Latest Odisha News

BREAKING NEWS

ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା କରିବା ପାଇଁ ।

ସାରାଂଶ, ବୃଷ ରାଶି , ଭୁଲି ଗଲେଣି ଲୋକେ , ଭାରତୀୟ ଜନତା ପାର୍ଟିର ଗୈାରବ ଗାଥା, ମହନ୍ତରୁ ମୁଖ୍ୟମନ୍ତ୍ରୀ ଆଦି ପୁସ୍ତକ ସହ ଆହୁରି ଅନେକ କବିତା ଓ ଗଦ୍ୟର ସେ ସଫଳ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ତଥା ସମ୍ମାନରେ ସମ୍ମାନିତା ।

ଲେଖିକା ନବଜ୍ୟୋତି ରାୟଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

୧. ସୃଜନଶୀଳତାର ମୌଳିକ ଅବଧାରଣାଟି କ’ଣ ?

ସୃଜନଶୀଳତାର ମୌଳିକ ଅବଧାରଣା ଗୋଟିଏ ଶବ୍ଦରେ କହିଲେ ଜିଜ୍ଞାସା। କିନ୍ତୁ ଏହା ବ୍ୟତୀତ ଆହୁରି ଅନେକ କାରକ ସୃଜନ ଯାତ୍ରାରେ ସାମିଲ। ଯେକୌଣସି ସୃଷ୍ଟି ପଛରେ ଅନେକ ଉପାଦାନ ରହିବା ଥୟ। ଗଛଟି ଯେତେ ଭଲ ସ୍ଥାନରେ ଥାଉ, ବିନା ପାଣି, ପବନ ଓ ସୂର୍ଯ୍ୟାଲୋକରେ ପଲ୍ଲବିତ ହେବା ସମ୍ଭବ ନୁହେଁ। ତେଣୁ ସୃଜନଶୀଳତାର ଅବଧାରଣା ମଧ୍ୟ ଜିଜ୍ଞାସା, ଅନୁସନ୍ଧିତ୍ସା, ଅଧ୍ୟାତ୍ମ, ବିଦ୍ରୋହ ଓ ପ୍ରଚୁର ଶ୍ରଦ୍ଧାର ଏକ ଫେଣ୍ଟାଫେଣ୍ଟି ରୂପ ।

୨. ଆପଣ ଅଧିକାଂଶ ସମୟ ସମାଜ ସେବାରେ ନିୟୋଜିତ ତେବେ ସମାଜ ସେବା ଓ ସାହିତ୍ୟ ସେବା ମଧ୍ୟରେ କିପରି ସମନ୍ୱୟ ରଖନ୍ତି ?

ପ୍ରକୃତ ଅର୍ଥରେ ସମାଜ ସେବା କରିପାରିଛି ବୋଲି ମୋର ଭରସା ନାହିଁ। ସମାଜ ମଣିଷକୁ ଯେତିକି ଦିଏ, ତା’ର କାଣିଚାଏ ମଧ୍ୟ ମଣିଷ ସେବା କରି ପାରିବ ନାହିଁ। ଆଉ ଟିକେ ସରଳ କରି କହୁଛି। ଆମେ ଯେତେ ସମ୍ପନ୍ନ ହେଲେ ବି କ’ଣ ନିଜର ବ୍ୟକ୍ତିଗତ ସ୍କୁଲ, କଲେଜ, ରାସ୍ତାଘାଟ, ଡାକ୍ତରଖାନା ଆଦି ଗଢ଼ି ପାରିବା ? ଅତଏବ ଜୀବନର ସବୁ ସମୟରେ ଆମେ ବରଂ ସମାଜ ଉପରେ ନିର୍ଭରଶୀଳ। ହଁ, ସୁଯୋଗ ମିଳିଲେ ମୋ ଚାରିପାଖର ମଣିଷ ମାନଙ୍କ ପାଖରେ ଆବଶ୍ୟକ ସମୟରେ ଠିଆ ହୁଏ ଏବଂ ଏଥିପାଇଁ ମୋ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ଅଛି ବୋଲି ଭାବେ। ବାକି ରହିଲା ସାହିତ୍ୟ ସେବା କଥା। ସାହିତ୍ୟ ମୋ ପାଇଁ ଜୀବନର ଆଧାର। ତେଣୁ ସାହିତ୍ୟ ସେବା ନୁହେଁ ବରଂ ସାହିତ୍ୟର ସାହାରା ଖୋଜୁଥାଏ ମୁଁ ଅହରହ। ସମନ୍ୱୟ କିପରି ରଖେ ପ୍ରଶ୍ନର ଉତ୍ତରରେ ମୁଁ କହିବି ନିଜେ ସମନ୍ଵିତ ନହେଲେ କୌଣସି କାର୍ଯ୍ୟରେ ସମନ୍ୱୟ ରଖିବା ସମ୍ଭବ ନୁହେଁ। ଏ କ୍ଷେତ୍ରରେ ମଧ୍ୟ ଅଧ୍ୟାତ୍ମ ମୋର ସମ୍ବଳ ।

୩. ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ମୋ ପାଇଁ ରଚନାର କଞ୍ଚାମାଲ ହେଲା ଅନୁଭୂତି। କଳ୍ପନାର ପୁଟ ପରେ ଦିଆଯାଏ, କିନ୍ତୁ ଅନୁଭୂତିର ଢାଞ୍ଚା ବିନା ଖାଲି କଳ୍ପନାରେ କିଛି ରଚନା ଅସମ୍ଭବ ବୋଲି ମୋର ବିଶ୍ବାସ ।

 ସୃଜନ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ମନେ କରନ୍ତି ?

ମୌଳିକ ସୃଜନ ପାଇଁ ଗର୍ଭ ଯନ୍ତ୍ରଣା ସହିବାକୁ ପଡେ ଅର୍ଥାତ୍ ଦେବକୀର କାରାବାସ ଭୋଗିବାକୁ ହୁଏ, ଅନୁସୃଜନ କିନ୍ତୁ ଭୀଷଣ ପରୀକ୍ଷା ଲୋଡେ। ଯଶୋଦା ହେବା ଆହୁରି କାଠିକର। ପ୍ରତି ପଦକ୍ଷେପରେ ପୁତନା, ଶକଟାସୁର ଆଦିଙ୍କ ଭୟ ଥାଏ। ତହିଁରେ ଲାଳନପାଳନରେ ସାମାନ୍ୟ ତୃଟି ହେଲେ ସବୁ ଦୋଷ ମା ମୁଣ୍ଡରେ ଲଦା ହୁଏ। ତେଣୁ ସୃଜନ ଅପେକ୍ଷା ଅନୁସୃଜନ ପାଇଁ ଅଧିକ ଯତ୍ନବାନ ହେବାକୁ ହୁଏ ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ଜଣେ ଗୃହିଣୀ ସାହିତ୍ୟ ସୃଷ୍ଟିରେ ବ୍ୟସ୍ତ ରହିବା ସାଧାରଣ ଭାବେ କାହାରିକୁ, ବିଶେଷ କରି ଘରଲୋକଙ୍କୁ ପସନ୍ଦ ହୁଏନାହିଁ। ସମସ୍ତେ ଚାହାଁନ୍ତି ସ୍ତ୍ରୀ ଲୋକଟି ଘର ସଜେଇ, ରାନ୍ଧି ବାଢି, ନିଜେ ସାଜି ସୁଜି ହେଇ ରହୁ। ଅବଶ୍ୟ ଏଥିରେ ବ୍ୟତିକ୍ରମ ଦେଖାଯାଏ। ମୁଁ ସାହିତ୍ୟ ସର୍ଜନା ବିଳମ୍ବରେ ଆରମ୍ଭ କରିଥିବାରୁ, ବହୁତ ବେଶୀ ବାଧାର ସମ୍ମୁଖୀନ ହେଇନି। ଆଉ ଯଦି କେବେ ବାଧା ଆସେ ତାକୁ ଅତିକ୍ରମ କରି ଆଗକୁ ଯାଇ ପାରିଛି। ଅବଶ୍ୟ ପରିବାର ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ମିଳିଛି, କିନ୍ତୁ ନିଜକୁ ଅଧିକ ସାହସୀ ହେବାକୁ ହେଇଛି।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ। ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

 

ଆପଣଙ୍କ କଥାରେ ଏକମତ। ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ। ମୋ ନିଜ ଲେଖାକୁ ସମୀକ୍ଷା କଲେ ମତେ ମୋ ଅଳସୁଆ ପ୍ରକୃତି ଜଳ ଜଳ ଦିଶେ। ଆହୁରି ଅଧିକ ଅଧ୍ୟୟନ, ଗବେଷଣା ଓ ଚିନ୍ତନ ହେଲେ ଲେଖାଗୁଡିକ ଆଉ ଟିକେ ଭଲ ହେଇପାରନ୍ତା। କିନ୍ତୁ ପ୍ରକୃତି କୋଉ ସହଜେ ବଦଳେ !

ସାହିତ୍ୟ କ୍ଷେତ୍ରରେ ସମ୍ମାନ ଓ ସ୍ୱୀକୃତି ଜଣେ ସ୍ରଷ୍ଟାଙ୍କୁ କିପରି ଅନୁପ୍ରେରିତ କରେ ?

ସମ୍ମାନ ଓ ସ୍ୱୀକୃତି ଜଣେ ସ୍ରଷ୍ଟାକୁ ନିଶ୍ଚିତ ଭାବେ ଅନୁପ୍ରେରିତ କରେ। ମନେ କରନ୍ତୁ ଆପଣ ମନ ଦେଇ ରାନ୍ଧିଛନ୍ତି, ସମସ୍ତେ ଖାଇଲା ପରେ ଯଦି ମନ ଖୋଲି ପ୍ରଶଂସା କଲେ ଆପଣଙ୍କୁ କେତେ ଖୁସି ଲାଗିବ କହିଲେ ? ସେମିତି ପ୍ରତ୍ୟେକ ସ୍ରଷ୍ଟାର ସ୍ୱୀକୃତି ପାଇଁ ଆଗ୍ରହ ଥାଏ। ପୁରସ୍କାର ପାଇଲେ ଖୁସି ଲାଗେ, କିନ୍ତୁ ସ୍ୱୀକୃତି ମନକୁ ଏକ ସ୍ଵତନ୍ତ୍ର ଅନୁଭବ ଦିଏ ।

ସମକାଳୀନ କବିତାକୁ ଆପଣ କିପରି ଭାବରେ ଦେଖନ୍ତି ?

ମୁଁ ଜଣେ ବିଚକ୍ଷଣ ପାଠକ ନୁହେଁ। ତେଣୁ ସମକାଳୀନ ସବୁ କବିଙ୍କୁ ମୁଁ ପଢ଼ିନାହିଁ। ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ ସୁନ୍ଦର ଜିନିଷ ପଢ଼ିବାକୁ ମିଳୁଛି। ହଁ, କିଛି ଅଳିଆ ବି ଅଛି, କିନ୍ତୁ ଆପଣ ମାଛି ହେବେ କି ମହୁମାଛି ତାହା ଆପଣଙ୍କ ଉପରେ ନିର୍ଭର କରେ। ଯେକୋୖଣସି କବିତାରେ ବକ୍ତବ୍ୟ ସ୍ପଷ୍ଟ ହେଲେ ଏବଂ ସାଙ୍ଗୀତିକତା ଥିଲେ ମତେ ତାହା ବାନ୍ଧି ରଖେ ।

ପାଠକ ନକରାତ୍ମକ ମତ ରଖିଲେ ଆପଣ ତାକୁ କେମିତି ଭାବରେ ଗ୍ରହଣ କରନ୍ତି ?

ମତ ରଖିବା ପାଇଁ ସବୁ ପାଠକ ସ୍ଵାଧୀନ। ନକରାତ୍ମକ ମତ ଗଠନମୂଳକ ହେଲେ ମୁଁ ତାକୁ ଆନନ୍ଦରେ ଗ୍ରହଣ କରେ, କିନ୍ତୁ ସବୁଥିରେ ଖୁଣ କାଢୁଥିବା ଲୋକଙ୍କ ନକରାତ୍ମକ ଡିଆଁକୁଦାକୁ ଏଡେଇ ଯିବାକୁ ଉଚିତ୍ ଭାବେ ।

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ସମସାମୟିକ ଲେଖକଙ୍କୁ ବାର୍ତ୍ତା ଦେବା ଭଳି ଯୋଗ୍ୟତା ମୋର ନାହିଁ। କେବଳ ଏତିକି କହିବି ବିପୁଳ ଅଧ୍ୟୟନ କରନ୍ତୁ ଓ ଲେଖିବା ଜାରି ରଖନ୍ତୁ।

Leave A Reply

Your email address will not be published.