Latest Odisha News

ବ୍ୟଙ୍ଗ : ଦିବ୍ୟ ପାଠକର ସନ୍ଧାନେ (ଆତ୍ମସ୍ତୁତି- ୧)

ପିଲାଟି ଦିନରୁ ମୋର ବହି ପ୍ରତି ବିଶେଷ ଆଗ୍ରହ । ପାଠ ବହି ଛଡା ଆଉ ସବୁ ପ୍ରକାର ବହିସହ ଥାଏ ମୋର ଏକ ବିଶେଷ ଅନୁରାଗ । ସେଥିପାଇଁ ବହୁତ ଗାଳି ଶୁଣୁଥିଲି । ସାଙ୍ଗ ସାଥୀଙ୍କ ସହ ବସିଲେ କଥା ଛଳରେ ମୁଁ ଗପ କହିବା ଆରମ୍ଭ କରେ । ସେଥିପାଇଁ ମୋର ସାଙ୍ଗ ସଂଖ୍ୟା ଅହେତୁକ ଭାବେ କମିବାରେ ଲାଗିଥାନ୍ତି । କିନ୍ତୁ ମୋର ଏଥି ପ୍ରତି ଆଦୌ ଚିନ୍ତା ନଥାଏ । ମୁଁ ଭଲ ତ ମୋ ଗପ ବହି ଭଲ ।

ମୋର ଗଣିତ ଭଲ ହେଉନଥିଲା କିନ୍ତୁ ଟଙ୍କା ପଇସା ହିସାବ ଭଲ ରଖୁଥିଲି । ଏଇ ଅଭ୍ୟାସ ମୋତେ ବହୁତ ସାହାଯ୍ୟ କଲା । ବହି କିଣିବା ପାଇଁ ପ୍ରଚୁର ଅର୍ଥ ମିଳୁନଥିବାରୁ ମୁଁ ଜଣଙ୍କ ତେଜରାତି ଦୋକାନରେ ବାକି ହିସାବ ଖାତା କାମ କଲି । ଭାରି ମନ ଦେଇ ହିସାବ ଖାତା କାମ କରେ । ଆଗରୁ କିଛି ଗରାଖ ଜିନିଷ ନେଇ ଟଙ୍କା ଦେବାକୁ ଭୁଲି ଯାଉଥିଲେ । ମାଲିକଙ୍କ ମଧ୍ୟ ମନେ ରହୁନଥିଲା । ଏଥିପାଇଁ ସେ ଅଞ୍ଚଳର ଅନ୍ୟ ସବୁ ଦୋକାନ ଅପେକ୍ଷା ବେଶି ଭିଡ଼ ଏହି ଦୋକାନରେ ହେଉଥିଲା । କିନ୍ତୁ ମୁଁ ଯେବେଠୁ ତାଙ୍କ ବାକି ଖାତା ସମ୍ଭାଳିଲି ତା ପରେ ଲୋକ ବିଡ଼ି କଠାଏ ବି ବାକି ମାଗିବାକୁ ଡରିଲେ । ଥରେ ମୋ ମାଲିକ ମୋ ଉପରେ ଖୁସି ହୋଇ ମୋତେ ମନୋଜ ଦାସ ଙ୍କ ‘ଜୀବନ ଜିଜ୍ଞାସା ଏବଂ ସ୍ମରଣିକା ସ୍ତବକ’ ବହି ଉପହାର ଦେଲେ । ସେ ବହି ପାଇ ଯେମିତି ମୋ ଜୀବନ ଧନ୍ୟ ହେଇଗଲା । ଦୁଇଦିନ ଅଖିଆ ରହି ସେ ବହି ସାରିଦେଲି । ତାଙ୍କୁ ଆହୁରି ପଢିବାକୁ ଇଚ୍ଛା ଥାଏ । କିନ୍ତୁ ଅର୍ଥର ବାଧ୍ୟବାଧକତା ମୋତେ ଭିତରୁ ଭିତରୁ ଅଣନିଃଶ୍ୱାସୀ କରୁଥାଏ ।

ବହୁତ ଭାବି ଚିନ୍ତି ଶେଷରେ ବିନୋଦ ବିହାରୀରେ ଗୋଟେ ବଡ଼ ପ୍ରକାଶକଙ୍କ ପାଖରେ ଚାକିରୀ କଲି । ସେ ପ୍ରକାଶକ ମନୋଜ ଦାସଙ୍କ ଅନେକ ଗୁଡିଏ ବହି ଛପେଇଛନ୍ତି । ମୋ କାମ ସାରି ଦୋକାନର ଗୋଟେ କୋଣରେ ପଡିଥିବା ଥିବା ଷ୍ଟୁଲ୍ ଉପରେ ବସି ମନୋଜ ଦାସଙ୍କ ବହି ପଢେ । ଏମିତି କିଛି ଦିନ ପରେ ସେ ପ୍ରକାଶକ ଛପେଇ ଥିବା ମନୋଜ ଦାସଙ୍କ ସବୁ ବହି ପଢ଼ିଦେଲି । ଏପଟେ ମୋର ତୀକ୍ଷ୍ଣ ହିସାବ ବୁଦ୍ଧି ଅନ୍ୟ ପ୍ରକାଶକଙ୍କ ଦୃଷ୍ଟି ଆକର୍ଷଣ କରିସାରିଥାଏ । ଏହାର ସୁଯୋଗ ନେଇ ମୁଁ ଆଉ ଜଣେ ପ୍ରକାଶକ ଯିଏକି ମନୋଜ ଦାସଙ୍କ ଆଉ କିଛି ବହି ଛପେଇଛନ୍ତି ତାଙ୍କ ପାଖରେ ଚାକିରୀ କଲି । ଏପରି ଭାବେ ଛଅ ମାସ ଭିତରେ ଛଅଟା ପ୍ରକାଶକଙ୍କ ପାଖରେ କାମ କରି ମନୋଜ ଦାସଙ୍କ ପ୍ରାୟ ପ୍ରାୟ ସବୁ ବହି ପଢ଼ିଦେଲି ।

ଏହା ଭିତରେ କିଛି କିଛି ସ୍ତୁତିଗାନମୂଳକ ଲେଖା ବିଭିନ୍ନ ସ୍ମରଣିକାରେ ପ୍ରକାଶ ପାଇସାରିଥାଏ । କିନ୍ତୁ ମୋ ମନରେ ଗୋଟେ ବଡ଼ ଅବସୋସ ଥାଏ । କେମିତି ସେଇ ଦିବ୍ୟ ସାଧକଙ୍କ ଦର୍ଶନ କରନ୍ତି । ମନ୍ଦିରରେ ଦୀପ ଲଗେଇଲା ବେଳେ ଠାକୁରଙ୍କୁ ଡାକେ କେମିତି ଥରେଟିଏ ହେଉ ପଛେ ମୋ ପ୍ରିୟ ଲେଖକଙ୍କ ଦର୍ଶନ ଲାଭ କରନ୍ତି । ମନ କଥା ମନରେ ଥାଏ ।

ଏମିତି ଦିନେ ସେ ମହାର୍ଘ ମୁହୂର୍ତ୍ତ ଆସିଲା । ଦିନେ ଶୁଣିଲି ଆସନ୍ତା କାଲି ସନ୍ଧ୍ୟାରେ ମନୋଜ ଦାସ ବିନୋଦ ବିହାରୀ ଆସୁଛନ୍ତି । ସେ ଦିନ ରାତିରେ ଆଉ ଶୋଇ ପାରିଲି ନାହିଁ । କେମିତି ରାତି ପାଇବ ମୁଁ ଯାଇ ସିଦ୍ଧେଶ୍ୱରଙ୍କ ମନ୍ଦିରରେ ଦୀପ ଜାଳିବି । ବଢି ଭୋରରୁ ଗାଧେଇ ମନ୍ଦିର ଚାଲିଗଲି । ସେଦିନ ଆଉ ମୋତେ ଭୋକ ଶୋଷ କିଛି ଲାଗୁନଥିଲା । କେତେବେଳେ ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ଯାଇଛନ୍ତି ସେଥିପ୍ରତି ମୋର ନିଘା ନଥାଏ । ମୁଁ ଅପଲକ ନେତ୍ରରେ ଅପେକ୍ଷା କରିଥାଏ ସେଇ ପ୍ରତୀକ୍ଷିତ ମୁହୂର୍ତ୍ତକୁ । ଶେଷରେ ସେ ଆସିଲେ । ତାଙ୍କୁ ସ୍ୱଶରୀରେ ଦେଖି ମୋ ଆଖିରୁ ଲୋତକ ବହି ଚାଲିଥାଏ । କେମିତି ପାଖକୁ ଯିବି ତାଙ୍କ ଆଶୀର୍ବାଦ ନେବି ସେଇ ଚିନ୍ତାରେ ମୋ ଦେହ ହାତ ଥରୁଥାଏ । ସାହସ ସଞ୍ଚୟ କରି ତାଙ୍କ ପାଦ ସ୍ପର୍ଶ କଲି । ସେ ତାଙ୍କର ସେଇ ଚିରାଚରିତ ସ୍ମିତ ହସଟେ ମୁହଁରେ ଖେଳେଇ ମୋତେ ଉଠେଇ ନେଲେ । ହେଲା ବାବା ହେଲା କହି ତାଙ୍କ ହାତ ମୋ ମୁଣ୍ଡ ଉପରେ ରଖି ଆଶୀର୍ବାଦ କଲେ । ଯେପରି ଏକ ଦଲକାଏ ଶୀତଳ ପବନ ବହିଗଲା ଭଳି ଲାଗିଲା । ତାଙ୍କ ସ୍ପର୍ଶ ମାତ୍ରେହିଁ ଦେହରେ ଅଦ୍ଭୁତ ଶିହରଣ ଖେଳିଗଲା । କୋଟି ଜନ୍ମର ପୁଣ୍ୟ ମିଳିଗଲା ଭଳି ପ୍ରତ୍ୟୟ ହେଲା । ଆନନ୍ଦରେ ମୋ ଆଖିରୁ ଧାର ଧାର ଲୁହ ବହିଚାଲିଥାଏ । ସେ ସମୟର ଅନୁଭୂତିକୁ ବଖାଣିବା କଷ୍ଟ । ସେ ଅନୁଭବକୁ କେବେ ମନକୁ ଆଣିଲେ ଆଜି ବି ମୋ ରୁମ ଟାଙ୍କୁରି ହୋଇଯାଏ ।

ଆଜି ସେ ନାହାଁନ୍ତି ସତ କିନ୍ତୁ ତାଙ୍କର ସେଇ ଆଶୀର୍ବାଦ ମୋ ଜୀବନର ଗତି ପଥ ବଦଳେଇ ଦେଲା ।

ପ୍ରଣମ୍ୟ ମନୋଜ ସାରଙ୍କ ଦେହାନ୍ତ ପରେ ଫେଶବୁକ୍ ରେ ଯେଉଁ ଶହ ଶହ ସ୍ମୃତି ଚାରଣର ଜୁଆର ଆସୁଛି ତାକୁ ଦେଖି ମୁଁ ଅଭିଭୂତ । ମୋତେ ଏବେ ଏପରି ଲାଗିଲାଣି ଯଦି ମନୋଜ ସାର୍ ଙ୍କ ସହ ସାକ୍ଷାତ ହୋଇ ନାହିଁ କି ତାଙ୍କ ଦିବ୍ୟ ଆଶୀର୍ବାଦ ମିଳିନାହିଁ ତେବେ ସେ ଓଡ଼ିଆ ସାହିତ୍ୟ ମାନଚିତ୍ରରେ ବିନ୍ଦୁଟିଏ ହୋଇ ରହିବେନି । ତାଙ୍କ ସହ ବିତେଇଥିବା ସେଇ ମହାର୍ଘ ମୁହୂର୍ତ୍ତ ଗୁଡିକୁ ଶ୍ରୁତି ଏବଂ ଦୃଷ୍ଟିମଧୁର , ଅତିରଞ୍ଜିତ ଅଳଙ୍କାରପୂର୍ଣ୍ଣ ସ୍ମୃତି ତଥା ସ୍ତୁତି ଲେଖା ଲେଖି ଲୁହ ଲୁହ ହେଉଛନ୍ତି ସମସାମୟିକ ଅନେକ ସାହିତ୍ୟିକ । ଅବଶ୍ୟ ଏହା ଭିତରେ ସତ୍ୟ କେତେ ଆତ୍ମସ୍ତୁତି କେତେ ତାହା ଗବେଷଣା ସାପେକ୍ଷ । ନିଜକୁ ଜଣେ ଅପଡେଟ ସାହିତ୍ୟିକ ଭାବରେ ପ୍ରମାଣ ଦେବାକୁ ଜୀବନ ବିକଳରେ ବହୁତ ଭାବି ଚିନ୍ତା ଏତକ ଲେଖିଛି । ତେଣୁ ମୋର ଫେକବୁକ୍ ଉଫଃ.. ସରି ..ଫେସବୁକର ସତ୍ୟପ୍ରିୟ ଦିବ୍ୟ ପାଠକଗଣ ଯଦି ଏହି ଲେଖା ଆପଣଙ୍କୁ ସତ ବୋଲି ପ୍ରତେ ହେଉଛି ତେବେ ଲାଇକ କମେଣ୍ଟ ଦ୍ୱାରା ମୋତେ ଉତ୍ସାହିତ କଲେ ମୋର ଏଭଳି ଆଉ କିଛି ଆତ୍ମ ସ୍ତୁତି ମୂଳକ ଲେଖା ଖୁସି ଖୁସି ବାହାରି ଯାଆନ୍ତା ।

ବନମାଳୀ ଭବନ , ଖାନ ନଗର ,
କଟକ ୭୫୩୦୧୨

Comments are closed.