Latest Odisha News

BREAKING NEWS

ଆଗକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ ‘ଜହ୍ନ ରାତିର ସାଥୀ’ । ଏଥିରେ ମୁଖ୍ୟ ଭୂମିକା ଅଭିନେତା ସମ୍ବିତ ଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଅଭିନେତ୍ରୀ ପୁନମ ଓ ଶୀତଲ । ନିକଟରେ ଏହାର ଅଡିଓ ଓ ଟିଜର ରିଲିଜ୍ ହେଇଯାଇଛି । ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାଯାଇଛି ।

କୋଟିପତି ବ୍ୟବସାୟୀ ସତ୍ୟଜିତ ପଟ୍ଟନାୟକଙ୍କର ଏକମାତ୍ର ଅଲିଅଳି ଝିଅ ନେହା । ତାଙ୍କ ଗ୍ରାମଠାରୁ ବହୁଦୂରରେ ଥିବା ଜମିଦାର ଭବାନୀ ଶଙ୍କର ଚୌଧୁରୀଙ୍କ ପୁତୁରା ସହ ନେହାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠେ । ସତ୍ୟଜିତ ଓ ଭବାନୀଙ୍କ ମଧ୍ୟରେ ବନ୍ଧୁତା ହୁଏ । ଏକଦା ନେହା ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ବେହୋସ୍ ହେଇଯା’ନ୍ତି । ତାଙ୍କୁ ହୋସ୍‌କୁ ଆଣିବା ପରେ ସେ ସୁନୟନା ଚରିତ୍ର ବିଷୟରେ କହନ୍ତି । ସୁନୟନା ହେଉଛନ୍ତି ସେହି ଚରିତ୍ର, ଯାହାଙ୍କୁ ଦେଖିବା ପରେ ଗାଁ ଲୋକେ ତାଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି । ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟୁଛି । ଏହି ଦୃଶ୍ୟ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି ଭବାନୀବାବୁ । ଏହାପରେ କାହାଣୀରେ ଆସୁଛି ନୂଆମୋଡ଼ । ଏହା ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜହ୍ନ ରାତିର ସାଥୀ’ର ଏକ ସଂକ୍ଷିପ୍ତ କାହାଣୀ ।

ଆର୍ଟମାସ୍ କ୍ରିଏଟିଭସ୍ ପ୍ରାଇଭେଟ ଲିମିଟେଡ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମକୁ ପ୍ରଯୋଜନା କରିଛନ୍ତି ଅଜୟ କୁମାର ରାଉତ । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ବିକାଶ ରାଉତ ଓ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ଜେନା । ଏହି ଫିଲ୍ମରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର ଓ ଯତୀନ୍ଦ୍ର ପ୍ରଧାନ । କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଅନନ୍ୟା ଶ୍ରୀତମ, ଳିପ୍ସା, ହ୍ୟୁମ୍ୟାନ୍ ସାଗର ଓ ପ୍ରଭୁ ଦତ୍ତ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ । ଅଜୟ ରାଉତ ସଂଳାପ ରଚନା କରିଥିବା ବେଳେ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ଫାଇଟ୍ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡ଼ା ।

Leave A Reply

Your email address will not be published.