ନୂଆଦିଲ୍ଲୀ: ବାଂଲାଦେଶରେ ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ମାନଙ୍କୁ ମୁକ୍ତ କରାଯାଇଛି। ଏନେଇ ଦୁଇ ବର୍ଷ ପୂର୍ବେ କ୍ଷମତାରୁ ବହିଷ୍କାର ଏବଂ ନିର୍ବାସିତ ହେବା ପରେ ପ୍ରଥମ ସାଧାରଣ ଭାଷଣରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି।
ତାଙ୍କ ପରାମର୍ଶଦାତା ଏବଂ ପୁଅ ସଜୀବ ୱାଜେଦ ଜୟ ଚେତାବନୀ ଦେଇ କହିଛନ୍ତି ଯେ ବାଂଲାଦେଶ “ଅନ୍ୟ ଏକ ପାକିସ୍ତାନ” ପାଲଟିଛି। ଏହି ବିକାଶ ଭାରତ ପାଇଁ ଚିନ୍ତାର ବିଷୟ ହେବା ଉଚିତ। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହସିନା ଭାରତ ବିରୋଧୀ ଉପାଦାନ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
ନୂଆଦିଲ୍ଲୀରେ ଦକ୍ଷିଣ ଏସିଆର ବିଦେଶୀ ପ୍ରତିନିଧି କ୍ଲବ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କଲ୍ ମାଧ୍ୟମରେ ହାସିନା ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଅଗଷ୍ଟ ୨୦୨୪ ରେ ଢାକାରେ ସରକାର ପରିବର୍ତ୍ତନ ପରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ଏବଂ ରାଜନୈତିକ ସମ୍ପର୍କ ପୁନର୍ବାର ଆରମ୍ଭ ହେବାର ରିପୋର୍ଟ ମଧ୍ୟରେ ହସିନା ଏବଂ ତାଙ୍କ ପୁଅଙ୍କ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।
ହସିନାଙ୍କ ପୂର୍ବତନ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ପରାମର୍ଶଦାତା ଜୟ କହିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ଶାସନରେ ବାଂଲାଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ଏବଂ ଏହା ଏକ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ହୋଇଯିବ। ସେ ଦାବି କରିଥିଲେ ଯେ ହସିନାଙ୍କୁ କ୍ଷମତାରୁ ହଟାଇବା ପରେ ସରକାର ଅଗଷ୍ଟ ୫ ୨୦୨୪ ଠାରୁ ରାଜନୈତିକ ହତ୍ୟାକୁ ଆଇନଗତ କରିଛି।