ଅମ୍ବିକା ପ୍ରସାଦ କାନୁନଗୋ
ବହୁ ଘାତ-ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷା ଆଗକୁ ବଢିଛି। ବିଦେଶରେ ପ୍ରାୟ ୬ କୋଟି ଲୋକଙ୍କ ମୁଁହରେ ଓଡ଼ିଆ ଭାଷା । ଦେଶରେ ୭ କୋଟି ଲୋକ ଓଡ଼ିଆ କହନ୍ତି ।
ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା, ଏହାର ସ୍ବତନ୍ତ୍ରତା ଥିଲେ ମଧ୍ୟ ଅତୀତରେ ଏହି ଭାଷା ଉପରେ ପଡ଼ୋଶୀଙ୍କ ପକ୍ଷରୁ ଅନେକବାର ଆକ୍ରମଣ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଦୁର୍ବଳ କରିଦେବା ପାଇଁ ବିଭିନ୍ନ ପ୍ରକାର ଷଢଯନ୍ତ୍ର କରାଯାଇଛି। ୧୮୬୯ ମସିହାରେ ବଙ୍ଗୀୟ ଲେଖକ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଏକ ପୁସ୍ତକ ଲେଖି “ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନଏ” ବୋଲି ମତ ପ୍ରକାଶ କରିଥିଲେ। ସେତେବେଳେ ଓଡ଼ିଆ ଭାଷା ନାନା ପ୍ରକାର ସଙ୍କଟ ଓ ବିବାଦର ସମ୍ମୁଖୀନ ହୋଇଥିଲା। ଏହିଭଳି ଏକ ଘଡ଼ିସନ୍ଧି ସମୟରେ ଉତ୍କଳ ଦୀପିକାରେ ଭାଷାପ୍ରେମୀ ତଥା ସମ୍ପାଦକ ଗୌରୀଶଙ୍କର ରାୟ, ଗଙ୍ଗାଧର ମେହେର, ଉତ୍କଳ ଗୌରବ ମଧୁସୂଦନ ଦାସ, ବିଛନ୍ଦ ଚରଣ, ଉତ୍କଳର ବରପୁତ୍ର ପତ୍ରିକାର ସମ୍ପାଦକ ପ୍ୟାରୀମୋହନ ଆଚାର୍ଯ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଳି ଓଡ଼ିଆଭାଷା ବହୁ ଘାତ-ପ୍ରତିଘାତ ମଧ୍ୟରେ ଆଗକୁ ବଢିଛି । ଭାଷାକୁ ଭଲପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଆଭାଷାର ପ୍ରଚୀନତା ଓ ସ୍ବତନ୍ତ୍ରତା ସମ୍ପର୍କରେ କ୍ରମାଗତଭାବେ ଲେଖାମାନ ପ୍ରକାଶ ଲେଖି ଚାଲିଲେ। ସେହି ସମୟରେ କଟକରୁ ପ୍ରକାଶ ପାଉଥିବା “ମୁକୁର”, ଉତ୍କଳ ସମ୍ମିଳନୀ, ବାଲେଶ୍ୱରରୁ ପ୍ରକାଶ ପାଉଥିବା “ସମ୍ବାଦ ବାହିକା”, ସମ୍ବଲପୁରୁର ପ୍ରକାଶ ପାଉଥିବା “ହିତୈଷିଣି”, ବହ୍ମପୁରୁ ପ୍ରକାଶ ପାଉଥିବା “ଦୈନିକ ଆଶା” ଭଳି ସମ୍ବାଦପତ୍ରମାନଙ୍କରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଓଡ଼ିଆ ଭାଷାର ନିଜସ୍ବତା ଓ ପ୍ରାଚୀନତା ଉପରେ କ୍ରମାଗତଭାବେ ଲେଖାମାନ ପ୍ରକାଶ କରିବା ଫଳରେ ବଙ୍ଗୀୟବନ୍ଧୁ ମାନଙ୍କ ପକ୍ଷରୁ ଓଡ଼ିଆ ଭାଷା ଉପରେ ହେଉଥିବା ଆକ୍ରମଣ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ବ୍ୟାସକବି ଫକୀର ମୋହନ ସେନାପତି “ଛଅମାଣ ଆଠଗୁଣ୍ଠ”, ରାମ ଶଙ୍କର ରାୟଙ୍କ “କାଞ୍ଚି କାବେରୀ”, କବିବର ରାଧାନାଥ ରାୟ, ଭକ୍ତିକବି ମଧୁସୂଦନ ରାଓ ପ୍ରମୁଖଙ୍କର ଓଡ଼ିଆ ଭାଷାରେ ଅନେକ ପୁସ୍ତକ ରଚନା କରିବା ସହିତ ନିୟମିତ ପତ୍ର ପତ୍ରିକାରେ ପ୍ରବନ୍ଧମାନ ପ୍ରକାଶ କରୁଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟକୁ ଲୋକ ପ୍ରିୟ କରିବାକ୍ଷେତ୍ରରେ ସେମାନଙ୍କ ଅତୁଳନୀୟ ଅବଦାନଥିଲା।
ଅନ୍ୟପକ୍ଷରେ ୧୮୯୦ ମସିହା ବେଳକୁ ସମ୍ବଲପୁର, ବଲାଙ୍ଗୀର ସମେତ ପଶ୍ଚିମ ଓଡ଼ିଶାକୁ ସେତେବେଳେ ସେଣ୍ଟାଲ ପ୍ରୋଭିନ୍ସ ରଖାଗଲା। ଫଳରେ ପଶ୍ଚିମ ଓଡ଼ିଶାରେ ହିନ୍ଦୀ ଭାଷା ପ୍ରଚଳିତ ହେଲା। ଶିକ୍ଷାନୁଷ୍ଠାନଠାରୁ ଅରମ୍ଭ କରି କଥିତ ଭାଷାକ୍ଷେତ୍ରରେ ହିନ୍ଦୀ ଭାଷାକୁ ଗୁରୁତ୍ବ ପ୍ରଦାନ କରାଗଲା। ଏହା ମଧ୍ୟ ଓଡ଼ିଆ ଭାଷା ପ୍ରତି ଦ୍ବିତୀୟ ଆକ୍ରମଣ ବୋଲି କୁହାଯାଇପାରେ। ଏହାକୁ ପ୍ରତିବାଦ କରି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ପଶ୍ଚିମ ଓଡ଼ିଶାରେ ଭାଷା ଆନ୍ଦୋଳନ ତୀବ୍ରରୂପ ନେଲା। ସେତେବେଳେ ପ୍ୟାରୀମୋହନ ଆଚାର୍ଯ୍ୟ ଭାଷା ଆନ୍ଦୋଳନକୁ ତେଜିଆନ୍ କରୁଥିବାରୁ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଗଲା। ଶେଷରେ ଭାଷା ଅନ୍ଦୋଳନର ବିଜୟ ଘଟିଲା। ୧୮୯୫ ମସିହାରେ ହିନ୍ଦିଭାଷା ପରିବର୍ତ୍ତେ ଓଡ଼ିଆଭାଷାକୁ ପଶ୍ଚିମ ଓଡ଼ିଶାରେ ଗ୍ରହଣ କରାଗଲା।
ଉତ୍କଳ ସମ୍ମିଳନୀ
୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ଗଠନ କରାଗଲା। ଉତ୍କଳ ସମ୍ମିଳନୀର ପ୍ରଥମ ବୈଠକରେ ଗଞ୍ଜାମରେ ଅନୁଷ୍ଠିତ ହେଲା। ଏଥିରେ ଉତ୍କଳ ଗୌରବ ମଧୁସୂଦନ ଦାସ, ବାଗ୍କୀ ବିଶ୍ବନାଥ କର, ପଲ୍ଲୀକବି ନନ୍ଦକିଶୋର ବଳ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ମୟୁରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ରଦେଓ, ଖଲ୍ଲିକୋଟ ରାଜା, ଫକୀରମୋହନ ସେନାପତି ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଓଡ଼ିଆ ଭାଷାର ସୁରକ୍ଷା ଓ ଭାଷାସୂତ୍ରେ ପ୍ରଦେଶ ଗଠନ ପାଇଁ ଦାବୀ କରିବାକୁ ନିଷ୍ପତ୍ତି ନିଆଗଲା। ପରେ ଏହି ନିଷ୍ପତ୍ତିକୁ ଭିତ୍ତିକରି କଟକର ଇଦଗା ପଡ଼ିଆରେ ଅନୁଷ୍ଠିତ ଏକ ସମ୍ମିଳନୀ ଭାଷା ସୂତ୍ରେ ପ୍ରଦେଶ ଗଠନ ପାଇଁ ଉତ୍କଳସମ୍ମିଳନୀ ପକ୍ଷରୁ ଦାବୀ କରାଯାଇଥିଲା। ସେହିପରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଭିନ୍ନ ପତ୍ର ପତ୍ରିକାରେ ଓଡ଼ିଆ ଭାଷା ସମ୍ପର୍କରେ ତଥ୍ୟ ଭିତ୍ତିକ ଲେଖାମାନ ନିୟମିତ ପ୍ରକାଶ କରାଗଲା। ସ୍ବାଧୀନତା ପରେ ସମ୍ବିଧାନର ୩୪୫ ଧାରା ଅନୁଯାୟୀ ଓଡ଼ିଆଭାଷାକୁ ଓଡ଼ିଶାରେ ସରକାରୀ ଭାଷା ଭାବେ ସାମ୍ବିଧାନିକ ସ୍ବୀକୃତି ମିଳିଲା। ମାତ୍ର ଏହା ଓଡ଼ିଆ ଭାଷା ପାଇଁ ଯଥେଷ୍ଟ ନୁହେଁ।
୨୦୦୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ପକ୍ଷରୁ ଦାବୀ କରାଗଲା। ମାତ୍ର କେନ୍ଦ୍ର ସରକାର ଶୁଣିଲେ ନାହିଁ। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା ଏବଂ ଏହି ଭାଷା ଅନ୍ୟ କୌଣସି ଭାଷାରୁ ଆସିନାହିଁ। ଏହି ଭାଷାର ଏକ ସ୍ବତନ୍ତ୍ରତା ରହିଛି। ବହୁ ପୁରାତନ କାଳରୁ ଏହି ଭାଷା କଥିତ ଭାଷା ଭାବେ ବ୍ୟବହାର କରାଯାଉଥିବା ବେଳେ ଓଡ଼ିଆ ସାହିତ୍ୟର ଏକ ସ୍ବତନ୍ତ୍ର ପରମ୍ପରା ରହିଛି ବୋଲି ଓଡ଼ିଶାର ଦାବୀକୁ କେନ୍ଦ୍ର ସରକାର ଶୁଣିଲେ ନାହିଁ। ଫଳରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓଡ଼ିଆ ସାହିତ୍ୟ ଏକାଡ଼େମୀର ତତ୍କାଳୀନ ସଭାପତି ସାତକୋଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା। ଏହି କମିଟିରେ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ଅନ୍ତର୍ଯ୍ୟମୀ ମିଶ୍ର, କୀର୍ତ୍ତନ ନାରାୟଣ ପାଢୀ, ସୁବ୍ରତ କୁମାର ପୃଷ୍ଟି, ଅମୀୟ ପଟ୍ଟନାୟକ, ରାଜକିଶୋର ମିଶ୍ର, ବସନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପ୍ରସାଦ ନାୟକ, ପ୍ରମୁଖ ସଦସ୍ୟମାନେ ରହିଲେ। କମିଟି ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଗଲା। ରାଜ୍ୟସରକାର ସେହି ରିପୋର୍ଟକୁ କେନ୍ଦ୍ର ସରକରଙ୍କୁ ପ୍ରଦାନ କଲେ। ସେହିପରି ବେସରକାରୀ ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ୫୪୫ ପୃଷ୍ଠା ସମ୍ବଳିତ ଆଉ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରାଗଲା ସେହି ରିପୋର୍ଟକୁ ତତ୍କାଳୀନ କେନ୍ଦ୍ର ସାଂସ୍କୃତି ମନ୍ତ୍ରୀ କୁମାରୀ ଶୈଳଜାଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୪ ମସିହାରେ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟସଭାରେ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଆ ଭାଷା ସମ୍ପର୍କରେ ବିଶିଷ୍ଟ ଐତିହାସିକ, ଭାଷାବିତ, ଖୋଦିତ ଲିପି ଓ ପ୍ରତ୍ନତତ୍ତ୍ବବିତ୍ ଙ୍କ ପ୍ରମାଣଯୋଗ୍ୟ ତଥ୍ୟକୁ ଆଧାରିତ ରିପୋର୍ଟକୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଭାଷା କମିଟିକୁ ୨୦୧୩ ଜୁଲାଇ ମାସରେ ପ୍ରଦାନ କରାଯାଇଥିଲା। ଭାଷାକମିଟି ଏହି ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରିବା ପରେ ଶେଷରେ ଓଡ଼ିଆଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍ କଲେ। ସେହି ସୁପାରିଶ୍ କୁ ଭିତ୍ତିକରି କେନ୍ଦ୍ର କ୍ୟାବିନେଟ ୨୦୧୪ ମସିହା ଫେବୃଆରୀ ମାସ ୨୦ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ସ୍ବୀକୃତି ପ୍ରଦାନ କଲେ। ସେହିବର୍ଷ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆଭାଷାକୁ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କଲେ।
ଓଡ଼ିଆ ଲିପି
ଭାଷା ଗବେଷକ ତଥ୍ୟ ଅନୁଯାୟୀ ଓଡ଼ିଆ ଲିପି ବ୍ରାହ୍ମୀ ଲିପିରୁ ହିଁ ସୃଷ୍ଟ। ବ୍ରାହ୍ମୀ ଲିପିରୁ କଳିଙ୍ଗ ଲିପିକୁ ୧୦୫୧ରେ ଆସିଥିଲା। ପରବର୍ତ୍ତି କାଳରେ କଳିଙ୍ଗ ଲିପିରୁ ଓଡ଼ିଆ ଲିପି ସୃଷ୍ଟି ହୋଇଛି।
ଓଡ଼ିଆ ଭାଷାର ଇତିହାସ
“ଇଣ୍ଡୋ – ଆରିୟାନ” ଭାଷା ମଧ୍ୟରେ ଯେତେ ଭାରତୀୟ ଭାଷା ରହିଛି ସେମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ହେଉଛି ପ୍ରାଚୀନତମ ଭାଷା। ଏହାର ଐତିହାସିକ ବିବରଣୀ ବୁଦ୍ଧଦେବଙ୍କ “ଲଳିତ ବିସ୍ତାର” ପ୍ରସ୍ତରରୁ ପ୍ରଥମେ ମିଳେ। ବୁଦ୍ଧଦେବଙ୍କ ଏହି ଗ୍ରନ୍ଥରେ ୬୪ ପ୍ରକାର ଲିପି ମଧ୍ୟରେ ଉଡ଼୍ରଲିପି ରହିଥିବା ଉଲ୍ଲେଖ ରହିଛି। ଭରତଙ୍କ ନାଟ୍ୟଶାସ୍ତ୍ରରେ ଉଡ଼୍ର ବିଭାଷା ସମ୍ପର୍କରେ କୁହାଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ ଭାଷା ବା ଉଡ଼୍ର ବିଭାଷା ୫୦୦ ବର୍ଷଧରି ପ୍ରଚଳିତ ଥିଲା। ଖାରବେଳଙ୍କ ହାତୀଗୁମ୍ଫା ଶୀଳାଲେଖାର ଏହି ଭାଷା ଅନ୍ତର୍ଗତ। ପରେ ମାର୍କଣ୍ଡେୟଙ୍କ “ପ୍ରାକୃତ ସର୍ବସ୍ବ” ଗ୍ରନ୍ଥରେ ଏହିଭାଷା ଉଲ୍ଲେଖ ରହିଛି। ସପ୍ତମ ଶତାଦ୍ଧୀଠାରୁ ଏକାଦଶ ଶତାଦ୍ଧୀ ପର୍ଯ୍ୟନ୍ତ ରଚିତ ଚର୍ଚ୍ଚା ଗୀତିକା ଓଡ଼ିଆ ଭାଷାର ଆଦିତମ ପରିଚୟ। ଏକାଦଶ ଶତାଦ୍ଧୀରେ ପ୍ରଥମେ ଓଡ଼ିଆ ଲିପି ଦେଖିବାକୁ ମିଳିଥିଲା। ୧୦୫୧ ଖ୍ରୀଷ୍ଟାବ୍ଦରେ ଖୋଦିତ “ଉରୁକାମ ଶିଳାଲେଖା” ଏହାର ପ୍ରଥମ ନିଦର୍ଶନ। ପରେ ଶିଳାଲେଖ, ତାମ୍ବ୍ରଲେଖ ଓ ୧୨୦୦ ଖ୍ରୀଷ୍ଟାବ୍ଦରୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଥିବା “ମାଦଳାପାଞ୍ଜି”ରୁ ଓଡ଼ିଆ ଭାଷାର ପରିଚୟ ମିଳିଛି। ପଞ୍ଚଦଶ ଶତାବ୍ଦୀରେ ସାରଳାଦାସଙ୍କ ରଚିତ ମହାଭାରତ, ଚଣ୍ଡିପୁରାଣ ଆଦି ରଚନା କରି ଓଡ଼ିଆଭାଷାର ମର୍ଯ୍ୟାଦା ପ୍ରତିଷ୍ଠିତ କଲେ। ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ପୁରାଣ, କୋଇଲି, ଚଉତିଶା, ଚଉପଦି ଇତ୍ୟାଦି ରଚନାକରି ଓଡ଼ିଆ ସାହିତ୍ୟର ବିବିଧତା ପ୍ରକାଶ କଲେ। ମଧ୍ୟଯୁଗରେ ରଚିତ ହେଲା ରତି ସାହିତ୍ୟ। ଏଥିରୁ ସ୍ପଷ୍ଟ ଅନୁମେୟଯେ ଯେତେବେଳେ ଓଡ଼ିଆ ଭାଷା ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ରୂପରେଖ ବହନ କଲା ସେତେବେଳେ ବଙ୍ଗଳା, ଅସାମିଆଁ, ହିନ୍ଦି, ଗୁଜୁରାଟି ଆଦିଭାଷାରେ ସେତେଟା ଉନ୍ମେଷ ଘଟିନଥିଲା।
ଓଡ଼ିଶାର ଦୁର୍ଭାଗ୍ୟଯେ ୧୫୬୮ ମସିହାରେ ସ୍ବାଧିନତା ହରାଇଲା। ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇଗଲା। ଆଫଗାନ, ମୁସଲମାନ, ମୋଗଲ, ଓ ଇଂଗ୍ରେଜ ମାନେ ଓଡ଼ିଶାକୁ ଶାସନ କଲେ। ଓଡ଼ିଶାର ସ୍ବତନ୍ତ୍ରତା ରହିଲା ନାହିଁ। ବଙ୍ଗଳା ସହିତ ଯୋଡ଼ି ହୋଇଥିବା ଓଡ଼ିଶାର କେତେକ ଅଞ୍ଚଳରେ ଓଡ଼ିଆଭାଷା ପରିବର୍ତ୍ତେ ସେହି ସବୁ ସ୍ଥାନରେ ବଙ୍ଗଳାଭାଷା ପ୍ରଚଳନ କରିବାକୁ ବଙ୍ଗାଳି ମାନେ ଉଦ୍ୟମ କଲେ। ଭାଷାକୁ ନେଇ ଓଡ଼ିଆଙ୍କ ମଧ୍ୟରେ ଜାତିୟତାବୋଧ ବୃଦ୍ଧି ପାଇବାକୁ ଲାଗିଲା। ଗଙ୍ଗାଧର ମେହେର ଲେଖିଥିଲେ “ମାତୃଭୂମି, ମାତୃଭାଷାର ମମତା ଯା ହୃଦୟେ ଜନମି ନାହିଁତାକୁ ଯଦି ଜ୍ଞାନିଗଣରେ ଗଣିବା ଅଜ୍ଞାନ ରହିବେ ନାହିଁ”। ସେହିପରି କବିବର ରାଧାନାଥ ରାଓ “ଲେଖିଥିଲେ ପାହିଲାଣି ଘୋର ତାମସି ରଜନୀ, ଫୁଟିବ ଉତ୍କଳ ଭାଷା କମଳିନୀ,” ଉତ୍କଳ ଗୌରବ ମଧୁସୂଦନ ଦାସ, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ବହୁ ଓଡ଼ିଆ କବି ଓଡ଼ିଆ ଭାଷାର ମହତ୍ବ ପ୍ରତି ଦୃଷ୍ଟି ଆକର୍ଷଣ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ସଂଗ୍ରାମ କରିଥିବାରୁ ସେମାନେ ଏ ଜାତିର ଚିର ନମସ୍ୟ।
ଦେଶ ବିଦେଶରେ ୧୩ କୋଟି ଲୋକଙ୍କ ଓଡ଼ିଆ କୁହନ୍ତି
ଓଡ଼ିଶାରେ ପ୍ରାୟ ସାଢେ ଚାରିକୋଟି ଲୋକଙ୍କର ମାତୃଭାଷା ଓଡ଼ିଆ ହୋଇଥିବାବେଳେ ଓଡ଼ିଶାର ସୀମା ସଲଗ୍ନ ପଶ୍ଚିମବଙ୍ଗର ମେଦିନପୁର, ଝାଡ଼ଖଣ୍ଡ ରାଜ୍ୟର ପୂର୍ବ ସିଂଘଭୂମ, ପଶ୍ଚିମ ସିଂହଭୂମ, ଖରସୁଆଁ, ସିମଡ଼େରା, ଗୁମଳା, ଖୁଣ୍ଟି, ରାଞ୍ଚି, ଆନ୍ଧ୍ର ପ୍ରଦେଶର ସିକାକୁଲମ, ବିଜୟନଗରମ, ଅଞ୍ଚଳ ସମେତ ଦେଶର ବିଭିନ୍ନ ପ୍ରଦେଶରରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ଓଡ଼ିଆ ଭାଷାକୁ ବ୍ୟବହାର କରନ୍ତି। ଝାଡ଼ଖଣ୍ଡରେ ଓଡ଼ିଆଭାଷା ଦ୍ବିତୀୟ ଭାଷା ଭାବେ ସ୍ବୀକୃତି ଲାଭ କରିଛି।
ଅତୀତରେ ଓଡ଼ିଶାର ସାଧବପୁଅ ନୌବାଣିଜ୍ୟ କରିବାପାଇଁ ବାଙ୍ଗଲାଦେଶ, ଇଣ୍ଡୋନେସିଆ, ଜାଭା , ସୁମାତ୍ରା, ବାଲିଦ୍ବୀପ ଯାଉଥିବା ବେଳେ ସେଠାରେ ଅନେକ ପରିବାର ଓଡ଼ିଆ ଭାଷାକୁ ଆପଣାଇ ନେଇଛନ୍ତି। ଏବେବି ଓଡ଼ିଆ ଭାଷାକୁ ସେମାନେ ବ୍ୟବହାର କରୁଥିବାର ଦେଖାଯାଏ।
ସେହିପରି ଉଚ୍ଚଶିକ୍ଷା, ନିଯୁକ୍ତି, ବ୍ୟବସାୟ ପାଇଁ ଅନେକ ଓଡ଼ିଆ ପରିବାର ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନଡ଼ା, ଜର୍ମାନୀ, ହକଂ, ଭିଏତନାମ, ପାକିସ୍ଥାନ, ଶ୍ରୀଲଙ୍କା, ପ୍ରଭୁତି ଦେଶର ଯାତ୍ରା କରୁଛନ୍ତି । ସେଠାରେ କିଛିଦିନ ରହିବା ପରେ ସେଦେଶର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ସ୍ଥାୟୀଭାବେ ବସବାସ କରିବା ସହିତ ବିଦେଶରେଥିବା ଓଡ଼ିଆ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ବ୍ୟବହାରକୁ ସେମାନେ ବେଶ୍ ପସନ୍ଦ କରୁଥିବା ଜଣାପଡ଼ିଛି। ଏକ ଆକଳନରୁ ଜଣାପଡ଼ିଛି ଯେ ବିଦେଶରେ ପ୍ରାୟ ୬ କୋଟି ଲୋକ ଓଡ଼ିଆ ଭାଷାକୁ ବ୍ୟବହାର କରୁଛନ୍ତି।
ଭାଷା ଓ ସଂସ୍କୃତି ବିଭାଗ ଦୃଷ୍ଟି ଦେବେକି!
ଇଂରାଜୀ ଭାଷାରେ କମ୍ପୁଟରରେ ଟାଇପ କଲାବେଳେ ଯଦି କୌଣସି ଶବ୍ଦର ବନାନ ଭୁଲ ହୋଇଯାଏ ସେହି ଶବ୍ଦ ତଳେ ନାଲି ଲାଇନଟିଏ ଚାଲିଆସେ। ପରେ କ୍ରସରକୁ ସେହି ଶବ୍ଦ ଉପରେ ରଖିଦେଲେ ସେହି ଶବ୍ଦର ସଠିକ୍ ବନାନ ଦେଖାଏ। ଓଡ଼ିଆ ଭାଷାରେ ଅନେକ ଯୁକ୍ତାକ୍ଷର ରହିଛି, ଏତଦ୍ ବ୍ୟତୀତ ଓଡ଼ିଆରେ ଲେଖିଲାବେଳେ ଅନେକ ସମୟରେ ହର୍ସେଇକାର, ଦୀର୍ଘେଇକାର ଭଳି ଅନେକ ଭୁଲ ହୋଇଥାଏ, ତେଣୁ ଇଂରାଜୀ ସଫ୍ଟଓୟାର ଭଳି ଓଡ଼ିଆ ଭାଷାରେ ସେହିଭଳି ଏକ ସଫ୍ଟ ଓୟାର ତିଆରି କରିବା ପାଇଁ ଉଦ୍ୟମ ହେବାର ଆବଶ୍ୟକତା ରହିଛି। ସେହିପରି ପୁର୍ଣ୍ଣଚନ୍ଦ୍ର ଭାଷାକୋଷର ରିହାତି ଦରରେ ଜନତାଙ୍କୁ ଦେବାଭଳି ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଂସ୍କରଣ ହେବା ସହିତ ଭାଷାକୋଷର ଏକ ସଫ୍ଟଓୟାର ସଂସ୍କରଣ ହେଲେ ନିଭୁର୍ଲ ଓଡ଼ିଆ ଲେଖିବା ସମସ୍ତଙ୍କ ପାଇଁ ସହଜ ହେବ।
ବରିଷ୍ଟ ସାମ୍ବାଦିକ, ଭୁବନୋଶ୍ବର, ମୋ-୭୯୭୮୮୯୦୭
Comments are closed.