Latest Odisha News

BREAKING NEWS

ଇସ୍ରାଏଲ୍ ଗସ୍ତ ପାଇଁ କ୍ୟାପ୍ଟେନ୍ ସ୍ମିତ୍‌ଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ: “ଆପଣ ସାରା ବିଶ୍ୱର ନାୟକ”

ତେଲ୍ ଅଭିଭ୍: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ‘ଫ୍ଲାଇ ଦୁବାଇ’ର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ସାହସିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଫୋନ୍‌ ମାଧ୍ୟମରେ ପ୍ରାୟ ୬ ମିନିଟ୍ କଥାବାର୍ତ୍ତା ବେଳେ ନେତାନ୍ୟାହୁ କହିଛନ୍ତି, “ଆପଣ କେବଳ ଭାରତ ଓ ଇସ୍ରାଏଲ୍‌‌ର ନୁହଁନ୍ତି, ବରଂ ସମଗ୍ର ବିଶ୍ୱର ଜଣେ ସଚ୍ଚା ନାୟକ।” ଏହାସହ ଆଗାମୀ ଇସ୍ରାଏଲ୍ ସ୍ୱାଧୀନତା ଦିବସ ସମାରୋହରେ ମଶାଲ ପ୍ରଜ୍ୱଳନ କରିବା ପାଇଁ ସେ କ୍ୟାପ୍ଟେନ୍ ସ୍ମିତ୍‌ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।

ଗତ ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ଅଘଟଣ ଘଟିଥିଲା। ବିମାନ ଉଡ଼ାଣ ସମୟରେ ଓମାନର ସହ-ପାଇଲଟ୍ ପ୍ରାର୍ଥନା କରିବା ଆଳରେ କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ପଛରେ ବସିଥିଲେ। ପ୍ରାର୍ଥନାର କିଛି ସମୟ ପରେ ସେ ହଠାତ୍ ଏକ କୁରାଢ଼ୀ ସାହାଯ୍ୟରେ ସ୍ମିତ୍‌ଙ୍କ ମୁଣ୍ଡ ପଛପଟେ ବାରମ୍ବାର ଆକ୍ରମଣ କରିଥିଲେ। ସ୍ମିତ୍ ପ୍ରଥମେ ଭାବିଥିଲେ ଯେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି, ମାତ୍ର କ୍ରମାଗତ ଆକ୍ରମଣ ପରେ ସେ ସହ-ପାଇଲଟ୍‌ଙ୍କ ଆଭିମୁଖ୍ୟ ବୁଝିପାରିଥିଲେ। ଏହି ଆକ୍ରମଣ ଯୋଗୁଁ ବିମାନଟି ନିୟନ୍ତ୍ରଣ ହରାଇ ମାତ୍ର ୨ ମିନିଟ୍‌ ମଧ୍ୟରେ ୧୭,୦୦୦ ଫୁଟ୍ ତଳକୁ ଖସିଆସିଥିଲା।

ଗୁରୁତର ଆଘାତ ହୋଇଥିଲେ ସୁଦ୍ଧା କ୍ୟାପ୍ଟେନ୍ ସ୍ମିତ୍ ଧୈର୍ଯ୍ୟ ନହରାଇ ଆକ୍ରମଣକାରୀ ସହ-ପାଇଲଟ୍‌ଙ୍କ ସହ ସାହସର ସହ ଲଢ଼ିଥିଲେ ଏବଂ କକ୍‌ପିଟ୍ ଦ୍ୱାର ଖୋଲିଦେଇଥିଲେ। ବିମାନ କ୍ରୁ’ ସଦସ୍ୟ ଓ ଯାତ୍ରୀମାନେ ତୁରନ୍ତ ଭିତରକୁ ପଶି ଆକ୍ରମଣକାରୀକୁ ଆୟତ୍ତ କରିଥିଲେ। ସ୍ମିତ୍‌‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟି ସାଉଦି ଆରବର ତାବୁକ୍‌ରେ ଜରୁରୀକାଳୀନ ଅବତରଣ କରିଥିଲା ଏବଂ ବିମାନରେ ଥିବା ସମସ୍ତ ୧୭୪ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ।

ସମ୍ପୂର୍ଣ୍ଣ ଘଟଣା ଶୁଣିବା ପରେ ନେତାନ୍ୟାହୁ, କ୍ୟାପ୍ଟେନ୍ ସ୍ମିତ୍‌ଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସୁରକ୍ଷା ବିଶେଷଜ୍ଞମାନେ ସ୍ମିତ୍‌ଙ୍କ ଏହି ସାହସିକତାକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଏକ ନିଶ୍ଚିତ ବିମାନ ଦୁର୍ଘଟଣାକୁ ଏଡ଼ାଇ ଦେଇଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.