Latest Odisha News

ନାକେଦମ୍ କଲାଣି ଟ୍ରାଫିକ ଫାଇନ୍ ବ୍ୟବସ୍ଥା, ସତରେ କ’ଣ ଏହା ଏହି ସିନେମାରୁ କପି ହୋଇଛି !

ଭୁବନେଶ୍ୱର: ଗୋଟିଏ ସିନେମାରୁ କପି କରି ଆଉ ଏକ ସିନେମା ତିଆରି ହେଉଥିବା କଥା ଉଣାଅଧିକେ ସମସ୍ତଙ୍କୁ ମାଲୁମ ଥିବ । ହେଲେ ସିନେମାରୁ କପି କରି ସରକାରୀ ନିୟମ ଲାଗୁ କରାଯିବା ପ୍ରାୟ ପ୍ରଥମଥର ଶୁଣିବାକୁ ମିଳିଛି ।

ଗତ ୧ ତାରିଖରୁ ସରକାର ନୂଆ ମୋଟର୍ ଯାନ ଆଇନ ଲାଗୁ କରିବା ପରେ ଲୋକଙ୍କର ଚିନ୍ତା ବଢିଗଲାଣି । କାରଣ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ରାଜରାସ୍ତାରେ ଏବେ ଆଉ ଆଗଭଳି ନା ସାପଭଳି ଗାଡି ଗଡିବ , ନା ମଦ ପିଇ କେହି ଚାଳକ ଧରାପଡିବ , ନା କୋୖଣସି ବାଇକ୍ ଆରୋହୀଙ୍କ ମୁଣ୍ଡରୁ ହେଲମେଟ୍ ବାହାରିବ । ଟିକିଏ ଖିଲାପ ହେଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ସେ ସରକାରୀ ଗାଡି ହେଉ କିମ୍ବା ସାଧାରଣ ଅଟୋ । କାହାରିକୁ ନିସ୍ତାର ନାହିଁ ।

ଘରୁ ଗାଡି ବାହାର କଲାବେଳେ ଚାଳକ ତାର ସବୁ କାଗଜପତ୍ର ସହ ହେଲମେଟ ସାଥିରେ ନେଇ ବାହାରୁଛି । ନହେଲେ କିଏ ଜାଣେ କେଉଁଠି ପକେଟ ଖାଲି ହୋଇଯିବ ! ତେବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଭଳି ଗୁରୁ ନିଷ୍ପତ୍ତି କାହିଁକି ନେଲେ ସରକାର ? କାହା ପରାମର୍ଶରେ ଏହି ନିଷ୍ପତ୍ତି ନିଆ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ତେବେ ଏହା ଭିତରେ ଏବେ ସୋସିଆଲ ମିଡିଆରେ ଏକ ତେଲୁଗୁ ସିନେମାର ଭିଡିଓ କ୍ଲିପ ଭାଇରାଲ୍ ହେଉଛି ଯାହା ଟ୍ରାଫିକ୍ ଆମ ଦେଶରେ ଲାଗୁ ହୋଇଥିବା ନିୟମ ସହ ଅନେକ ମାତ୍ରାରେ ମେଳଖାଉଛି ।

ସରକାରଙ୍କ ଏହି ବିଲ୍ ପାସ୍ ହେବା ପରେ ଏଭଳି ଏକ ସିନେମାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଥିରେ ରିଲ୍ ଲାଇଫର ମୁଖ୍ୟମନ୍ତ୍ରୀ ମହେଶ ବାବୁ ଏହିଭଳି କଢ଼ା ନିଷ୍ପତ୍ତି ଶୁଣାଇ ଦେଇଥିଲେ । ତେଲୁଗୁ ସିନେମା “ଭାରତ ଅନେ ନେନୁ” ରେ ଅଭିନେତା ମହେଶ୍ ବାବୁଙ୍କ ଏହି ଦୃଶ୍ୟରେ ସେ ଢିଲା ଟ୍ରାଫିକ୍ ବ୍ୟବସ୍ଥାକୁ କଠୋର କରିବା ପାଇଁ ଜରିମାନା ବ୍ୟବସ୍ଥାକୁ ବଢାଇଥିବା ଦେଖିବାକୁ ମିଳୁଛି ।

ବର୍ତ୍ତମାନ ସୋସିଆଲ୍ ମିଡିିଆରେ ସରକାର ଏହି ସିନେମାକୁ କପି କରି ଏଭଳି ନିଷ୍ପତ୍ତି ନେବା କଥା ଲୋକେ କହୁଛନ୍ତି । ଅନେକ ମହଲରେ ଏହି ନିୟମକୁ ପ୍ରଶଂସା କରାଯାଉଥିବା ବେଳେ ଅନେକ ଲୋକ ଏହାକୁ ଦୃଢ ବିରୋଧ କରୁଛନ୍ତି ।

ସାମାଜିକ ଘଟଣା ଉପରେ ଆଧାରିତ ହେଉଥିବା ଚଳଚ୍ଚିତ୍ର ଗୁଡିକୁ ପରଦାରେ ଦେଖି ଖୁବ ଜୋରରେ ତାଳି ବଜାଉଥିବା ଲୋକ, ସରକାର ଏହିଭଳି ପଦକ୍ଷେପ ନିଅନ୍ତୁ ବୋଲି କହି ବୁଲନ୍ତି । କିନ୍ତୁ ପ୍ରକୃତରେ ସରକାର ଯଦି ଏହିଭଳି ନିଷ୍ପତ୍ତି ନିଅନ୍ତି , ତେବେ ପ୍ରଥମେ ସେହି ଲୋକହିଁ ଏହାକୁ ବିରୋଧ କରିବାକୁ ଆଗେଇ ଆସନ୍ତି ।

ସରକାରଙ୍କର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ହୋଇଥିବା ବେଳେ, ଖାଲି ଟ୍ରାଫିକ ବ୍ୟବସ୍ଥା ନା, ଉକ୍ତ ଚଳଚ୍ଚିତ୍ରରେ ଅନ୍ୟ ସମସ୍ତ ସମସ୍ୟା ପାଇଁ ମହେଶ ବାବୁ ନେଇଥିବା ଦୃଢ଼ ପଦକ୍ଷେପକୁ ମଧ୍ୟ ସରକାର ଆପଣାଇବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.