Latest Odisha News

BREAKING NEWS

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ ନିୟମକୁ କଡାକଡି କରିବା ପାଇଁ ନିକଟରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି । ଏଥିସହିତ ଭାରତୀୟ ମାନକ ବ୍ୟୁରୋର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ ।

ଏଚୟୁଆଇଡି ହେଉଛି ଏକ ସ୍‌:ତନ୍ତ୍ର ପରିଚୟ ନମ୍ବର । ସୁନା ହଲମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେଶନ । ୨୦୨୧ ଜୁନ ୧୬ ପର୍ଯ୍ୟନ୍ତ ସୁନା ହଲମାର୍କିଂ ସ୍ୱେଚ୍ଛାଧୀନ ଥିଲା । ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନିଆଯାଇ ଥିଲା । ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଜିଲ୍ଲାରେ ସୁନା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ଆଉ ୩୨ଟି ଜିଲ୍ଲାକୁ ସେଥିରେ ସାମିଲ କରାଯାଇଥିଲା । ମୋଟ ୨୮୮ ଜିଲ୍ଲାରେ ତାହା ଲାଗୁ କରାଯାଇଛି । ଆଉ ୫୫ଟି ଜିଲ୍ଲାରେ ଏହି ନିୟମକୁ ଲାଗୁ କରିବା କାମ ଜାରି ରହିଛି ।

ଅନ୍ୟପକ୍ଷେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି, ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହଲମାର୍କ ହୋଇ ନ ଥିବା ସୁନାଗହଣାର ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ଏ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଏବେ ହଲମାର୍କିଂ ହୋଇଥିବା ସୁନା ବିକ୍ରି ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.