Latest Odisha News

BREAKING NEWS

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି ଆଳୁଚାଷ ସମ୍ଭବ ହୋଇପାରିଛି ।

ବିହାର ପାଟନାର ସେଣ୍ଟ୍ରାଲ୍ ପଟାଟୋ ରିସର୍ଚ୍ଚ ସେଣ୍ଟରରେ ଏକ ନୂତନ କିସମର ଆଳୁ ବିକଶିତ କରାଯାଇଛି । ବୈଶାଳୀ ଗାଁରେ ପ୍ରଥମ ଥର ପାଇଁ ଚାଷ ହୋଇଥିବା ଏହି ଆଳୁର ନାଁ ରହିଛି “ବ୍ଲୁ ହର୍ବାଲ୍ ପଟାଟୋ” । କ୍ୟାନ୍ସର, ଡାଇବଟିସ୍ ଓ ହୃଦରୋଗୀଙ୍କ ପାଇଁ ଏହି ଆଳୁ ବେଶ ଉପକାରୀ ବୋଲି କୃଷି ବୈଜ୍ଞାନିକ ଦାବି କରିଛନ୍ତି ।

ଡା. ଶମ୍ଭୁ କୁମାରଙ୍କ ଅନୁଯାୟୀ ସାମାନ୍ୟ ଆଳୁ ଅପେକ୍ଷା ଏହି ନୀଳକଣ୍ଠ ପ୍ରଜାତିର ଆଳୁରେ ଅଧିକ ମାତ୍ରାର ଔଷଧୀୟ ଗୁଣ ରହିଛି । ତା ଛଡା ଏହି ଆଳୁ କ୍ୟାନ୍ସର ସେଲ୍‌ଗୁଡିକୁ ନଷ୍ଟ କରିବା ସହ ଡାଇବେଟିସ୍ ରୋଗୀଙ୍କ ସୁଗାର ଲେଭଲ୍ କମ୍ କରିବ ବୋଲି ସେ ପ୍ରକାଶ କରିଛନ୍ତି । ଆଣ୍ଟି-ଅକ୍ସିଡେଣ୍ଟ ଫାଇବର୍‌, ମ୍ୟାଗ୍ନେସିୟମ୍ ଓ କପର୍ ଭଳି ଔଷଧୀୟ ଗୁଣ ଥିବାରୁ ଏହି ଆଳୁ ହୃଦରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ ।

ପ୍ରତିଟି ଆଳୁର ଓଜନ ୬୦ ରୁ ୮୦ ଗ୍ରାମ ଥିବାବେଳେ ଜିତେନ୍ଦ୍ର କୁମାର ସିଂ ନାମକ ଜଣେ ଚାଷୀ ପ୍ରଥମ ଥର ପାଇଁ ଏହି ଆଳୁ ଚାଷ କରିଛନ୍ତି । ବର୍ଷବର୍ଷ ଧରି ଗବେଷଣା କରିବା ପରେ ଶେଷରେ କୃଷି ବୈଜ୍ଞାନିକମାନେ ଏହାର ଉତ୍ପାଦନ କରିବାରେ ସଫଳ ହୋଇଥିଲେ ହେଁ ସରକାରୀ ସ୍ତରରେ ଏହାର ନାମକରଣ ହୋଇନାହିଁ ।

ସାଲାଡ୍ କିମ୍ବା ଶିଝାଇ ଏହି ଆଳୁକୁ ଖାଦ୍ୟ ରୂପେ ଗ୍ରହଣ କରାଯାଇପାରେ । ପରୀକ୍ଷଣ ସ୍ୱରୂପ ଏହି ଆଳୁଚାଷ ଆଗାମୀ ଦୁଇବର୍ଷ ଧରି ଜାରି ରହିବ । ତେବେ ଆଗାମୀ ଦିନରେ ଏହି କିସମର ଆଲୁଚାଷ ନିଶ୍ଚିତ ରୂପେ ଚାଷୀଙ୍କ ପାଇଁ ଲାଭବାନ ହେବ ବୋଲି ଜିତେନ୍ଦ୍ର କୁମାର ସିଂ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.