ରାୟଗଡ଼ା:ବହୁଚର୍ଚ୍ଚିତ ହାଡପ୍ପା ନିଖିଲ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଥାନା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ ଅନ୍ୟ ୮ ଜଣକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ପୋଲିସ । ରାୟଗଡା ଏସପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ନିଖିଲ ହତ୍ୟା ମାମଲାରେ, ରାୟଗଡା ପୋଲିସ ବିହାର ରାଜ୍ୟର ଔରଙ୍ଗାବାଦ ଜିଲ୍ଲା ମଦନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ମୁଖ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ସେମାନେ ହେଲେ- ଉମେଶ ହିଆଲ, ବିଲସନ ସେମିଲି ଓରଫ ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ୱାଇ ଶ୍ୟାମ ସୁନ୍ଦର, ଭି ଲୋକେଶ କୁମାର, ବି ପବନ କୁମାର ଓ ଏସ ପ୍ରେମ କୁମାରକୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଗିରଫ କରାଯାଇଛି। ଅଭିଯୁକ୍ତ ସୁମିତ ଜୈନକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଏବଂ ରାୟଗଡାରୁ ରାଜା ହୁଇକା ଓରଫ ବରୁଣକୁ ଗିରଫ କରାଯାଇଛି।
ପୋଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ କଳା ରଙ୍ଗର ସ୍କର୍ପିଓ, ବୋଲେରୋ, ୧୧ଟି ମୋବାଇଲ ଫୋନ୍ ଓ କିଛି କ୍ରେଡିଟ୍ କାର୍ଡ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ଖବରମୁତାବକ,ଉମେଶ ହିଆଲ୍ ଗ୍ୟାଙ୍ଗ୍ ନିଖିଲର ହତ୍ୟାର ପୂର୍ବ ଯୋଜନା କରିଥିଲା।କୋରାପୁଟ ଜିଲାର ଅଲମଣ୍ଡାରେ ଜୁଆ ମାମଲା ସହ ଜଡିତ ପୂର୍ବ ଶତ୍ରୁତା ଥିଲା । ଯେଉଁଠାରେ ନିଖିଲ ଓ ତା’ର ଗ୍ୟାଙ୍ଗ ଲକ୍ଷ ଲକ୍ଷ ଟଙ୍କାର ନଗଦ ଓ ସୁନା ଚୋରି କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାୟଗଡ଼ା ଏସପି ସ୍ୱାତି ଏସ୍ କୁମାର, ଆଇପିଏସ୍ଙ୍କ ପ୍ରତ୍ୟକ୍ଷ ତଦାରଖରେ ଏକାଧିକ ଟିମ୍ ଗଠନ କରାଯାଇଥିଲା।
ସୂଚନାଥାଉକି, ଗତ ୧୦ ତାରିଖରେ ନିଖିଳଙ୍କ ମା’ ବାଲାମା ହାଡ଼ପା ଏକ ଲିଖିତ ରିପୋର୍ଟ ଦାଖଲ କରିଥିଲେ ଯେ ୯ ତାରିଖ ୭.୩୦ ସନ୍ଧ୍ୟାରେ ତାଙ୍କ ପୁଅର ବନ୍ଧୁର ମା’ଙ୍କ ଠାରୁ ଫୋନ୍ ପାଇଥିଲେ । ତାଙ୍କ ପୁଅ ନିଖିଲ ହାଡ଼ପା (୧୯) କୁ ନୁଆସାହିର ଉମେଶ ହିଆଲ୍ ତା’ର କିଛି ସହଯୋଗୀଙ୍କ ସହିତ ବଳପୂର୍ବକ ଅଞ୍ଚଳରୁ ଉଠାଇ ନେଇ ଏକ କାରେ ଅଜଣା ସ୍ଥାନକୁ ନେଇ ଯାଇଥିବା ଜାଣି ରିପୋର୍ଟ କରିଥିଲେ। ଏହାପରେ ପୋଲିସ ରାୟଗଡ଼ା ଥାନା ମାମଲା ନଂ. ୧୮୪ ରେ ପଞ୍ଜୀକରଣ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ତାଙ୍କ ପୁଅକୁ ବିଭିନ୍ନ ସ୍ଥାନରେ ଖୋଜିବା ପାଇଁ ଟିମ୍ ଗଠନ କରିଥିଲେ କିନ୍ତୁ ତା’ର କୌଣସି ସନ୍ଧାନ ପାଇ ନଥିଲେ। ୧୦ ତାରିଖ ସକାଳେ, ଅପହୃତ ବ୍ୟକ୍ତି ନିଖିଲ ହାଡ଼ପାଙ୍କ ମୃତଦେହ ତୁମ୍ବିଗୁଡ଼ା ଗ୍ରାମ ନିକଟ ନାଗାବଳୀ ନଦୀ କୂଳରେ ଗୁଳି ଆଘାତ ସହିତ ପଡ଼ିଥିବା ମିଳିଥିଲା । ତେବେ ଏହି ହତ୍ୟାକାଣ୍ଡକୁ ନେଇ ମୃତ ନିଖିଲର ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ୬ଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରୁ ଗିରଫ କରିଛି ।