Latest Odisha News

BREAKING NEWS

ଗଞ୍ଜାମ ହାଟ ନିର୍ମାଣ ଉପରେ ଏନ୍‌ଜିଟିର ରହିତାଦେଶ

ବ୍ରହ୍ମପୁର : ବ୍ରହ୍ମପୁର ସହରର କର୍ପୋରେସନ ରୋଡ ଠାରେ ‘ଗଞ୍ଜାମ ହାଟ’ ନିର୍ମାଣ ଚାଲିଛି । ତେବେ ଏହି ହାଟ ନିର୍ମାଣ ଉପରେ କଲିକତାସ୍ଥିତ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ (ଏନଜିଟି)ପୂର୍ବାଞ୍ଚଳ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି।

ମାଧବପୁର ମୌଜାର ପ୍ଲଟ ନଂ. ୧୦୯୬ ରାଜସ୍ୱ ବିଭାଗ ରେକର୍ଡ଼ରେ ଜଳାଶୟ ରହିଥିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ସେଠାରେ ମାର୍କେଟ କ​କଂପ୍ଲେକ୍ସ ନିର୍ମାଣ କରିବା ବେଆଇନ। ତେଣୁ ସେଠାରେ ଏଭଳି ନିର୍ମାଣ କାର୍ଯ୍ୟ କୌଣସି ପରିସ୍ଥିତିରେ ମଧ୍ୟ କରାଯାଇପାରିବ ନାହିଁ ବୋଲି (ଓଏକେସ ନଂ. ୬୦/୨୦୨୨/ଇଜେଡ଼) ଶୁଣାଣି କରି ଏନଜିଟି ଏଭଳି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି।

ଏନ୍‍ଜିଟିଙ୍କ ଏଭଳି ଆଦେଶ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ଏବଂ ଗଞ୍ଜାମ ଜିଲା ପ୍ରଶାସନକୁ ଶକ୍ତ ଧକ୍କା ​‌ହୋଇଛି। ସମାଜସେବୀ ନଟବର ସାହୁଙ୍କ ସମେତ ଆଡଭୋକେଟ ସିରିନ୍ନ ଟାମ୍ମନା, ମଧୁସ୍ମିତା ଯାଦବ, କିଶୋର ଚନ୍ଦ୍ର ବେହେରା, ସଂଗ୍ରାମ କେଶରୀ ମହାନ୍ତି, ଲୋକେଶ ପାତ୍ର, ପି. ଶୋହନ ପାତ୍ର ମିଳିତ ଭାବେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ଜରିଆରେ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ।

ଏନ୍‍ଜିଟି ସଦସ୍ୟ ଜଷ୍ଟିସ୍‍ ଅମିତ୍‍ ଷ୍ଟେଲକର ଏବଂ ସାଇବଲ ଦାସଗୁପ୍ତା ଆବେଦନର ଶୁଣାଣି ରହିତାଦେଶ ଜାରି କରିବା ସହ ଗଞ୍ଜାମ ଜିଲାପାଳ ଏବଂ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସେକ୍ରେଟେରୀଙ୍କୁ ୪ ସପ୍ତାହ ମଧ୍ୟରେ ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଏହା ସହିତ ମୁଖ୍ୟଶାସନ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଜଳସଂପଦ ବିଭାଗ, ରାଜସ୍ୱ ବିଭାଗ ସଚିବ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର, ବ୍ରହ୍ମପୁର ମହାନଗର ନିଗମ କମିଶନର ମଧ୍ୟ ପୃଥକ୍‍ ସତ୍ୟପାଠ ଦାଖଲ କରିବାକୁ ଏନ୍‍ଜିଟି ଆଦେଶରେ କୁହାଯାଇଛି।

ଆଗାମୀ ଜୁଲାଇ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୫ କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ଗଞ୍ଜାମ ହାଟ ନିର୍ମାଣ ପାଇଁ ବିଡ଼ିଏ ଯୋଜନା କରିଛି। ଏଠାରେ ଦୋକାନ ଘର କ୍ରୟ କରିବା ପାଇଁ ବ୍ରହ୍ମପୁର ସହରର ୫୬ଜଣ ବ୍ୟବସାୟୀ ୭କୋଟି ୬୪ ଲକ୍ଷ ୧୨ ହଜାର ୨୦୦ଟଙ୍କା ଅଗ୍ରୀମ ଜମା କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ବ୍ୟବସାୟୀଙ୍କ ଠାରୁ ଅଗ୍ରୀମ ଆକାରରେ ୫କୋଟି ୧୨ଲକ୍ଷ ୯୮୫ ଟଙ୍କା ଆଦାୟ କରାଯାଇଥିବା ବେଳେ ଏ ବାବଦରେ ସଂପୃକ୍ତ ୪୩ ଜଣ ବ୍ୟବସାୟୀଙ୍କ ଠାରୁ ୧୨କୋଟିି ୭୨ଲକ୍ଷ ୯ହଜାର ୧୭ ଟଙ୍କା ଆଦାୟ କରିବାକୁ ବିଡ଼ିଏ ଲକ୍ଷ୍ୟ ରଖିଥିଲା। କିନ୍ତୁ ବର୍ତ୍ତମାନ ନିର୍ମାଣ ଉପରେ ଏନ୍‌ଜିଟି ରହିତାଦେଶ ଜାରି କରିବା ପରେ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

Leave A Reply

Your email address will not be published.