Latest Odisha News

BREAKING NEWS

ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟ: ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ସୂର୍ଯ୍ୟ ମନ୍ଦିର ଚକ୍ର

ୱାଶିଂଟନ: ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟର ଝଲକ । ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ପ୍ରତିରୂପ ଉନ୍ମୋଚନ କରାଯାଇଛି ।

ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଷ୍ଟାର ସେଫ୍ ବିକାଶ ଖନ୍ନା ଏହି ବିଶାଳର ମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାର ଓଜନ ପ୍ରାୟ ୧୮୦୦ କିଲୋଗ୍ରାମ ଥିବା ସୂଚନା ମିଳିଛି । ଇଣ୍ଡୋ-ଆମେରିକୀୟ କଳା ପରିଷଦ, ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ ଅଫ ଇଣ୍ଡିଆ ଏବଂ ଦ ସିଟି ଅଫ୍ ନ୍ଯୁୟର୍କର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଭାରତୀୟ ସ୍ବାଧୀନତା ପ୍ରଦର୍ଶନୀରେ ଏହି ଐତିହ୍ୟପୂର୍ଣ୍ଣ ମୂର୍ତ୍ତିର ପ୍ରଦର୍ଶନୀ କରାଯାଇଛି ।

କୋଣାର୍କ ଚକ୍ରର ସୂକ୍ଷ୍ମ କାରୁକାର୍ଯ୍ୟ ବିଦେଶୀଙ୍କୁ ବିମୋହିତ କରିଛି । ବାଲୁକା ପଥରରେ ନିର୍ମିତ ଓ ପ୍ରାୟ ୪ ହଜାର ପାଉଣ୍ଡ ଓଜନର ଏହି ହାତତିଆରି ପ୍ରତିକୃତି ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ଲଳିତାଗରି ଗାଁର ଅନେକ କଳାକାର ମାସ ମାସ ଧରି କାମ କରିଛନ୍ତି। ଏନେଇ ବିକାଶ ଖନ୍ନା କହିଛନ୍ତି, “ଆଜି ପ୍ରତି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିନ । ପ୍ରାୟ ୫ ବର୍ଷ ଧରି କୋଣାର୍କ ମନ୍ଦିରର ଏହି ଚକ୍ର ନ୍ୟୁୟର୍କକୁ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଥିଲା । ଆଜି ସ୍ବପ୍ନ ପୂରଣ ହୋଇଛି । ମୋ ପାଇଁ ଏହା ଏକ ଭାବପ୍ରବଣ ମୂହୁର୍ତ୍ତ ଅଟେ । ଓଡ଼ିଶାର କାରୁକାର୍ଯ୍ୟକୁ ସେ ଭୁରିଭୁରି ପ୍ରଂଶସା କରିଛନ୍ତି ।

୨୦୨୪ରେ ଖାନ୍ନାଙ୍କ ଆଗାମୀ ନ୍ୟୁୟର୍କ ସିଟି ରେସ୍ତୋରାଁରେ ଭାରତୀୟ ପ୍ରବାସୀ ଏବଂ ଆମେରିକା ମଧ୍ୟରେ ଏକତାର ପ୍ରତୀକ ଭାବରେ ଏହି କଳା ପ୍ରତିକୃତି ପ୍ରଦର୍ଶିତ ହେବ। ଓଡ଼ିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିିତ ବାଲୁକା କୋଣାର୍କ ଚକ୍ର ଦେଖି ସେ ଅନୁପ୍ରାଣିତ ହୋଇଥିଲେ ବୋଲି ଖାନ୍ନା କହିଥିଲେ। ସେପଟେ ବିଦେଶରେ ଓଡ଼ିଶାର କଳା ଓ କାରୁକାର୍ଯ୍ୟର ପ୍ରଦର୍ଶନୀ କରିଥିବାରୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଶା ପର୍ଯ୍ୟଟନ ବିକାଶ ଖନ୍ନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

Leave A Reply

Your email address will not be published.