Latest Odisha News

ଭଦ୍ରକରେ ସିଲ୍ ହେଲା ୯ଟି ମଦ ଦୋକାନ

ଭଦ୍ରକ: ମହିଳା ମଦ ବିରୋଧୀ କର୍ମୀଙ୍କ ଲଗାତର ଚାପ ଯୋଗୁଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ଅଞ୍ଚଳରେ ୯ଟି ମଦ ଦୋକାନକୁ ସିଲ୍ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ମଦ ବିରୋଧୀ ଅଭିଯାନରେ ସାମିଲ ଥିବା ଅନେକ ମହିଳା ଦୀର୍ଘଦିନ ଧରି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକ ବିଦେଇପୁର ବଜାରରେ ଥିବା ବେଆଇନ୍ ମଦ ଦୋକାନ ଖୋଲାଯାଇଥିବା ଅଭିଯୋଗ କରି ଆସୁଥିଲେ । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା କଥା ଏହି ମଦବିରୋଧୀ ଅଭିଯାନରେ ସାମିଲ ମହିଳାମାନେ ଜିଲ୍ଲା ପ୍ରଶାସନ ଆଗରେ ଅଭିଯୋଗ କରିଥିଲେ ।

କିଛିଦିନ ପୂର୍ବରୁ ଏସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କୁ କର୍ମୀମାନେ ଏକ ଲିଖିତ ଅଭିଯୋଗ ମାଧ୍ୟମରେ ବେଆଇନ ମଦ ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏପରିକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଆନ୍ଦୋଳନତ୍ମାକ ପନ୍ଥା ଗ୍ରହଣ କରାଯିବାକୁ ମଦ ବିରୋଧୀ ମହିଳା କର୍ମୀଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

ଏହା ଉଲ୍ଲେଖ୍ୟ, ବୁଧବାର ଦିନ ଶତାଧିକ ମହିଳା ବାସୁଦେବପୁର-ଧାମରା ରାସ୍ତାକୁ ଅବରୋଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ, ଏହାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ୯ଟି ମଦ ଦୋକାନକୁ ସିଲ୍ କରାଯାଇଛି ।

ଏହି ୯ଟି ବେଆଇନ ମଦ ଦୋକାନକୁ ସିଲ୍ କରିବା ସମୟରେ ବାସୁଦେବପୁର ଥାନ ଭାରପ୍ରାପ୍ତ ଅଧିକାରୀ ଉମାଶଙ୍କର ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.