Latest Odisha News

BREAKING NEWS

କେରଳରେ ବନ୍ଦେ ଭାରତ ଏକ୍ସପ୍ରେସକୁ ଟେକାମାଡ: ଝରକା କାଚ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ, ୩ ଦିନରେ ତୃତୀୟ ଘଟଣା

ତିରୁଅନନ୍ତପୁରମ୍‌ : କେରଳରେ କାସରଗୋଡ଼-ତିରୁଅନନ୍ତପୁରମ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ କୁ ଟେକାମାଡ କରିଛନ୍ତି କିଛି ଦୁର୍ବୁତ୍ତ  । ୩ ଦିନରେ ଏହା ହେଉଛି ୩ୟ ଘଟଣା  । ଏହି ଟେକାମାଡ ଘଟଣାରେ ଟ୍ରେନର ଝରକା କାଚ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି  ।  ବଟକରା ନିକଟରେ ଏହି ଟେକା ପଡ଼ିଥିଲା । ବାହାରପଟୁ ଝରକା କାଚ ଭାଙ୍ଗି ଚୂନା ହୋଇଯାଇଛି ।  କିନ୍ତୁ, ଭି‌ତରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ଟ୍ରେନ୍‌ର ‘ସି-୮’ କୋଚ୍‌ର ଝରକା ଉପରେ ଏହି ଟେକା ମାଡ଼ ହୋଇଥିଲା।

୩ ଦିନ ତଳେ ଉତ୍ତର ‌କନ୍ନୁର ଜିଲ୍ଲାରେ ୨ଟି ଟ୍ରେନ୍‌ ଉପରକୁ ଟେକାମାଡ଼ ହେବା ପରେ ଏହି ଘଟଣା ଘଟିଛି । ସେହିପରି ଦକ୍ଷିଣ କନ୍ନୁର ଓ ବାଲାପଟନମ୍‌ ଜିଲ୍ଲାରେ ମଧ୍ୟ ରବିବାର ଦିନ ମାଙ୍ଗାଲୁରୁ-ଚେନ୍ନାଇ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ ଓ ନେତ୍ରାବତୀ ଏକ୍ସ୍‌ପ୍ରେସ୍‌ ଉପରକୁ ଟେକାମାଡ଼ ହୋଇଥିଲା। ଏହି ଘଟଣାରେ ଦୁଇଟିଯାକ ଟ୍ରେନ୍‌ର ‘ଏସି’ କୋଚ୍‌ର ଝରକା କାଚ ନଷ୍ଟ ହୋଇଯାଇଥିଲା।

ଅଳ୍ପ ଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଥିଲେ ଯେ, ୨୦୧୯ରୁ  ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଉପରେ ହୋଇ ଆସୁଥିବା ଟେକାମାଡ଼ ଘଟଣାରେ ରେଳବାଇର ୫୫ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହେଲାଣି। ଚଳିତ ବର୍ଷ ଏପ୍ରିଲ୍‌ ୨୫ ତାରିଖରେ ତିରୁଅନନ୍ତପୁରମ୍‌ ଓ କାସରଗୋଡ଼ ମଧ୍ୟରେ କେରଳ ରାଜ୍ୟର ପ୍ରଥମ ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ କରିଥିଲା।

 

Leave A Reply

Your email address will not be published.