ଭୁବନେଶ୍ୱର: ଜଣାଶୁଣା ଲେଖିକା ତଥା କବି ସ୍ୱୟଂପ୍ରଭା ରଥଙ୍କ ରଚିତ କବିତା ସଂକଳନ ‘ଆସେସ୍ ଟୁ ଆନ୍ଥେମ୍’ ଲୋକାର୍ପିତ ହୋଇଛି । ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କବିତା ସଂକଳନଟି ଲୋକାର୍ପିତ ହୋଇଯାଇଛି । କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡିଆ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁନାମଧନ୍ୟ ତଥା ପ୍ରବୀଣ କବି ଡକ୍ଟର ଫନୀ ମହାନ୍ତି ଉପସ୍ଥିତ ଥିଲେ ।
କିସ୍ ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ମୁଖ୍ୟ ତଥା ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଚିତ୍ତରଂଜନ ଭୋଇ ପୁସ୍ତକରେ ଥିବା କବିତା ଗୁଡିକର ସମ୍ବେଦନଶୀଳ ଦୃଷ୍ଟି ବିଷୟରେ ଆଲୋଚନା କରିଥିଲେ । ପ୍ରଫେସର ସୁଧୀର କୁମାର ଯୋଶୀ କବିତା ଗୁଡିକର ଚିତ୍ରକଳ୍ପର ବ୍ୟବହାର ବିଷୟରେ ଆଲୋକପାତ କରିଥିଲେ । ଏହାସହ କବି ସ୍ୱୟଂପ୍ରଭାଙ୍କ କବିତାର ଯାତ୍ରା, ତଥା ଜୀବନ ସମ୍ବନ୍ଧରେ ଆଲୋକପାତ କିରଥିଲେ । କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ସାହିତ୍ୟିକ ସୁନାମଧନ୍ୟ କବି, ପତ୍ର-ପତ୍ରିକାର ବିଶିଷ୍ଟ ସମ୍ପାଦକମାନେ ଉପସ୍ଥିତ ରହି ସଭାଗୃହର ଗରିମା ମଣ୍ଡିତ କରିଥିଲେ । ଡକ୍ଟର ସୋନାଲି ସାହୁ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ।
