Latest Odisha News

BREAKING NEWS

ଝାରସୁଗୁଡ଼ାରୁ ବିଜେପି, କଂଗ୍ରେସରୁ କିଏ?

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପ୍ରାର୍ଥୀ ଘୋଷଣା ପରେ ତତ୍ପର ହୋଇଉଠିଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯାଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲା କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀଙ୍କୁ ପିସିସି ସଭାପତି ଆଗାମୀ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।

୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାଏକଙ୍କ ନାଁ କଂଗ୍ରେସ ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ନାଁ ମଧ୍ୟ ଚର୍ଚ୍ଚା ହେଉଛି। ହେମାନନ୍ଦଙ୍କର ନିଜସ୍ୱ ବେଶ ସେଠାରେ ଥିବାରୁ ଅମିତାଙ୍କୁ ପ୍ରାର୍ଥୀ କରାଯାଇ ପାରେ ବୋଲି ଆଲୋଚନା ହେଉଛି। ଏପରିକି ଦୀପାଳିଙ୍କୁ ବିରୋଧରେ ଜଣେ ମହିଳା ପ୍ରାର୍ଥୀ ହିଁ ଭଲ ଫାଇଟ ଦେଇପାରିବେ ବୋଲି ଆଲୋଚନା ହେଉଛି।

ସେପଟେ ଝାରସୁଗୁଡ଼ାରେ ବିଜେପି ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନେଶ ଜୈନ ପୂର୍ବରୁ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବ ନିର୍ବାଚନରେ ଭଲ ଭୋଟ ମଧ୍ୟ ପାଇଥିଲେ। ଏଥର କିନ୍ତୁ ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କ ନାମ ଚର୍ଚ୍ଚାରେ ଆଗରେ ରହିଛି।

ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଉପନିର୍ବାଚନ ସାଧାରଣ ନିର୍ବାଚନ ପୂର୍ବରୁ ଏକ ସେମିଫାଇନାଲ ଭଳି ହୋଇଥିବାରୁ ଶାସକ ଦଳ ଭଲ ବ୍ୟବଧାନରେ ଜିତିବାକୁ ଯୋଜନା ରଖିଛି। ନବ ଦାସଙ୍କ ଲୋକପ୍ରିୟତା ଥିବା ଯୋଗୁ ଦୀପାଳି ଭଲ ଭୋଟ ପାଇବା ସହ ସହାନୁଭୂତି ଭୋଟ ମଧ୍ୟ ପାଇବେ ବୋଲି କୁହାଯାଉଛି।

ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିରୋଧୀ ବିଜେଡିକୁ ଶାଣିତ ଆକ୍ରମଣ କରୁଛନ୍ତି। ଏହାକୁ ନେଇ ବିରୋଧୀ ଝାରସୁଗୁଡ଼ାବାସୀଙ୍କ ପାଖକୁ ଯିବେ ବୋଲି କୁହାଯାଉଛି। କିନ୍ତୁ ଉଭୟ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛନ୍ତି ଓ କେବେ କରୁଛନ୍ତି ତା ଉପରେ ନଜର।

ସେପଟେ ବିଜେଡି ପୂର୍ବରୁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ପ୍ରାର୍ଥୀ ଘୋଷଣା ପରେ ଏହାକୁ ଅଧିକ ତୀବ୍ର କରିଛି। ଚଳିତ ମାସ ୧୩ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ସହ ୨୦ ତାରିଖ ଯାଏ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ତେଣୁ ପ୍ରାର୍ଥୀ ଘୋଷଣା ପାଇଁ ବିଜେପି ଓ କଂଗ୍ରେସ କ୍ୟାମ୍ପ ତତ୍ପର ହୋଇଉଠିଛନ୍ତି।

Leave A Reply

Your email address will not be published.