Latest Odisha News

BREAKING NEWS

ନବବର୍ଷ ୨୦୨୪: ଜଗତସିଂହପୁରର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜଗତସିଂହପୁର: ସରିଯାଇଛି ପୁରୁଣା ବର୍ଷ ୨୦୨୩ । ପୁଣି କିଛି ନୂଆ ଆଶା ନୂଆ ଉଦ୍ଧିପନା ନେଇ ପାଦ ଥାପିଛି ନବବର୍ଷ ୨୦୨୪ । ଇଂରାଜୀ ନବବର୍ଷ ୨୦୨୪ର ସ୍ଵାଗତ ନିମନ୍ତେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠ ଏବଂ ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର ଗୋରେଖନାଥଙ୍କ ପୀଠରେ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ଆଜି ଭୋରରୁ ଦେବାଦେବୀଙ୍କ ଦର୍ଶନ ତଥା କୃପା ଲାଭ କରିବା ପାଇଁ ଧାଡ଼ିରେ ଠିଆ ହୋଇ ଦର୍ଶନ କରିବା ସହ ଜଗତ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରି ସଂସାରର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି।

ନବବର୍ଷର ପ୍ରଥମ ଦିନରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପ୍ରଥମେ ଦର୍ଶନ କରି ଆଶିଷ ଲାଭ କରିବା ପରେ ପରବର୍ତ୍ତୀ ସମୟରେ ନିଜର କର୍ମମୟ ଜୀବନ ଆରମ୍ଭ କଲେ ବର୍ଷ ତମାମ ସୁଖଶାନ୍ତିରେ ସମୟ ଅତିବାହିତ ହେବାର ବିଶ୍ୱାସ ରଖିଛନ୍ତି ଶ୍ରଦ୍ଧାଳୁ। ତେବେ ଏହି ନବବର୍ଷ ଜିଲ୍ଲା,ରାଜ୍ୟ,ଦେଶ ତଥା ସମଗ୍ର ବିଶ୍ୱର କଲ୍ୟାଣ ତଥା ସୁଖ ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ କାମନା କରି ମା’ଶାରଳା ଏବଂ ପ୍ରଭୁ ଗୋରେଖନାଥ ନିକଟରେ ପ୍ରାର୍ଥନା ଜଣାଇଛନ୍ତି ଭକ୍ତମାନେ ।

ଆଜି ରାତି ୩ଟାରୁ ମା’ ଶାରଳାଙ୍କ ମନ୍ଦିର ଖୋଲାଯାଇଥିବା ବେଳେ ରାତି ୨ଟାରେ ପ୍ରଭୁ ଗୋରେଖନାଥଙ୍କ ପୀଠର ପହଡ଼ ଫିଟାଯାଇଥିଲା । ଉଭୟ ମନ୍ଦିରର ପହଡ ଫିଟାଯିବା ପରେ ମଙ୍ଗଳ ଆଳତୀ, ମଇଲମ, ମନ୍ଦିର ଶୋଧ ପରେ ଠାକୁରଙ୍କ ମାର୍ଜଣା ନୀତି ସମ୍ପାଦନ କରାଯାଇଥିଲା । ଭୋର ୫ଟା ସୁଦ୍ଧା ଠାକୁରଙ୍କର ନୀତିକାନ୍ତି ସମାପନ ହେବାପରେ ସର୍ବସାଧାରଣଙ୍କ ଦର୍ଶନ କରିଥିଲେ ।

Leave A Reply

Your email address will not be published.