Latest Odisha News

ଏବେ ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାକୁ ଏବେ ବାତ୍ୟା ଭୟ ନାହିଁ । ଗତ କିଛି ଦିନଧରି ଓଡ଼ିଶାରେ ଝଡ଼ବର୍ଷା ଲାଗି ରହିଥିବା ବେଳେ ବାତ୍ୟା ସମ୍ଭାବନାକୁ ନେଇ କଳ୍ପନା ଚାଲିଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪/୫ ଦିନ ମଧ୍ୟରେ ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର୍ ବିଶ୍ୱାସ ଏସମ୍ପର୍କରେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସହ, ସଂଶ୍ଳିଷ୍ଟ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ଟ୍ରପୋସ୍ପିୟରର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହି ଲଘୁଚାପ ବଳୟ ଏହି ଅଂଚଳରେ ଆସନ୍ତା ୪ ଦିନ ଯାଏଁ ଏମିତି ବାୟୁମଣ୍ଡଳର ଏହିଭାଗରେ ବୁଲିବାର ସମ୍ଭାବନା ରହିଛି । ଏହି ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାର କୌଣସି ସମ୍ଭାବନା ନାହିଁ ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ମାତ୍ରାରେ ଘନିଭୂତ ହୋଇନାହିଁ । ଆଗାମୀ ୫ ଦିନ ମଧ୍ୟରେ ଓଡ଼ିଶା ଉପକୂଳରେ ବାତ୍ୟା ଭୟ ନାହିଁ । “ବାତ୍ୟା ହେବାନେଇ ଆମେ ଏପର୍ଯ୍ୟନ୍ତ କୌଣସି ସମ୍ଭାବନା ଦେଖିନାହୁଁ । ଏହାର ପ୍ରଭାବ କେବଳ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦୀପପୁଞ୍ଜରେ ରହିଛି ।”

“ସେହିପରି ଭାବେ ଭାରତର କୌଣସି ଉପକୂଳକୁ ମଧ୍ୟ ସତର୍କ ସୂଚନା ଦିଆଯାଇନାହିଁ । ଏପରିକି ଏହି ପରିପ୍ରେକ୍ଷୀରେ ବାତ୍ୟା କିମ୍ବା ଡିପ୍ରେସନ ସମ୍ପର୍କୀତ କୌଣସି ସୂଚନା ଆମ ବିଭାଗ ପକ୍ଷରୁ ଦିଆଯାଇନାହିଁ । ତେବେ ବର୍ତ୍ତମାନର ସ୍ଥିତି ଉପରେ ପାଣିପାଗ ବିଭାଗ ପକ୍ଷରୁ ତୀକ୍ଷଣ ଦୃଷ୍ଟି ରଖାଯାଇଛି ।” ଏହା କହିଛନ୍ତି ଶ୍ରୀ ମହାପାତ୍ର ।

Leave A Reply

Your email address will not be published.