Latest Odisha News

BREAKING NEWS

ପିଲା ପଢ଼ୁଛନ୍ତି ବିକୃତ ଓଡ଼ିଆ, ବର୍ଣ୍ଣମାଳା ବହିର ଆଭିିମୁଖ୍ୟ ନିନ୍ଦନୀୟ

ଭୁବନେଶ୍ୱର: ଏପ୍ରିଲ ୧ ଉତ୍କଳ ଦିବସ। ସାରା ରାଜ୍ୟ ଆଜିର ଦିନକୁ ବେଶ ଧୁମଧାମରେ ପାଳନ କରୁଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ଯେ ଓଡ଼ିଆ ଭାଷାକୁ ଅତ୍ୟନ୍ତ କଦର୍ଥ କରି ଯେଉଁ ଭଳି ଭାବରେ ସ୍କୁଲରେ ଛୋଟ ପିଲାଙ୍କୁ ପାଠ ପଢ଼ା ଯାଉଛି, ଖାସ କରି ଓଡ଼ିଶାରେ ଏବେ ବଢ଼ି ଚାଲିଥିବା ଇଂରାଜୀ ମିଡିୟମ ସ୍କୁଲରେ ଯେଉଁ ଭଳି ପିଲାଙ୍କୁ ଇଂରାଜୀ ପଢ଼ାଯାଉଛି ତାହା ଓଡ଼ିଆ ଭାଷା ପାଇଁ ଲଜ୍ୟାର ବିଷୟ। ଆଉ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିବାକୁ ନେଇ ପ୍ରଶ୍ନ ଉଠିଛି।

ଇଂରାଜୀ ମିଡିୟମ ସ୍କୁଲରେ ‘ଅ’ରେ ଅଖ, ‘ଆ’ରେ ଆଖୁ ବଦଳରେ ପଢ଼ାଇବା ବଦଳରେ ‘ଔ’ରେ ଔରତ, ‘ମ’ରେ ମଖନ, ‘ଇ’ରେ ଇଗଲ ପଢାଯାଉଛି। ପିଲାଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ବ୍ୟାକରଣ ବହି (ଭାଗ-0) ଏହିପରି ଭାବେ କିଛି ଓଡ଼ିଆକୁ କଦର୍ଥ କରି ଲେଖା ହୋଇଛି। ଏହି ବହିର ପ୍ରକାଶକ ହେଉଛି ନ୍ୟୁ ଓ୍ବେ ପବ୍ଲିକେଶନ।

ଏହି ବହିରେ ‘ଔ’ରେ ଅର୍ଥ ଔଷଧ ବୋଲି କୁହାଯାଇ ପିଲାଙ୍କୁ ପାଠ ପଢାଯାଇପାରିଥାନ୍ତା। କିନ୍ତୁ ‘ଔ’ରେ ଔକାତ, ଔରସ ଆଦି ଲେଖା ହୋଇଛି। ସେହିପରି ମ, ଯ, ବ, ର ପରେ ‘ବ’କୁ ଏହି ବହିରେ ‘ଓ୍ବ’ ବୋଲି ଲେଖାଯାଇଛି।

ବଜାରରେ ଏହି ବହି ବିକ୍ରି ହେଉଛି। ଇଂରାଜୀ ମିଡିୟମ ସ୍କୁଲରେ ପିଲାଙ୍କୁ ଏହି ବହି ପଢାଯାଉଛି। ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ଏହି ବହି ବାବଦରେ ପ୍ରାୟତଃ ଅବଗତ ଅଛନ୍ତି। କିନ୍ତୁ କେହି କିଛି ନକହିବା ଓଡ଼ିଆ ଭାଷା ପ୍ରତି ଅପମାନଜନକ। ତାଠାରୁ ଅଧିକ ଚିନ୍ତାଜନକ ଯେଉଁମାନେ ଏହି ବହିର ସମ୍ପାଦନା ମଣ୍ଡଳୀରେ ରହିଛନ୍ତି। ଓଡ଼ିଶାର ସର୍ବପୁରାତନ ବିଶ୍ବବିଦ୍ଯାଳୟର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ପ୍ରାଧ୍ୟାପକ ଏହି ବହିର ସମ୍ପାଦନା ଦାୟିତ୍ବରେ ରହିଛନ୍ତି। ସେହିପରି ସମୀକ୍ଷକ ମଣ୍ଡଳୀରେ ରେଭେନ୍ସା  ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ପ୍ରାଧ୍ୟାପିକା ଓ ଉତ୍କଳ ବିଶ୍ବବିଦ୍ୟାଳୟର  ଜଣେ ଅଧ୍ୟାପକ ସାମିଲ ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଦେଶର ଏକ ଶାସ୍ତ୍ରୀୟ ଭାଷା। କିନ୍ତୁ ଏଠାରେ ପିଲାଙ୍କୁ ପ୍ରାଥମିକ ଶିକ୍ଷାରେ ଓଡ଼ିଆ ଭାଷା ଶିଖାନଯାଇ ହିନ୍ଦୀ ଶବ୍ଦକୁ ବ୍ୟବହାର କରି କଦର୍ଥ ଓଡ଼ିଆ ଶିଖାଯାଉଛି। ଯଦି ଶିଖିବା ସମୟରେ ଜଣେ ଛୋଟ ପିଲା ଏଭଳି ଶବ୍ଦ ଶିଖିବ ତାହେଲେ ତାର କଥାବାର୍ତ୍ତା  କେତେ  ମାର୍ଜିତ ହେବ ତାହା ଏବେ ଚିନ୍ତାର ବିଷୟ।

Leave A Reply

Your email address will not be published.