Latest Odisha News

BREAKING NEWS

ନୂଆ ସଂସଦ ଭବନରୁ ଦେଶବାସୀଙ୍କୁ ପିଏମଙ୍କ ସମ୍ବୋଧନ, ‘ଭାରତ ଆଗକୁ ବଢ଼ିଲେ ବିଶ୍ୱ ଆଗକୁ ଯିବ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ଓ ସର୍ବ ଧର୍ମ ପ୍ରାର୍ଥନା ପରେ ଉଦଘାଟିତ ହୋଇଛି ନୂଆ ସଂସଦ ଭବନ । ସଂସଦ ଭନବରେ ସେଙ୍ଗୋଲକୁ ସ୍ଥାପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉପସ୍ଥିତ ଥିଲେ ।

ତେବେ ସଂସଦର ଭବନ ଉଦଘାଟନକୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ସହ ଏକାଧିକ ବିରୋଧୀ ଦଳ ବୟକଟ୍ କରିଛନ୍ତି । ଅନ୍ୟପଟେ ଏନଡିଏରେ ନଥିବା ବିଜେଡି, ତେଲୁଗୁଦେଶମ, ବସପା ଓ ୱାଇଏସ୍ଆର୍ କଂଗ୍ରେସ ଭଳି ଦଳ ସମାରୋହରେ ସାମିଲ୍ ହୋଇ ଦେଶର ଗୌରବମୟ ମୁହୂର୍ତ୍ତର ସାକ୍ଷୀ ହୋଇଛନ୍ତି ।

ଉଦଘାଟନ ଅବସରରେ ଦେଶବାସୀଙ୍କୁ ନୂଆ ସଂସଦ ଭବନରୁ ସମ୍ବୋଧିତ କରି କହିଛନ୍ତି, ୧୪୦ କୋଟି ଭାରତୀୟ ନାଗରିକଙ୍କ ଆଂକାକ୍ଷା ଓ ସ୍ୱପ୍ନର ପ୍ରତିବିମ୍ବ ହେଉଛି ନୂଆ ସଂସଦ । ଏହା ବିଶ୍ୱକୁ ଭାରତର ଦୃଢ଼ ସଂକଳ୍ପର ବାର୍ତ୍ତା ଦେଉଛି । ସଂସଦ ହେଉଛି ଆମ ଗଣତନ୍ତ୍ରର ମନ୍ଦିର । ଯେବେ ଭାରତ ଆଗକୁ ବଢ଼େ ତ ବିଶ୍ୱ ଆଗକୁ ବଢ଼ିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଏମ୍ ମୋଦି କହିଛନ୍ତି, ଆମ ପାଖରେ ୨୫ ବର୍ଷର ଅମୃକ କାଳ ଖଣ୍ଡ ରହିଛି । ଏହି ୨୫ ବର୍ଷରେ ମିଳି ମିଶି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଆଜି ପୂରା ଦୁନିଆ ଭାରତକୁ ଆଦାର ଓ ଆଶା ଭାବେ ଦେଖୁଛି ।

ସଂସଦ ଭବନ ପ୍ରାୟ ୬୦ ହଜାର ଶ୍ରମିକଙ୍କୁ ରୋଜଗାର ଦେଇଛି । ଏମାନଙ୍କ ଶ୍ରମକୁ ସମର୍ପିତ କରି ଏକ ଡିଜିଟାଲ୍ ଗ୍ୟାଲେରି ତିଆରି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି । କହିଛନ୍ତି, ୯ ବର୍ଷରେ ଭାରତର ନବନିର୍ମାଣ ହୋଇଛି । ଗରିବ କଲ୍ୟାଣ ହୋଇଛି ।

ଏହି ଅବସରରେ ପିଏମ୍ ମୋଦି ଭାରତୀୟ ଡାକ ବିଭାଗର ସ୍ମାରକ ଡାକ ଟିକଟ୍ ଜାରି କରିଛନ୍ତି । ଅର୍ଥ ବିଭାଗ ଦ୍ୱାରା ପ୍ରସ୍ତୁତ ୭୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦ ଭବନ ଉଦଘାଟନ ହେବା ସହ ୨ଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ କରାଯାଇଛି । ଗୋଟିଏ ସଂସଦ ଭବନ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଅନ୍ୟଟି ସେଙ୍ଗୋଲ୍ ଉପରେ ।

Leave A Reply

Your email address will not be published.