Latest Odisha News

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ କଥାଶିଳ୍ପୀ ନବକିଶୋର ରାଜ

କଟକ: ସୁବିଦିତ କଥାଶିଳ୍ପୀ ତଥା ଅନୁବାଦକ ନବକିଶୋର ରାଜଙ୍କ ପରଲୋକ ଘଟିଛି । ଫେବୃଆରୀ ୧୩ ତାରିଖ ରାତି ୯ଟା ୩୦ ମିନିଟ୍ ସମୟରେ କଟକ ଠାରେ ତାଙ୍କର ଦେହାନ୍ତ ହୋଇଥିବାବେଳେ, ଆଜି ସନ୍ଧ୍ୟାରେ ପୁରୀର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । କିଛିଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ।

ଜନ୍ମଜନ୍ମାନ୍ତରବାଦ ଉପରେ ଆଧାରିତ ତାଙ୍କର ଉପନ୍ୟାସ ‘ଛାୟାପୁରୁଷ’ ପାଇଁ ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଏହାବ୍ୟତୀତ ‘ସୁବର୍ଣ୍ଣ କଳସ’, ‘ମାୟାନଦୀ’, ‘ବିତରାଗ’, ‘କାଳାଗ୍ନି’ ଓ ‘ପୌର୍ଣ୍ଣମାସୀ’ ପ୍ରଭୃତି ଉପନ୍ୟାସ ମଧ୍ୟ ତାଙ୍କ ଦ୍ବାରା ରଚିତ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ବେଶ ପାଠକାଦୃତ ହୋଇଥିଲା । ‘ଭାରତର ସାଧକ’ ଓ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୁସ୍ତକଗୁଡ଼ିକର ଅନୁବାଦ ପାଇଁ ମଧ୍ୟ ସେ ସୁପରିଚିତ ଥିଲେ ।

ସେ ୧୯୭୦ ମସିହାରେ ସରକାରୀ ଚାକିରୀରେ ଯୋଗଦାନ କରିଥିଲେ ଏବଂ ନିଜ କର୍ତ୍ତବ୍ୟନିଷ୍ଠାର ପ୍ରଦର୍ଶନ କରି ୨୦୦୪ ମସିହାରେ ଅର୍ଥ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ପଦବୀରେ ଥାଇ ସେ ଚାକିରିରୁ ଅବସର ନେଇଥିଲେ ।

Comments are closed.