Latest Odisha News

BREAKING NEWS

ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା: ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ଖସୁଛି

ଭୁବନେଶ୍ୱର: ବର୍ଷା କମିଛି । ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ । ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହୋଇଛି । ଏବେ ୧୨ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସନ ହେଉଛି । ଫଳରେ ମହାନଦୀରେ ବି ଖସୁଛି ଜଳସ୍ତର । ଏଥିସହ ରାଜ୍ୟରେ ବନ୍ୟା ଆଶଙ୍କା ଟଳିଛି । ଗତକାଲି ରାତିରେ ହୀରାକୁଦ ଜଳଭଣ୍ଡାରରୁ ଆଉ ୬ଟି ଗେଟ୍ ବନ୍ଦ ହୋଇଥିଲା ।

ଆଜି ସକାଳ ୬ଟା ସୁଦ୍ଧା ଡ୍ୟାମରେ ୬୨୮.୩୩ ଫୁଟ୍‌ ପାଣି ରହିଛି । ବର୍ତ୍ତମାନ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ହଜାର ୫୮୩ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛନ୍ତି ୨ଲକ୍ଷ ୨୪ହଜାର ୮୭୮ କ୍ୟୁସେକ୍ ପାଣି ।

ଉପରମୁଣ୍ଡରେ ବି ବର୍ଷା କମିଛି । ଏପଟେ ମୁଣ୍ଡୁଳିଠାରେ ମହାନଦୀର ଜଳସ୍ତର ବି କମିବାରେ ଲାଗିଛି । ସେହିପରି ବର୍ଷା କମିଥିବାରୁ ବିଭିନ୍ନ ନଦର ଜଳସ୍ତର ବି ଖସୁଛି । ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଇବ୍, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଓ ଦେବୀ ନଦୀର ଜଳସ୍ତର କମୁଛି । ଲଘୁଚାପ ଜନିତ ଲଗାଣ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ନଦୀ ଉଛୁଳି ଜନବସତିରେ ପଶିଥିଲା ପାଣି ।

ଗାଁଗଣ୍ଡାରୁ ଏବେ ପାଣି ଛାଡୁଛି । କିନ୍ତୁ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଛି । ବିଶେଷ କରି ସୁବର୍ଣ୍ଣରେଖା ବନ୍ୟା ପାଣିରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଲକର ବହୁ ଗାଁର ପ୍ରଭାବିତ ହୋଇଛି । ସେହିପରି ବୈତରଣୀ ନଦୀର ବନ୍ୟା ପାଣି ଯାଜପୁର, ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି । ଏବେ ପାଣି ଛାଡୁଥିବାରୁ ଲୋକ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.