Latest Odisha News

BREAKING NEWS

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଲାର ଶହ ଶହ ଶ୍ରମିକ ଓ ଶ୍ରମିକ ନେତାଙ୍କ ବିକ୍ଷୋଭ

ନୂଆପଡ଼ା: ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ ଓ ମନରେଗା ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ୧୧ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲାର ଶହ ଶହ ଶ୍ରମିକ ଓ ଶ୍ରମିକ ନେତା ଏକତ୍ରିତ ହୋଇ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ହାତରେ ପ୍ଲାକାର୍ଡ଼ ଧରି ସହର ପରିକ୍ରମା କରିଥିଲେ ।

ଦାବି ମଧ୍ୟରେ ଦାଦନ ମୁକ୍ତ ଜିଲ୍ଲା ଘୋଷଣା, ଶ୍ରମିକ ଚାଲାଣ ଉପରେ ରୋକ ଲଗେଇବା, ଶ୍ରମିକଙ୍କ ଅଧିକାର ପ୍ରଦାନ, ମନରେଗା ଶ୍ରମିକଙ୍କ ପାଉଣା ଦେବା ଏବଂ ପାଉଣା ଦେବାରେ ପାତରଅନ୍ତର ନୀତି ବନ୍ଦ କରି ଦୁର୍ନୀତିର ତଦନ୍ତ କରିବା ପାଇଁ ଉଲ୍ଲେଖ ରହିଛି । ଏହାସହ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ନବୀକରଣ, ପଞ୍ଜିକରଣ, କୋଭିଡ଼ ସହାୟତା ପ୍ରଦାନ, ବିଭିନ୍ନ ବେନିଫିଟ ପ୍ରଦାନ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରିବା ସହ ଖାଲିଥିବା ପଦବୀ ପୂରଣ ଭଳି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଶୀଘ୍ର ଏହି ସବୁ ଦାବିର ସମାଧାନ ନହେଲେ ଜିଲ୍ଲାବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ନୂଆପଡ଼ା ଅତରିକ୍ତ ଜିଲ୍ଲାପାଳ ୧୧ଦଫା ଦାବି ପତ୍ର ଗ୍ରହଣ କରି ଏହା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଦିଆଯିବ ବୋଲି କହିଛନ୍ତି । ଏହାସହ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟା କରିବ ବୋଲି କହିଛନ୍ତି ।

Comments are closed.