Latest Odisha News

BREAKING NEWS

ଅଭିନେତା ପିଣ୍ଟୁନନ୍ଦ ଚିକିତ୍ସା ପାଇଁ ଯିବେ ଦିଲ୍ଲୀ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ସୂଚନା ଦିଆଯାଇଛି । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  । ଏହି ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।

ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ। ପିଣ୍ଟୁ ନନ୍ଦଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସିନେ ଆର୍ଟିଷ୍ଟ ଆସୋସିଏସନ ଅନୁରୋଧ କରିଛି। ସିନେ କଳାକାର ସଂଘ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ଏକ ପ୍ରକାର ସ୍ଥିର ହୋଇଛି। ଖୁବ୍‌ଶୀଘ୍ର ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନ୍ସେସ(ଆଇଏଲବିଏସ୍‌)ରେ ତାଙ୍କୁ ଭର୍ତ୍ତି କରାଯିବ। ଏ ନେଇ ଆଇଏଲ୍‌ବିଏସ୍‌ର ଡାକ୍ତର ଅଶୋକ ଚୌଧୁରୀଙ୍କ ସହିତ କଥାବାର୍ତ୍ତା କରାଯାଇଛି।
ସିରୋସିସ୍‌ରୁ୍‌ ଆରୋଗ୍ୟ ହେବା ପାଇଁ ଲିଭର ପ୍ରତିରୋପଣ କରିବାକୁ ପଡ଼ିବ। ଏହା ପୂର୍ବରୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଠିକ୍‌ ରହିବା ଦରକାର। ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି। କେବଳ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାବେଳେ ଟ୍ରାନ୍ସପ୍ଲାଣ୍ଟ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ରହିଛି। ସିନେ କଳାକାର ସଂଘର କୋଷାଧ୍ୟକ୍ଷ ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଓ ସମ୍ପାଦକ ଶ୍ରୀତମ ଦାସ ପିଣ୍ଟୁଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଭିନେତା ଶ୍ରୀତମ ଦାସ। ପିଣ୍ଟୁଙ୍କ ପାଇଁ ସିନେ କଳାକାର ସଂଘ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି କୁନା ତ୍ରିପାଠୀ ମଧ୍ୟ କହିଛନ୍ତି। ପିଣ୍ଟୁଙ୍କ ଅସୁସ୍ଥତାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ ମଧ୍ୟ ଅର୍ଥ ସଞ୍ଚୟ କରୁଛନ୍ତି।

 

Leave A Reply

Your email address will not be published.