ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଅଶୁଣା ଶବ୍ଦ ବ୍ୟବହାର
କରିଲେ ଭାବନା ସଂହାର
ହୁଏନି କାହା ଉପକାର
ଲେଖକେ କରଂତୁ ବିଚାର
‘ଭୋକ’କୁ କହିଦେଲେ ‘କ୍ଷୁଧା’
ମିଳେନି କୌଣସି ସୁବିଧା
ଶବ୍ଦାର୍ଥ କରିଲେ ସଂଧାନ
ପାଠକ ହୁଏ ହଇରାଣ
‘ଲାଜ’କୁ କହୁଁ ଯଦି ‘ବ୍ରୀଡ଼ା’
କିଏ ବୁଝିବ ଆମ ଛଡ଼ା?
ଏ ପ୍ରଶ୍ନ କରିଲେ ବିଚାର
ବଢ଼ିବ ଭାଷାର ଆଦର
ପାଠକ ସ୍ମୃତି ବହିର୍ଭୂତ
ଶବ୍ଦ ହୋଇଲେ ବ୍ୟବହୃତ
ସୁବୋଧ୍ୟ ହୁଏନାହିଁ ପାଠ
ସମସ୍ୟା ହୁଅଇ ଉତ୍କଟ
ସାହିତ୍ୟ ହେଲେ ସୀମାବଦ୍ଧ
ଭାଷା ହୁଏନି ନିରାପଦ
ବିଦ୍ବାନ୍ ମଂଡଳୀରେ ରହି
ଯାଏ କ୍ରମଶଃ ଲୁପ୍ତ ହୋଇ
ଆବେଗ, ଉଦ୍ବେଗ, ସଂବେଗ
ମନର କ୍ଷଣିକ ସ୍ଫୁଲିଂଗ
ଥିଲେ ହେଁ ବହୁବିଧ ରଂଗ
ହୁଏ ଗଠିତ, ପୁଣି ଭଂଗ
ଭାବ ଓ ଜ୍ଞାନ ଚଳାଚଳ
କରେ ଏ ବିଶ୍ବର ମଂଗଳ
ଭାଷାରେ ହେଲେ ପ୍ରକଟିତ
ହୁଅଇ ବହୁ ଜନାଦୃତ
ଅପ୍ରତିରୋଧ୍ୟ ଭାବାବେଗ
ଯୋଗୁଁ ହିଁ ନିଶ୍ଚିତ ଦୁର୍ଯୋଗ
ଘଟେ ବିଶ୍ବରେ ନିରଂତର
ନାହିଁ ଏହାର ଉପଚାର
ଆବେଗ ହେଲେ ନିୟଂତ୍ରିତ
ମନରେ ଜ୍ଞାନ ହୁଏ ଜାତ
କରିଲେ ସେ ଜ୍ଞାନ ପ୍ରୟୋଗ
ମିଳଇ ହୀରକ ସୁଯୋଗ
ଶବ୍ଦାଡ଼ଂବର ପ୍ରଦର୍ଶନ
ହେଲେ ହେଁ ରାଜକୀୟ ଗୁଣ
ତାହାର ନାହିଁ ପ୍ରୟୋଜନ
ସର୍ବେ ପାଆଂତୁ ସର୍ବ ଜ୍ଞାନ