Latest Odisha News

BREAKING NEWS

ଓଡିଶାର ୧୨ଟି ବନଖଣ୍ଡ ହାତୀଶୂନ୍ୟ

ଭୁବନେଶ୍ୱର: ଓଡିଶାରେ ବର୍ଷ ୨୦୧୬ ପରଠାରୁ ପାଖାପାଖି ୨୪୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବେଆଇନ ଶିକାର, ବିଦ୍ୟୁତ ଆଘାତ, ସଡକ ଦୁର୍ଘଟଣା ଓ ଅନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଏତେ ଖରାପ ଯେ, ରାଜ୍ୟର ୫୦ରୁ ୧୨ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାଁନ୍ତି । ରାଜ୍ୟ ରାଜଧାନୀରେ ଥିବା ଚନ୍ଦକା ଅଭୟାରଣ୍ୟରେ ମାତ୍ର ଗୋଟିଏ ହାତୀ ଅଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ମଙ୍ଗଳବାର ଦିନ ବିଧାନସଭାରେ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି କି, ୨୦୧୭ ମସିହାର ହାତୀଗଣନା ଅନୁସାରେ, ଓଡିଶାରେ ୧୯୭୬ଟି ହାତୀ ଥିଲେ । ସେମାନଙ୍କ ମଧ୍ୟରୁ ୩୩୦ଟି ଜମ୍ବୋ ହାତୀ ଶିମିଳିପାଳ ଜାତୀୟ ଉଦ୍ୟାନରେ, ଢେ଼ଙ୍କାନାଳରେ ୧୬୯, ସାତକୋଶିଆରେ ୧୪୭ ଓ ଆଠଗଡରେ ୧୧ଟି ହାତୀ ଥିବା ରିପୋର୍ଟରୁ ଜଣାପଡିଛି । ଶିମିଳିପାଳ ଜାତୀୟ ଉଦ୍ୟାନ, ମହାନଦୀ ଓ ସମ୍ବଲପୁର ବନଖଣ୍ଡରେ ହାତୀ ସଂରକ୍ଷଣ ଯୋଜନା ଆରମ୍ଭ କରିଦିଆଯାଇଛି ।

ଏହାବ୍ୟତୀତ ୧୪ଟି ହାତୀ କରିଡରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛିି । ହାତୀମାନଙ୍କ ଖାଦ୍ୟ ପାନୀୟ ପାଇଁ ହାତୀ କରିଡରରେ ନୂଆ ପୋଖରୀ ଖୋଳାଯିବା ସହିତ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଚାରାଗଛ ରୋପଣ କରାଯାଉଛି ବୋଲି ଆରୁଖ କହିଛନ୍ତି ।

ବିଦ୍ୟୁତ ତାର ଆଘାତ ଜନିତ ହାତୀ ମୃତୁ୍ୟକୁ ରୋକିବା ପାଇଁ ରାଜ୍ୟ ଶକ୍ତି ବିଭାଗର ଅଧିକାରୀଙ୍କ ସହ ନିୟମିତ ରୂପେ ସମନ୍ୱୟ ବୈଠକ କରାଯିବ । ଦୁର୍ଘଟଣା ଜନିତ ହାତୀ ମୃତ୍ୟୁକୁ ରୋକିବା ପାଇଁ ରେଳବାଇ ଓ ସଡକ ପରିବହନ ଅଧିକାରୀଙ୍କୁ ମଧ୍ୟ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।

Leave A Reply

Your email address will not be published.