Latest Odisha News

ଡାକ୍ତରଖାନାରୁ ଶିଶୁ ପୁତ୍ର ନିଖୋଜ ମାମଲା: ମିଛରେ କାନ୍ଦୁଥିଲେ ମହିଳା

ନୟାଗଡ: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ ମାମଲାର ନୂଆ ମୋଡ। ଜଣାପଡିଲା ଏହି ମାମଲାର ସତ ଘଟଣା। ଦୁଇ ଦିନ ତଳେ ଡାକ୍ତରଖାନାରେ ଏକ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲା। ହେଲେ ହଠାତ ଶିଶୁଟି ଗାଏବ ହେଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସିସିଟିଭି ଯାଞ୍ଚ ପରେ ଅଭିଯୋଗର ସତ୍ୟତା ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୋଲିସର ସୂଚନା ଦେଇଥିଲେ। କିନ୍ତୁ ଏତେସବୁ ପରେ ଯେଉଁ ସତ ସାମ୍ନାକୁ ଆସିଥିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ରହିବେ। ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା କି ମହିଳାଙ୍କର ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଥିଲା। କୌଣସି ସତ୍ୟତା ନାହିଁ। କୁଆଡ଼େ ମିଛ କାନ୍ଦ କାନ୍ଦୁଥିବା ଏଇ ମହିଳାଙ୍କର ନା ମେଡିକାଲରେ ପ୍ରସବ ହୋଇଛି ନା ନବଜାତ ଜନ୍ମ ନେଇଛି । ଏହି ପିଲା ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିପିଓ ।

ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜ଼ିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧୀସ୍ମିତା ପରିଡ଼ା ପ୍ରସବ ଜନିତ ଯନ୍ତ୍ରଣା ଭୋଗିବାରୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ। ସେଠାରେ ତାଙ୍କର ନବଜାତ ଶିଶୁ ଜନ୍ମ ହୋଇଥିଲା । ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ନେଇ ଅଭିଯୋଗ କରିଥିଲେ ମାଆ ସୁଧୀସ୍ମିତା। ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ ଆଣିଥିଲେ। କିଛି ସମୟ ପାଇଁ ମେଡିକାଲରେ ଉତେଜନା ଲାଗି ରହିଥିଲା।

ନୟାଗଡ SDPO, ସୁନାଖଳା ମେଡିକାଲ କର୍ତ୍ତୃପକ୍ଷ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଥିଲେ। SDPO ସୁଦର୍ଶନ ଗଙ୍ଗୋଇ ମେଡ଼ିକାଲ୍‌ରେ ତନାଘନା କରିବା ପରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭି ଯାଞ୍ଚ ବେଳେ ପିଲା ହୋଇଥିବା ନେଇ କୌଣସି ପ୍ରମାଣ ମିଳିନଥିଲା। ଅଭିଯୋଗ ଆଣିଥିବା ସୁଧୀସ୍ମିତା ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନଥିବା ଜଣାପଡ଼ିଥିଲା। ଯାଞ୍ଚ ପରେ ଘଟଣା ସମ୍ପୂର୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ତେବେ ମହିଳାଙ୍କ ସ୍ବାମୀ କହିବା ଅନୁସାରେ ସ୍ତ୍ରୀଙ୍କର ଓଟିରେ ପ୍ରସବ ହୋଇଛି। ଏଠି ପ୍ରଶ୍ନ ଉଠୁଛି, ଜଣେ ଯଦି ମେଡ଼ିକାଲ୍‌ରେ ଆଡ୍‌ମିଟ୍‌ ହୋଇନି, ତାହାହେଲେ ଓଟିରେ ପ୍ରସବ କଲେ କେମିତି?

ଏନେଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଜଗଦୀଶ ଚନ୍ଦ୍ର ଜେନା କହିଛନ୍ତି, ମେଡ଼ିକାଲ୍‌ରେ ଲାଗିଥିବା ସିସି ତଥ୍ୟ ଅନୁସାରେ ଛୁଆ ଚୋରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମହିଳା ଜଣକ ଲେବର ରୁମ୍‌ରେ ପଶି ନାହାନ୍ତି। ସେ ଓପିଡି ଟିକଟ ନେଇନାହାନ୍ତି କି କୌଣସି ଡାକ୍ତରଙ୍କ ପରାମର୍ଶ ନେଇନାହାନ୍ତି। ଏ ସବୁ ତଥ୍ୟ ସିସିଟିଭିରେ କଏଦ ହୋଇଛି ବୋଲି ମେଡ଼ିକାଲ୍‌ ଅଧିକ୍ଷକ କହିଛନ୍ତି। ତେବେ ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମେଡିକାଲ କର୍ତ୍ତୃପକ୍ଷ ଏନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ ବୋଲି SDPO କହିଛନ୍ତି।

Comments are closed.