Latest Odisha News

BREAKING NEWS

ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି JEE, NEET ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କରୋନା କାଳ ଭିତରେ ଏଥର ଦେଶରେ ଆୟୋଜନ ହେବ ଜେଇଇ ଓ ନିଟ୍ ପରୀକ୍ଷା । ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହି ପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ସମଗ୍ର ଦେଶରେ କରୋନାଭାଇରସ୍ ମଧ୍ୟରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରାଯାଉଥିବା ବେଳେ ଏନଟିଏ ପରୀକ୍ଷାର୍ଥୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି ।

ଗାଇଡାଲାଇନ୍ ଅନୁସାରେ ପରୀକ୍ଷାର୍ଥୀଙ୍କୁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଏହା ସହିତ ପରୀକ୍ଷା କେନ୍ଦ୍ରକୁ ସାଙ୍ଗର ପାଣି ବୋଟଲ ଏବଂ ହ୍ୟାଣ୍ଡ ସାନିଟାଇଜର ଧରି ଆସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଦ୍ଵାରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମର ବ୍ୟବସ୍ଥା ରହିବ। ଯେଉଁ ପରୀକ୍ଷାର୍ଥୀଙ୍କ ତାପମାତ୍ରା ୩୭.୪ ସେଲସିୟସ/ ୯୯.୪ ଡିଗ୍ରୀ ଫାରେନହାଇଟ୍ ଥିବ ସେମାନଙ୍କ ପାଇଁ ଏହି ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।

ପରୀକ୍ଷା କେନ୍ଦ୍ରରେ ସମସ୍ତ ଛାତ୍ର, ଡ୍ୟୁଟିରେ କାର୍ଯ୍ୟରତ କର୍ମଚାରୀ ସମସ୍ତଙ୍କୁ ସାମାଜିକ ନିୟମ ପାଳନ କରିବାକୁ ପଡିବ। ସମସ୍ତ ପରୀକ୍ଷାର୍ଥୀଙ୍କୁ ୬ ଫୁଟ୍ ଦୂରତା ରହିବାକୁ ପଡିବ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ସେଲ୍ଫ ଡିକ୍ଲାରେସନ ଦେବାକୁ ପଡିବ ଯେ, ସେ କରୋନା ପଜିଟିଭ୍ ନୁହନ୍ତି ଏବଂ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସାବୁନରେ ହାତ ଧୋଇବାକୁ ପଡିବ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ରର ମ୍ୟାପ୍ ହାଇପର ଲିଙ୍କ ମଧ୍ୟ ଦିଆଯିବ। ଯାହା ଫଳରେ ସେମାନଙ୍କୁ କେନ୍ଦ୍ରରେ ପହଞ୍ଚିବା ସହଜ ହେବ। ପରୀକ୍ଷା ସମାପ୍ତ ହେବା ପରେ ସମସ୍ତ ପ୍ରାର୍ଥୀଙ୍କୁ କେବଳ ବ୍ୟବସ୍ଥିତ ପ୍ରକ୍ରିୟାରେ ବାହାରକୁ ଯିବାକୁ ଅନୁମତି ମିଳିବ।

Comments are closed.