ଆମ ଓଡ଼ିଆରେ ଗୋଟେ କଥା ଅଛି ଗୋଦରା କୋଡ଼େ ଯେତେ ମାଡ଼େ ସେତେ । ଅର୍ଥ ସମସ୍ତେ ଜାଣନ୍ତି । ଆଜି ପୁଣି ସେ କଥା କାହିଁକି ?ଆଜିକାଲି ଆମ ସରକାର ଜନସାଧାରଣଙ୍କ ଗମନାଗମନ ଉପରେ ଅଗ୍ରାଧିକାର ଦେଉଛନ୍ତି । ଭଲ କଥା । ଖରାପ କିଏ କହିବ? କାହିଁକି ବା କହିବ? ହଁ ବିରୋଧି ଦଳଙ୍କ କଥା ଅଲଗା । ଅନେକ ବର୍ଷ ହେଲାଣି ଭାରତୀୟ ରାଜନୀତିରେ ବିରୋଧି ଦଳର କାମ କେବଳ କ୍ଷମତାରେ ଥିବା ସରକାରଙ୍କୁ ସମାଲୋଚନା କରିବା ଭିତରେ ସୀମିତ ରହିଛି । ସତକଥା ହେଲା, ଗଲା କେତେ ବର୍ଷ ହେଲାଣି ସରକାର ବେଶୀ ବେଶୀ ରାସ୍ତା ଘାଟ ତିଆରି କରୁଛନ୍ତି । ମୂଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ନୂଆ ରାସ୍ତା ତିଆରି ହେଉଛି । କିନ୍ତୁ ଅସଲ ଅସୁବିଧାଟି ହେଲା, ବର୍ଷ ବର୍ଷ ଧରି ଚାଲୁଥିବା କାମଟି ସରୁନି । ଧର ଏକଦା ଧାନ, ମୁଗ ଚାଷ ହେଉଥିବା ବିଲକୁ କିଣି ଧିରେ ଧିରେ କିଛି ଲୋକ ଘର କଲେ । ମାଟି କାଦୁଅର ରାସ୍ତା ପ୍ରଥମରୁ ଥିଲା । ସେଥିରେ ଘର ତିଆରିରୁ ବର୍ଜ୍ୟ ବସ୍ତୁ ଭାବରେ ବାହାରୁଥିବା ଗୋଡ଼ି, ପଥର, ବାଲି ଓ ଇଟା ତକ ପକେଇଲେ ।
ବର୍ଷ ବର୍ଷ ଧରି ବିଶେଷ କରି ବର୍ଷାଦିନ ମାନଙ୍କରେ ବାର ହିନସ୍ତା ହେଲାପରେ ବାର ନେହୁରା ହେଲାପରେ ଓ ସ୍ଥାନୀୟ ରାଜନେତାଙ୍କ ଶରଣାପନ୍ନ ହେଲାପରେ ଶେଷରେ ସରକାର ରାସ୍ତା କଲେ । ପ୍ରଥମେ ନାଲି ଗୋଡ଼ିର ରାସ୍ତା । କିଛି ବର୍ଷ ପରେ ପିଚୁ । ତା’ ପରେ କଂକ୍ରିଟ୍ । ଏଥର ସ୍ଥାନୀୟ ଲୋକମାନେ କଲୋନୀ ନାମ ଅମୁକ କି ସମୁକ ବିହାର ବି ରଖିସାରିଥାନ୍ତି । ଲୋକେ ଖୁସି ଏତେଦିନ ପରେ ବିନା କାଦୁଅ ପାଣିରେ ଘରଯାଏ ଆସିହେଉଛି । ଦିଇ ଚକିଆ ଓ ଚାରିଚକିଆ ଆସି ସିଧା ଘରର ପୋର୍ଟିକରେ ଠିଆ ହେଇ ପାରୁଛି । ହେଲେ ଖୁସିମାନେ ସବୁବେଳେ କ୍ଷଣସ୍ଥାୟୀ ।
ହଠାତ୍ ଦିନେ କିଛି ଲୋକ ଆସି ରାସ୍ତାର ଡାହାଣ ପଟ ଖୋଳୁଛନ୍ତି । କ’ଣ ନା ଟେଲିଫୋନ କେବୁଲ୍ ଯିବ । ହଉ ଭଲକଥା । ଟେଲିଫୋନ୍ ବାଲା ତାଙ୍କ କେବୁଲ୍ ବିଛେଇ ପଳେଇବେ । ସୁନ୍ଦରିଆ ରାସ୍ତାର ଡାହାଣ ପଟଟା ଏଥର ଦର ଖଣ୍ଡିଆ । ତାପରେ ଆସିଲେ ପାଣି ପାଇପ୍ ବାଲା । ସେମାନେ ବି ଖୋଳି ପକେଇବେ ଓ କାମ ସାରି ଦରଖଣ୍ଡିଆ କରି ପଳେଇବେ । ତାପରେ ଆସିବେ ଡ୍ରେନ୍ ବାଲା । ଘର ପାଚେରୀକୁ ଲଗେଇ ପୁଣି ଚାଲିବ ଖୋଳା ଖୋଳି । ପୁଣି ମାଟି ଗୋଡ଼ି, ବାଲି ଓ ସିମେଣ୍ଟ । ଡ୍ରେନ୍ ତିଆରି ହେଇ କେଇ ମାସ ଖୋଲା ମେଲା ହେଇ ରହିବ । କେଇ ଜଣ ଅନ୍ଧାର ରାତିରେ ତା’ ଭିତରେ ପଡ଼ି ଖଣ୍ଡଆ ଖାବରା ହେଲାପରେ ତାକୁ ବନ୍ଦ କରିବାକୁ ସ୍ଳାବ୍ ପଡ଼ିବ । ଏଥର ରାସ୍ତାର ଚଉଡ଼ା କେଇ ହାତ କମିଯିବ । କାରଣ ରାସ୍ତାର ଉଭୟେ ପାଶ୍ୱର୍ରେ ରାସ୍ତା ପତ୍ତନରୁ ହାତେ ଉଚ୍ଚତାର ଥିବ ଡ୍ରେନ୍ ।
ଏବେ ଅସରାଏ ବର୍ଷାରେ କଂକ୍ରିଟ ରାସ୍ତା ଉପରେ ବହଳେ କାଦୁଅ । ବେଶୀ ବର୍ଷା ହେଲେ ଡ୍ରେନ୍ ରେ ପାଣି ଯାଉନି । ପଲିଥିନ୍, ଥର୍ମୋକୁଲ୍ ଓ ମାଟି ବାଲିରେ ମାତ୍ର ଗୋଟେ ଭଲ ଅସରାଏ ବର୍ଷାରେ ଡ୍ରେନ୍ ର ହାଲ୍ ବେହାଲ୍ । ବିଚରା ଲୋକେ କ’ଣ ବା କରିବେ? ସେମାନେ ତ ଦେଶ ଓ ସହରର ଉନ୍ନତିକରଣ ଯୋଜନାକୁ ଆଉ ବିରୋଧ କରିପାରିବେନି । ବିଶ୍ୱାସର ସହ ଅପେକ୍ଷା କରିବେ ହଁ କିଛି ଦିନ ପରେ ସବୁ ଠିକ୍ ହେଇଯିବ । ସବୁ ଠିକ୍ ହବାର ଅପେକ୍ଷା ଭିତରେ ଦିନେ ବଡ଼ ବଡ଼ ମାଟି ଖୋଳା ଯନ୍ତ୍ର ଦାନବ ଜେସିବି ଆସି ପହଁଞ୍ଚି ମଜୁଭୁତିଆ କଂକ୍ରିଟ୍ ରାସ୍ତାର ଠିକ୍ ମଝିରେ ପାତାଳ ଯାଏଁ ଖୋଳା ଆରମ୍ଭ କରିଦେବେ । କ’ଣ ନା ସ୍ୱେରେଜ ଲାଇନ୍ ଯିବ । ରାସ୍ତାର ଦିଇ ପଟରେ ଥିବା ଲୋକମାନଙ୍କର ପ୍ରକୃତ ଯମ ଦଣ୍ଡ ଆରମ୍ଭ ହେଇଗଲା ଜାଣ । ତାରିଖ ଅନୁସାରେ କାମ ଆରମ୍ଭ ସିନା ହେଲା କିନ୍ତୁ ସରିବ କେବେ କେବଳ ମା ଗଙ୍ଗେ ହିଁ ଜାଣନ୍ତି ।
ଘଟଣା କେବଳ ଗଳିକନ୍ଦିରେ ସୀମିତ ନାହିଁ । ସହରର ମୂଖ୍ୟ ରାସ୍ତାର ଅବସ୍ଥା ମଧ୍ୟ ତଦୃପ । ଚାରିଦିନ ତଳେ ତମେ ଯେଉଁ ରାସ୍ତାରେ ଯାଇଥିଲ ସେଇ ରାସ୍ତାରେ ତମେ ଫେରି ପାରିବ ବୋଲି କିଛି ବି ଗ୍ୟାରେଣ୍ଟି ନାହିଁ । ଏଠି ଅସଲ ପ୍ରଶ୍ନଟି ହେଲା କ’ଣ ପାଇଁ ବ୍ୟବସ୍ଥା ଭିତରେ ଏଇ ସବୁ ଅବ୍ୟବସ୍ଥା ରହିଛି? ଏତେ ବର୍ଷ ଭିତରେ ବିଭିନ୍ନ ବିଭାଗ ସାଙ୍ଗରେ ସମନ୍ୱୟ କରାଯାଇ କାମଟି କ’ଣ ପାଇଁ କରିବା ସମ୍ଭବ ହେଇପାରୁନି? ଜନସାଧାରଣଙ୍କ ଲାଭ ହେବ କହି ଅସଲ ଲାଭ ଉଠଉଛି କିଏ? ଏହାକୁ ଅପରିଣାମଦର୍ଶିତା କହିବା ନା ଜାଣି ସିଆଣା କହିବା? ଏତେ ଭଙ୍ଗା ଗଢା କ’ଣ ପାଇଁ? ଥରେ ତିଆରି ପାଇଁ ପଇସା ଖର୍ଚ୍ଚ କର ପୁଉଣି ଭାଙ୍ଗିବା ପାଇଁ ବି ପଇସା ଖର୍ଚ୍ଚ କର ।
ସହରୀ ଜୀବନ କମୁ୍ୟନିଟି ଲିଭିଙ୍ଗରୁ ଦୂରେଇ ସାରିଛି । ଘଟଣା କ୍ରମରେ କିଏ କୋଉଠୁ ଆସି ସହରରେ ଘର କରିଛନ୍ତି । ଘର ଖଣ୍ଡେ ଗଢିଥିବା ମଣିଷ ପାଇଁ ତା’ ଆଖ ପାଖ ସାଇ ପଡିଶା ଅଜଣା ଅଚିହ୍ନା । ଏମିତି ଅବସ୍ଥାରେ ପ୍ରତିବାଦ ବା କରିବ କିଏ? ଆମ ରାଜନେତା, ଠିକାଦାର ଓ ସରକାରୀ ବାବୁଙ୍କ ସଲାସୁତରରେ ଦେଶର ଉନ୍ନତି ଚାଲିଛି । ଯୋଜନା ପରେ ଯୋଜନା । କେତେ କେତେ ସ୍ୱପ୍ନ ଓ ପ୍ରତିଶୃତି । କାହିଁ କେତେ ହରଣ ଗୁଣନ ମିଶାଣ ଫେଡ଼ାଣ । କିନ୍ତୁ ପରିଶେଷରେ ଭାଗଫଳ ଯେ ଶୂନ୍ । କୋଦଡ଼ା ଗଳଦଘର୍ମ ହେଇ କୋଡୁଛି ଯେତିକି ମାଡୁଛି ବି ସେତିକି ।
Comments are closed.