ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ

ମଞ୍ଜୁବାଳା ପଣ୍ଡା

୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।

ପିଲାଦିନୁ ଭିଡ, ଠେଲାପେଲାକୁ ମୋର ଭାରି ଡର। ସେଥିପାଇଁ କେବେ ବି ଯାନିଯାତ୍ରା ଦେଖି ଯାଏନି। କିନ୍ତୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା! ଏ ତ ଦୁର୍ଲ୍ଲଭ, ଦୁର୍ମୂଲ୍ୟ ସୁଯୋଗ ଓ ସଂଯୋଗ!! ଯୋଗ ଓ ଭାଗ୍ୟର କଥା!!! ଜଗନ୍ନାଥଙ୍କ ଡୋରୀ ନ ଲାଗିଲେ ରଥ ଡୋର କ’ଣ ଛୁଇଁ ହୁଏ? ମନେ ମନେ ନାଚିଗଲି ବହେ।

ଯୋଜନା ମୁତାବକ ପରଦିନ ଆମେ ମାନେ ଇଏ, ମୁଁ ଓ ପିନୁ ପୁରୀ ପହଞ୍ଚିବା ବେଳକୁ ମଧ୍ୟାହ୍ନ। ଯାତ୍ରାର ଗହଳ ଚହଳ ବାଟମଙ୍ଗଳାଙ୍କ ପାଖରୁ ହିଁ ବାରି ହେଇ ପଡୁଥିଲା। ଜଣେ ସମ୍ପର୍କୀୟଙ୍କ ଘରେ କାର୍ ରଖି ବଡ ଦେଉଳ ଅଭିମୁଖେ ବାହାରି ପଡିଲୁ।

ନୀଳ, ନିର୍ମଳ, ନିର୍ମେଘ ଆକାଶ। ସିଂହଦ୍ବାର ସମ୍ମୁଖରେ ବିରାଜମାନ ନଭଶ୍ଚୁମ୍ବୀ ତିନି ରଥ – ବଡ ଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭ୍ରଦାଙ୍କ ଦର୍ପଦଳନ ଓ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଧାଡି ପହଣ୍ଡି ସରିଥାଏ। ଟାମଜାନ୍ ରେ ଗଜପତି ମହାରାଜାଙ୍କର ଛତ୍ର, ଚାମର ମଧ୍ୟରେ ରାଜକୀୟ ଆଗମନ ଓ ରଥ ଉପରେ ସେ ସୁନାପହଁରାରେ ଛେରାପହଁରା କରିବାର ଅନନ୍ୟ, ଅପୂର୍ବ, ଦିବ୍ୟ ଦୃଶ୍ୟ ଦେଖିଲୁ।

ବଡଦାଣ୍ଡରେ ଲହଡି ଭାଙ୍ଗୁଛି ଜନସମୁଦ୍ର। ସୋରିଷଟିଏ ପକେଇବାକୁ ଜାଗା ନାହଁ। ଝାଞ୍ଝ, କାହାଳୀ, କୀର୍ତ୍ତନ, ଶଙ୍ଖ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଭିଡ ଠେଲି ଆମେ ପ୍ରାୟ ତିନିଶ ମିଟର ଆଗକୁ ଯାଇ ବଡଦାଣ୍ଡର ଗୋଟିଏ କଡକୁ ଅପେକ୍ଷାକୃତ ପାତଳ ଗହଳି ସ୍ଥାନ ଦେଖି ଠିଆ ହେଲୁ।

ଚରମ ଉତ୍କଣ୍ଠାର ଅବସାନ ଘଟାଇ ଆରମ୍ଭ ହେଲା ରଥଟଣା। ପରମ ଉଲ୍ଲାସରେ ଲକ୍ଷ ଲକ୍ଷ ଭକ୍ତ ଭିଡୁଥା’ନ୍ତି ରଥ ଦଉଡି। ହରିବୋଲ, ଜୟ ଜଗନ୍ନାଥ ନାଦରେ ମୁଖରିତ ହେଲା ଗଗନ, ପବନ। ପ୍ରଥମେ ତାଳଧ୍ବଜ ରଥ ଗଡିଲେ।  କିଛି ବାଟ ଗଡିଲା ପରେ ରଥ ଅଳ୍ପ ବିଶ୍ରାମ ନିଅନ୍ତି।

: ମା’! ଛୁଇଁବ ରଥ ଦଉଡି?
: ନେଇ ପାରିବୁ ମୋତେ ସେ ଯାଏଁ ଏ ଭିଡ ଭିତରେ?
: ଆସ। ଧର ମୋ ହାତ। ଚେଷ୍ଟା କରିବା।

ପିନୁ କେଡେ ସୁନ୍ଦର ତା’ ଦୁଇ ହାତରେ ଆମ ଦୁହିଁଙ୍କ ହାତକୁ ଧରି ଭିଡ ଆଡେଇ ଅତି ସନ୍ତର୍ପଣରେ ରଥ ପାଖକୁ ନେଇଗଲା ଆମକୁ। ରଥ ଦଉଡି ଛୁଇଁ ମୁଣ୍ଡିଆ ମାରିଲୁ। ଦେହ, ମନରେ ଅପୂର୍ବ ପୁଲକ, ଅବ୍ୟକ୍ତ ଉଲ୍ଲାସ। ପରେ ପରେ ଦର୍ପଦଳନ ଗଡିଲେ। ପୁଣି ଥରେ ଭିଡ଼ ଆଡେଇ ଆମକୁ ନେଇ ପିନୁ ରଥ ଦଉଡି ଛୁଆଁଇ ଫେରେଇ ଆଣିଲା। ଆମେ ଥରକୁ ଥର ଯାଇ ରଥ ଦଉଡି  ଛୁଇଁ ଆସୁଥିବା ଦେଖି ପାଖରେ ଥିବା ଲୋକମାନେ ବାରଣ କଲେ। କହିଲେ – ଏବେ କାଳିଆ ସାଆନ୍ତ ଆସିବେ। ଭିଡ଼ ଅସମ୍ଭାଳ ହେବ। ଖୁବ୍ ଠେଲାପେଲା ହବ। ରଥ ଟାଣିବା ବେଳେ ଅତିଶୟ ଆନନ୍ଦ ଓ ଉନ୍ମାଦନା ହେତୁ ଆୟତ୍ତରେ ନ ଥା’ନ୍ତି ଭକ୍ତଗଣ। ତେଣୁ ବିଶେଷ କରି ସ୍ତୀ ଲୋକମାନେ ରଥ ନିକଟକୁ ଯିବା ଆଦୌ ନିରାପଦ ନୁହଁ। ଆପଣମାନେ ଏଇଠୁ ଦର୍ଶନ କରନ୍ତୁ।

ଜନସମୁଦ୍ର ଚିରି ଘିଡ଼ି ଘିଡ଼ି ଗଡି କାଳିଆକୁ କୋଳରେ ବସେଇ ଆସୁଛନ୍ତି ନନ୍ଦିଘୋଷ। ଲୋକଙ୍କ ବାରଣ ଶୁଣି ମୋ ଉଚ୍ଚାଟପଣ ପାଣିଚିଆ ହେଇଗଲା। କାନ୍ଦ କାନ୍ଦ ଲାଗୁଥାଏ ମୋତେ। ଏତେ ପାଖରେ ଥାଇ ବି ଛୁଇଁ ପାରିବିନି କାଳିଆର ରଥ ଦଉଡି! ଧିକ୍ ମୋ ଜନ୍ମ!! ନାରୀ ଜନ୍ମ ସବୁବେଳେ ହୀନିମାନିଆ!!!

: ଆସ ମା’! ରଥ ରହିଲେଣି। ଧର ମୋତେ। ବାକି ହାତ ମୋର ଜମା ଛାଡିବନି। ବାପା, ତମେ ମୋ ପଛେ ପଛେ ଆସ।

ପିନୁର କଥା ଶୁଣି କୁରୁଳି ଉଠିଲି ମୁଁ। ଉଛୁଳି ଗଲା ଭାବ। ଉଜ୍ଜଳି ଗଲା ଆଖି। କୁହାବୋଲା କରି ଲୋକଙ୍କୁ ଆଡେଇ ଠେଲାପେଲା ଭିତରେ ଆମେ ରଥ ଦଉଡି ପାଖରେ ହାଜର। ଚିର ଇପ୍ସିତ ବସ୍ତୁଟାଏ ଅବା ମିଳିଗଲା ମୋତେ! ମୁଠେଇ ଧରିଲି ରଥ ଦଉଡିକୁ ଆନନ୍ଦରେ, ଆବେଗରେ, ଆହ୍ଲାଦରେ । ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରିଲି। ଛାତିଏ ଉଚ୍ଚାର ରଥ ଦଉଡି ସାମ୍ନାକୁ ବେକ ଝୁଙ୍କେଇ ବାମକୁ ଦେଖିଲି। ଆହା! ରଥାଋଢ କଳା ଠାକୁର!! ଅପଲକ ଚକ୍ଷୁ ମୋର!!!

: ଭଲ କରି ଠାକୁରଙ୍କୁ ଦେଖିବେ ମା’?

କିଏ? ହଁ, ମୋତେ ହିଁ ପଚାରୁଛନ୍ତି ପୋଲିସ୍ ଅଫିସର ଜଣକ। ବିହ୍ବଳ ହେଇ ମୁଣ୍ଡ ଟୁଙ୍ଗାରିଲି। ରଥ ସ୍ଥିର ଅଛନ୍ତି। ରସି ହୁଗୁଳା ଅଛି। ତାଙ୍କ ଇସାରା ଅନୁଯାୟୀ ଫାଙ୍କ ଦେଇ ଗଳିଗଲି ଭିତରକୁ। ଛାଡି ହେଇଗଲା ପିନୁର ହାତ। କର୍ଡନ୍ ଭିତରେ କିଛି ପୋଲିସ୍ ଅଫିସର୍ କେବଳ। ଓହୋ – ମୋ ଆଖି ସାମ୍ନାରେ କଳାଦିଅଁ। ପୁରା ଆମ୍ନା ସାମ୍ନା। ଚକା ଆଖିରେ ଲାଖି ଗଲା ଆଖି ମୋର। ଇସ୍ – ଆଖି କି ଚୁମ୍ବକ ସିଏ! ରଥେ ଜଗନ୍ନାଥ, ପଥେ ଜଗନ୍ନାଥ। ନୟନେ ଜଗନ୍ନାଥ, ଚୈତନ୍ୟେ ଜଗନ୍ନାଥ। ହେ ମହାବାହୁ! ଟେକିଦେଲି ଦୁଇ ହାତ ମୋର। ଆଖିରୁ ଛୁଟୁଛି ଲୁହ ଧାର ଧାର। ମନେ ପଡିଗଲା ମୋ ନିଜ ଲେଖା ଗୀତରୁ ପଦୁଟିଏ।

କଳାରେ କଳାରେ          ଷୋହଳ କଳାରେ
ସୁନ୍ଦର ତୁ କଳାଚାନ୍ଦ,
ତୋ କଳାବଦନ             ଦେଖୁ ଦେଖୁ ଧନ
ଲୁହରେ ହେଲି ମୁଁ ଅନ୍ଧ।

ହଁ, ଲୁହରେ ଅନ୍ଧୁଣୀ ମୁଁ ଏବେ। ମୁଁ ତଲ୍ଲୀନ, ବିଲୀନ। ଅପୂର୍ବ ସେ ସମ୍ମୋହନ!!!

ହଠାତ୍ ରଥ ଗଡିବା ଆରମ୍ଭ ହେଇଗଲା। ମୁଁ କିଛି ବୁଝିବା ପୂର୍ବରୁ ଲକ୍ଷ ଲକ୍ଷ ଭକ୍ତ ଜୟ ଜଗନ୍ନାଥ ଧ୍ବନି କରି ଦଉଡି ଟାଣି ଭିଡି ନେଉଥିଲେ ରଥକୁ। ମୁଁ କର୍ଡନ୍ ଭିତରେ। ସେଠୁ ଆଉ ବାହାରି ପାରିବାର ଯୂ’ ନାହିଁ। ଇତସ୍ତତଃ ପୋଲିସ ଅଫିସର୍ ଜଣକ କହିଲେ – ଆଉ ବାହାରକୁ ଯାଇ ହବନି ରଥ ଅଟକିବା ଯାଏଁ। ଆପଣ ଠିଆ ହେଇ ରହନ୍ତୁନି – ଚାଲନ୍ତୁ – ଆଗକୁ ଆଗକୁ ଚାଲନ୍ତୁ – ଦଉଡି ଏ ପଟେ ରହି।

ଖାଲି ଚାଲିବି? ଲୋଭ ସମ୍ବରଣ କରି ପାରିଲିନି। ଭିଡି ଧରିଲି ରଥ ଦଉଡି। ସେପଟେ ଜନ ସମୁଦ୍ର। ଏ ପଟେ ମୁଁ –  ବୀରାଙ୍ଗନା ଭଳି ମାଡି ଚାଲୁଛି ହାତରେ ରଥ ଦଉଡି ଧରି ଆଗକୁ ଆଗକୁ। ମୁଁ ଟାଣୁଛି ନନ୍ଦିଘୋଷ ରଥଙ୍କ ଦଉଡି! ଏଡେ ନିର୍ବିଘ୍ନରେ, ଏଡେ ସ୍ବଚ୍ଛନ୍ଦରେ!! କୋଉ ଜନ୍ମର ପୂଣ୍ୟଫଳ ଇଏ!!!

ଆଃ … ଯନ୍ତ୍ରଣାରେ ଚିତ୍କାର କରି ଉଠିଲି ମୁଁ।

ଢେଉ ଭଳି ମୋ ଆଡକୁ ମାଡି ଆସିଲା ଲୋକଙ୍କ ଭିଡ। ଦଳି, ଚକଟି ହେଇଗଲା ଦୁଇ ପାଦ ମୋର। କ୍ରମଶଃ ମୋଠୁ ଅଲଗା ହେଇ ପଛରେ ରହିଗଲେ ମୋ ପାଦର ଚପଲ, ପାଉଁଜି, ଝୁଣ୍ଟିଆ । ନିଜକୁ ଆଉ ସମ୍ଭାଳି ପାରିଲିନି। ରଥ ଦଉଡିକୁ ଜାବୁଡି ଧରିଥିଲି ବୋଲି ପଡି ନ ଯାଇ ଘୋଷାଡି ହେଲି। ଦଉଡି ଆରପଟୁ ମୋ ସ୍ବାମୀ ତଟସ୍ଥ। ପୁଅ ବିକଳରେ ଚିତ୍କାର କରୁଛି – ମା’… ମା’ … ଦଉଡ଼ି ଛାଡିବନି …। ଲକ୍ଷ ଲକ୍ଷ ବିହ୍ବଳ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ବନି ଭିତରେ ଯୋଡ଼ିଏ ମଣିଷର ଆର୍ତ୍ତ ଚିତ୍କାର ମିଳେଇ ଯାଉଛି।

ହୁଏତ ଆଉ କେଇଟି ମୁହୂର୍ତ୍ତର ଜୀବନ। ଭୟରେ ଆଖି ବୁଜିଦେଲି ମୁଁ। ଆରେ – ବୁଜା ପଲକରେ କାହୁଁ ଆଇଲା ଏ ରଙ୍ଗଅଧରିଆ, ଚକାଆଖିଆ! ଓଃ – ସେ ପରା ଆର୍ତ୍ତତ୍ରାଣ! ପତିତ ପାବନ!! ଜଗତ ଜୀବନ କାଳିଆ ଧନ!!!

ବ୍ୟତିବ୍ୟସ୍ତ ହେଇ ପୋଲିସ ଅଫିସର ମାନେ ହାତ ହଲେଇ ସଙ୍କେତ ଦେଲେ ରଥ ଅଟକେଇବା ପାଇଁ। ଆଉ ଅଳ୍ପ ଗଡି ରହିଗଲେ ରଥ। ଛିଟିକି ପଡିଲି ମୁଁ। ହାତ ଧରି ଉଠେଇ ଦେଲେ ଅଫିସର ଜଣକ। ନାଃ – ଦୁଇ ପାଦ ଖଣ୍ଡିଆ ଖାବରା ହବା ଛଡା ବିଶେଷ କିଛି ଅସୁବିଧା ହେଇନି ମୋର। ସ୍ବାଭାବିକ ରୂପେ ଭୀଷଣ ବିରକ୍ତ ହେଇ ପାଟି କଲେ ଉପରିସ୍ଥ ଅଫିସର୍। ମୋତେ କମ୍ – ମୋତେ ଭିତରକୁ ଛାଡିଥିବା ଅଫିସରଙ୍କୁ ବେଶୀ – ଏବେ ଜୀବନଟିଏ ଚାଲି ଯାଇଥା’ନ୍ତା। କେଡ଼େ ଦାୟିତ୍ୱହୀନ କାମ କରୁଛନ୍ତି ଆପଣମାନେ। ଅଫିସର ଜଣକ ମୋ ହାତ ଧରି କର୍ଡନ୍ ବାହାରେ ଛାଡି ଦେଇ ଆସିଲେ।

ପାଦ ରକ୍ତାକ୍ତ। ପ୍ରାଣ କିନ୍ତୁ ପ୍ରାପ୍ତିର ପ୍ରାବଲ୍ୟରେ ପରିପୂର୍ଣ୍ଣ। ସେ ଦିନ ସେଇ ପୋଲିସ ଅଫିସରଙ୍କ ଗାଳି ଧୂଳି ଭଳି ଝଡି ଯାଇଛି ମୋ ମନରୁ। ହେଲେ ରଥଟଣାର ସେ ବିରଳ ଉପଲବ୍ଧିର ଉପଲବ୍ଧରେ ଉପଲବ୍ଧା ମୁଁ ।

ଜୟ ଜଗନ୍ନାଥ!!!

ଅଭିପ୍ସା , ରେଲୱେ ଷ୍ଟେସନ ରୋଡ଼
ବଲାଙ୍ଗୀର