Latest Odisha News

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ ବାଦ ଦେଇ ଅନ୍ୟ ସମସ୍ତ ଜିଲ୍ଲାରେ କାଳିଆ ସହାୟତା ଦିଆଯାଇଛି।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଝାରସୁଗୁଡ଼ା ଜିଲ୍ଲାରେ ଏହି ସହାୟତା ପ୍ରଦାନ କରାଯାଇ ନାହିଁ। କିନ୍ତୁ ଉପନିର୍ବାଚନ ଘୋଷଣା ହୋଇସାରିଥିବାରୁ ରାଜ୍ୟବ୍ୟାପୀ ଚାଷୀମାନେ କାଳିଆ ସହାୟତା ପାଇବା ଶାସକ ଦଳକୁ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ଏହା ସରକାରଙ୍କ ଚାଷୀ କାର୍ଡ ବୋଲି ଆଲୋଚନା ହେଉଛି।

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ସର୍ବାଧିକ ଲୋକେ କୃଷି ଉପରେ ନିର୍ଭର କରନ୍ତି। ସାଧାରଣ ନିର୍ବାଚନ ଆସନ୍ନ। ଏପରିକି ଝାରସୁଗୁଡ଼ା ଉପନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି। ରାଜ୍ୟରେ ନବ ଦାସ ହତ୍ୟାକାଣ୍ଡ ସହ ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି।

ଏହି ପ୍ରସଙ୍ଗ ଯୋଗୁ ଶାସକ ଦଳ ଏବେ ଅସୁବିଧାରେ ପଡିଥିବା କୁହାଯାଉଛି। ତେଣୁ ଏଭଳି ସ୍ଥିତିରେ ଚାଷୀ କୂଳକୁ ଖୁସି କରିବା ପାଇଁ କାଳିଆ ସହାୟତା ଦିଆଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଏକ ନିର୍ଣ୍ଣାୟକ ଲଢେଇ ହେବ। ପୂର୍ବରୁ ଧାମନଗର ଉପନିର୍ବାଚନରେ ବିଜେଡି ପରାସ୍ତ ହୋଇଥିବା ବେଳେ ସେଠାରେ ବିଭିନ୍ନ ଚାଷୀ ସଂଗଠନର ବିରୋଧ ଦେଖିବାକୁ ମିଳିଥିଲା।

କିନ୍ତୁ ତା ପରେ ପଦମପୁର ଚାଷୀ ବହୁଳ ଅଞ୍ଚଳ ହୋଇଥିଲେ ମଧ୍ୟ ବିଜେଡିକୁ ଭଲ ସଫଳତା ମିଳିଥିଲା। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ରହିଛି। ସରକାରଙ୍କୁ ବିରୋଧି ଘେରୁଥିବା ବେଳେ ରାଜ୍ୟବ୍ୟାପୀ ସରକାର ବିରୋଧରେ ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ଏପରିକି ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ଚାଷୀକୁଳକୁ ଖୁସି କରିବା ସହ ସେମାନଙ୍କ ସମର୍ଥନକୁ ନିଜ ଆଡକୁ ନେବାକୁ କାଳିଆ ବେଶ ଉପାଦେୟ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.