Latest Odisha News

BREAKING NEWS

ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’; ୩୬୦ ଡିଗ୍ରୀରେ ପ୍ରଦର୍ଶିତ ହେବ ଓଡିଶା

ଭୁବନେଶ୍ବର: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ ।  ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି କହିଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ନଭେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ଓଡିଆ ଅସ୍ମିତା ଭବନର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ମୋଦି । ଏନେଇ ଅକ୍ଷର ଭୂମି ଆଗରେ ଯେଉଁ ଜମି ବିବାଦ ଥିଲା ତାହା ଏବେ ସମାଧାନ ହେବା ପରେ ପ୍ରାୟ ସାଢେ ୪ ଏକର ଜମି ଉପରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ଯାହା ୩୬୦ ଡିଗ୍ରୀରେ  ସମଗ୍ର ଓଡ଼ିଶାର କଲା ସଂସ୍କୃତିକୁ ପ୍ରଦର୍ଶିତ କରିବ । ତେବେ ଏହି ଗୃହଟି ୪ରୁ ୫ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ ହେବ । ଯେଉଁଠିକୁ ବୁଲି ଆସିଲେ ଜଣେ  ଓଡ଼ିଶା ଓ ‘ଓଡ଼ିଆ ଅସ୍ମିତା’ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ । ଗୋଟିଏ ମହଲାରେ ଜନଜାତି, ଗୋଟିଏ ମହଲାରେ  ପର୍ଯ୍ୟଟନ, ଅନ୍ୟଟିରେ ବରପୁତ୍ର ବା ମହାପୁରୁଷଙ୍କ  ସମ୍ପର୍କିତ ତଥ୍ୟକୁ ଭିନ୍ନ ଭିନ୍ନ ମାଧ୍ୟମରେ ଉପସ୍ଥାପିତ  କରାଯିବ । ଏପରିକି ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମାଧ୍ୟମରେ  ୩୬୦ ଡିଗ୍ରୀରେ ଓଡ଼ିଶାର ନିଚ୍ଛକ ଚିତ୍ରକୁ ପ୍ରଦର୍ଶନ କରାଯିବ । ସେଥିପାଇଁ ସରକାର ୨୦୦ କୋଟି ବଜେଟ୍‌ର ବ୍ୟୟବରାଦ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Comments are closed.