Latest Odisha News

BREAKING NEWS

ନିଜ ମୃ୍ତ୍ୟୁ ସେଟ ନିଜେ ଡିଜାଇନ କରିଥିଲେ ନୀତିନ ଦେଶାଇ, ସୁଇସାଇଡ ନୋଟରେ କହିଗଲେ ଶେଷ ଇଚ୍ଛା

ମୁମ୍ବାଇ:ପ୍ରସିଦ୍ଧ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ଆତ୍ମହତ୍ୟା ଖବର ସାରା ବଲିଉଡରେ ଶୋକର ଛାଇ ଖେଳାଇ ଦେଇଛି । ନୀତିନ ଏମିତି ନିଜକୁ ଶେଷ କରିଦେବେ ଏକଥା ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । ଆର୍ଥିକ ଦୁଃସ୍ଥିତି ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । କୁହାଯାଉଛି,  ସେ କୁଆଡେ ୧୮୦ କୋଟି ଟଙ୍କା ଋଣ ଭାରରେ ବୁଡି ରହିଥିଲେ । ଏବେ ପୋଲିସ ତାଙ୍କର ସୁଇସାଇଡାଲ ନୋଟ ଜବତ କରିଛି । ଏଇ ସୁଇସାଇଡ ନୋଟରୁ ହୃଦୟ ଭିଜେଇ ଦେବା ପରି ତଥ୍ୟ ସାମ୍ନାକୁ ଆସିଛି ।

ନୀତିନ ଏମିତି ହଠାତ ଆତ୍ମହତ୍ୟା କରିନାହାନ୍ତି । ଏଥିପାଇଁ ସେ ପୂୂର୍ବରୁ ପ୍ରସ୍ତୁତି କରିଥିଲେ । ମାନସିକ ନିଷ୍ପତି ନେଇଥିଲେ ।  ଫିଲ୍ମରେ ସୁନ୍ଦର ସେଟ ପ୍ରସ୍ତୁତ କରୁଥିବା ନୀତିନ ନିଜ ମୃତ୍ୟୁର ସେଟ ବି ତିଆରି କରିଥିଲେ । ନୀତିନଙ୍କ ଏନଡି ଷ୍ଟୁଡିଓରେ କାମ କରୁଥିବା ମୟୂର ଏହି ସୂଚନା ଦେଇଛନ୍ତି । ତାଙ୍କର କହିବା ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସେ ଏକ ବଡ ଧନୁଷ ବାଣ ପ୍ରସ୍ତୁତ କରିଥିଲେ । ଏହି ଧନୁଷ ବାଣର ଠିକ ମଝାମଝି ଭାଗରେ ନୀତିନ ବେକରେ ଫାଶ ଝୁଲାଇ ଆତ୍ମହତ୍ୟା କରିଥିଲେ । ପୋଲିସକୁ ଏକ ଟେପ ରେକର୍ଡ ମଧ୍ୟ ମିଳିଥିଲା ଯାହାକୁ ପୋଲିସ ସୁଇସାଇଡାଲ ନୋଟ ଭାବେ ଗ୍ରହଣ କରିଛି ।

ନୀତିନଙ୍କ ସହ ଏଠାରେ କାମ କରୁଥିବା ପୂର୍ବତନ କର୍ମଚାରୀ ସଚିନ ମୋରେ କହିଛନ୍ତି, ସେ ନୀତିନଙ୍କ ଆତ୍ମହତ୍ୟା ଖବର ଶୁଣି ଷ୍ଟୁଡିଓକୁ ଧାଇଁ ଆସିଥିଲେ । ସେ ଦେଖିଥିଲେ, ନୀତିନଙ୍କ ପାଖରେ କାଗଜ ଟୁକୁଡା ପଡିଛି । ସେଥିରେ ଉଲ୍ଲେଖ ଥିଲା ଅନ୍ତିମ ସଂସ୍କାର ସେହି ଷ୍ଟୁଡିଓରେ କରାଯିବ । କାରଣ ଏହି ଏନଡି ଷ୍ଟୁଡିଓ ତାଙ୍କର ଥିଲା ଆପଣାର । ଖୁବ ଭଲ ପାଉଥିଲେ ଏହି ଷ୍ଟୁଡିଓକୁ ।

ପରିବାର ସଦସ୍ୟଙ୍କ ଅନୁରୋଧ କ୍ରମେ ନୀତିନଙ୍କ ମୃତଦେହ ଜେଜେ ହସ୍ପିଟାଲରେ ରଖାଯାଇଛି । ବିଦେଶରେ ରହୁଥିବା ତାଙ୍କର କିଛି ନିକଟ ସମ୍ପର୍କୀୟ ଆସିବା ପରେ ଶେଷକୃତ୍ୟ କରାଯିବ ।  ତାଙ୍କର ଶେଷ ଇଚ୍ଛା ଅନୁଯାୟୀ ଏନଡି ଷ୍ଟୁଡିଓରେ ହିଁ ହେବ ତାଙ୍କର ଅନ୍ତିମ ସଂସ୍କାର । ଅଗଷ୍ଟ ୯ରେ ନୀତିନ ତାଙ୍କ ୫୮ତମ ଜନ୍ମଦିନ ପାଳନ କରିଥାନ୍ତେ । ହେଲେ ତା ପୂର୍ବରୁ ସେ ଜୀବନ ହାରିଦେଲେ । ଏମିତି କହି ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟମାନେ ଆଖିରୁ ଲୁହ ଝରାଉଛନ୍ତି ।

Leave A Reply

Your email address will not be published.