ରବି ପଣ୍ଡା
ଏ’ ଯେଉଁ କୃଷ୍ଣଚୂଡ଼ା କୁରୁକୁରୁ ହସୁଛି ଖରାରେ
ଫୁଲେଇଟେ ଭାରି ବୋଲି ଜଣାଏ ତା’ରଙ୍ଗର ଡହକ
ମରିଚିକା ପରି ତା’ର ଆକର୍ଷଣ, ମନଟାକୁ ଆନମନା କରେ
ପଥ ପ୍ରାନ୍ତେ ଠିଆ ବାରନାରୀ , ଯେପରିକି ଖୋଜଇ ଗ୍ରାହକ।
ସତରେ ସେ’ଭାରି ନୀରିମାଖି, ଦୁଃଖଲାଗେ,ଭାବିଲେ ତା’କଥା
ରୂପକୁ ସମ୍ବଳ କରି ଯୋଡୁ ଥାଏ ଅନେକ ସମ୍ପର୍କ
ବାସ୍ନାଟିକେ ନାହିଁ ବୋଲି ମନରେ ତା’ଅସରନ୍ତି ବ୍ୟଥା
ଫୁଲକି ଫୁଲରେ ଯାଏ, ରଙ୍ଗ ଥାଇ ନଥିଲେ ମହକ?
ତଥାପି ସେ ବିଷାଦର ବିଷପିଇ, ହସୁଥାଏ ନିର୍ଘାତ ଖରାରେ
ଜାଣିଚି ସେ ଜୀବନଟା ସୁଦୁଗୋଟେ, ଛଳନାର ଖରାଛାଇ ଖେଳ
ଖେଳିବାର ବେଳ ସରିଗଲେ,କିଏ ଆଉ କାହାକୁ ପଚାରେ!
ଫୁଟିବା ବେଳଠୁଁ ତେଣୁ କରୁଛି ସେ ଛଳନା ପ୍ରବଳ।
ହାୟ କ୍ରୁଷ୍ଣଚୂଡା, ରଙ୍ଗତୁମ ମନ୍ଦ ନୁହେଁ, ଗନ୍ଧହୀନ ରକ୍ତିମ ପାଖୁଡ଼ା
କେଉଁ ଏକ ଶୋକ ସଙ୍ଗୀତର ତମେ ଏକ କରୁଣ ମୁଖଡ଼ା।