାଯାଇଛି।

ଯେତେବେଳେ ଏହି ଲାବୋରେଟୋରୀ ମଶା ବାହାରେ ଥିବା ସାଧାରଣ ମାଈ ମଶାଙ୍କ ସହ ମିଳନ କରିବେ, ସେତେବେଳେ ମାଈ ମଶା ଦେଉଥିବା ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯିବ। ସେଥିରୁ ଆଉ ନୂଆ ମଶା ଜନ୍ମ ନେବେ ନାହିଁ। ଧୀରେ ଧୀରେ ଏହି ପ୍ରଜାତିର ସଂଖ୍ୟା ହ୍ରାସ ପାଇବ।

ଏହି ଯୋଜନା ନୂଆ ନୁହେଁ। ୨୦୧୪ ମସିହାରୁ ଅର୍ଥାତ୍ ପ୍ରାୟ ଏକ ଦଶନ୍ଧି ଧରି ‘Debug’ ପ୍ରକଳ୍ପ ଉପରେ କାମ ଚାଲିଛି। ପୂର୍ବରୁ ମଧ୍ୟ କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଏଭଳି ପ୍ରାକୃତିକ ନସବନ୍ଦୀ ପଦ୍ଧତି ବ୍ୟବହାର କରାଯାଇ ସଫଳତା ମିଳିଛି।

ଏହି ବଡ଼ ପ୍ରୟୋଗ ପାଇଁ ଗୁଗଲ୍ ଡିସେମ୍ବର ୨୦୨୫ରେ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା, EPA ନିକଟରେ ଆବେଦନ କରିଥିଲା। ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି ଏବଂ ସବୁଜ ସଙ୍କେତ ମିଳିବା ମାତ୍ରେ ହିଁ ମଇଦାନକୁ ଓହ୍ଲାଇବେ କୋଟି କୋଟି ଗୁଗଲ୍ ମଶା।

ଯଦି ଗୁଗଲ୍‌ର ଏହି ପ୍ରୟୋଗ ସଫଳ ହୁଏ, ତେବେ ଆଗାମୀ ଦିନରେ ବିନା କୌଣସି କେମିକାଲ୍ ବା କୀଟନାଶକ ବ୍ୟବହାର କରି ପରିବେଶ ଅନୁକୂଳ ଉପାୟରେ ମଶା ଜନିତ ମାରାତ୍ମକ ରୋଗରୁ ସାରା ବିଶ୍ୱକୁ ମୁକ୍ତି ମିଳିପାରିବ।

Leave A Reply

Your email address will not be published.